କନକ ବ୍ୟୁରୋ : ମନରେଗା ଯୋଜନାର ନାମ ପରିବର୍ତ୍ତନ କରି 'ବିକଶିତ ଭାରତ ଜି-ରାମ ଜି' (VB-G RAM-G) କରିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ମୋଦୀ ସରକାର ମନରେଗା ଉପରେ ବୁଲଡୋଜର ଚଲାଇ ଗରିବଙ୍କ ସ୍ୱାର୍ଥ ଉପରେ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ନୂତନ ବିଲ୍‌କୁ ଏକ କଳା ଆଇନ ବୋଲି କହି ଏହା ବିରୋଧରେ ଲଢ଼େଇ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।

Advertisment

‘ମନରେଗା ଥିଲା ଗରିବଙ୍କ ସାହାରା’

ସୋନିଆ ଗାନ୍ଧୀ କହିଛନ୍ତି ଯେ ୨୦ ବର୍ଷ ପୂର୍ବେ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସଂସଦରେ ସର୍ବସମ୍ମତି କ୍ରମେ ମନରେଗା ବିଲ୍‌ ପାରିତ ହୋଇଥିଲା । ଏହା ଏକ ବୈପ୍ଳବିକ ପଦକ୍ଷେପ ଥିଲା, ଯାହା କୋଟି କୋଟି ଗ୍ରାମୀଣ ପରିବାର, ବିଶେଷ କରି ଶୋଷିତ ଓ ବଞ୍ଚିତ ବର୍ଗଙ୍କ ପାଇଁ ଜୀବିକାର ମାଧ୍ୟମ ସାଜିଥିଲା । ଏହି ଯୋଜନା ଯୋଗୁଁ ନିଜ ଗାଁରୁ ବାହାରକୁ ଯିବା ଭଳି ଘଟଣା କମାଇଥିଲା ।  ଏହାସହ ମହାତ୍ମା ଗାନ୍ଧୀଙ୍କ 'ଗ୍ରାମ ସ୍ୱରାଜ' ସ୍ୱପ୍ନ ସାକାର ଦିଗରେ ଏକ ଦୃଢ଼ ପଦକ୍ଷେପ ନିଆଯାଇଥିଲା ।

ଅଧିକ ପଢ଼ନ୍ତୁ---'ଭିବି-ଜି ରାମ-ଜି' ବିଲ୍‌କୁ ନେଇ ଥମୁନି ଝଡ଼: ଲୋକସଭାରେ ରାତି ୧ଟା ୩୫ ଯାଏ ଚାଲିଲା ବିତର୍କ

ସୋନିଆ ଅଭିଯୋଗ କରିଛନ୍ତି ଯେ ଗତ ୧୧ ବର୍ଷ ମଧ୍ୟରେ ମୋଦୀ ସରକାର ମନରେଗାକୁ ଦୁର୍ବଳ କରିବାକୁ ସବୁ ପ୍ରକାର ଚେଷ୍ଟା କରିଛନ୍ତି । କୋଭିଡ ସମୟରେ ଏହି ଯୋଜନା ଗରିବଙ୍କ ପାଇଁ ସଞ୍ଜୀବନୀ ସାବ୍ୟସ୍ତ ହୋଇଥିଲା, କିନ୍ତୁ ଏବେ ସରକାର ଏହାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛନ୍ତି । ବିନା କୌଣସି ଆଲୋଚନା ବା ବିରୋଧୀଙ୍କୁ ନ ଜଣାଇ ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇ ଦିଆଯାଇଛି । ସେ କହିଛନ୍ତି ଯେ ଏଣିକି କାହାକୁ କେଉଁଠି ଓ କେତେ ରୋଜଗାର ମିଳିବ, ତାହା ଦିଲ୍ଲୀରେ ବସି ସରକାର ସ୍ଥିର କରିବେ ।
ମନରେଗାକୁ ଦେଶହିତ ଓ ଜନହିତର ଏକ ବଡ଼ ଯୋଜନା ଭାବେ ଦର୍ଶାଇ ସୋନିଆ କହିଛନ୍ତି, କେନ୍ଦ୍ର ସରକାର କୋଟି କୋଟି ଚାଷୀ ଓ ଶ୍ରମିକଙ୍କ ହକ୍ ଛଡ଼ାଇ ନେବାକୁ ଚେଷ୍ଟା କରୁଛନ୍ତି । "୨୦ ବର୍ଷ ପୂର୍ବେ ମୁଁ ଗରିବ ଭାଇଭଉଣୀଙ୍କ ରୋଜଗାର ଅଧିକାର ପାଇଁ ଲଢ଼ିଥିଲି ଏବଂ ଆଜି ମଧ୍ୟ ଏହି କଳା ଆଇନ ବିରୋଧରେ ଲଢ଼ିବା ପାଇଁ ମୁଁ ପ୍ରତିବଦ୍ଧ," ବୋଲି ସେ ଦୃଢ଼ତାର ସହ କହିଛନ୍ତି ।