Son’s Death Ritual Photograph: (Kanak News)
କନକ ବ୍ୟୁରୋ : ପୁଅ ମାରିବାପରେ ଶୁଦ୍ଧିକ୍ରିୟା ପାଇଁ ଖବରକାଗଜ ବିକୁଛି ବାପା । ପରିଣତ ବୟସରେ ସାଜିଛି ପେପର୍ ହକର୍ । ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଅଞ୍ଚଳରୁ । ସେଣ୍ଟ୍ରିଂ କାମ ବେଳେ ଖସିପଡ଼ି ପୁଅ ପ୍ରାଣ ହରାଇବା ପରେ, ଏବେ ବୁଢ଼ା ବାପା ମାଆ ଆଖିରୁ ଲୁହ ଶୁଖୁନି ।
ଆଖିରୁ ଲୁହ ଶୁଖୁନି... ଛାତିରୁ କୋହ ଥମୁନି । ଭେଣ୍ଡିଆ ପୁଅକୁ ହରାଇ, କେଉଁ ମାଆ ବା ଥୟ ଧରିବ ? ୭ ଦିନ ହେଲା ମାଆ ସିନା ବାହୁନି ବାହୁନି କାନ୍ଦୁଛି, ହେଲେ ପଥର ପାଲଟିଯାଇଛନ୍ତି ବାପା । ପୁଅର ଶୁଦ୍ଧିକ୍ରିୟା ପାଇଁ କରୁଛନ୍ତି ପେପର୍ ବିକ୍ରି । ଏ ଦୁଃଖୀ ବାପାର ବେଦନା ଶୁଣିଲେ, କାହା ଆଖିରେ ବି ଲୁହ ଆସିଯିବ । ବାପାଟିଏ ପାଇଁ ପୁଅର ଶୁଦ୍ଧିକ୍ରିୟା ଯେତିକି କଷ୍ଟଦାୟକ, ତା ଠୁ ବଳିଯାଇଛି ଦାରିଦ୍ର୍ୟର ତାଡ଼ନା ।
ଅଧିକ ପଢ଼ନ୍ତୁ : ବାପାଙ୍କୁ ମୁଖାଗ୍ନି ଦେଲେ ; ଦଶାହରେ ଲଣ୍ଡା ହେଲେ ଝିଅ
ଦଇବ ଏମିତି ଦାଉ ସାଧିଛି ଯେ, ରୋଜଗାରିଆ ପୁଅ ଆଖି ବୁଜିବା ପରେ, ଅଣ୍ଟିରେ କାଣି କଉଡ଼ିଟିଏ ବି ନାହିଁ । ସେଥିପାଇଁ ପରିଣତ ବୟସରେ ପୁଣି ଖବରକାଗଜ ବିକ୍ରି ଆରମ୍ଭ କରିଛନ୍ତି, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ କୁସିଆପାଳର ୭୮ ବର୍ଷୀୟ କିଶୋର ଦାସ । ଶୀତୁଆ ରାତି ପାହିବା ଆଗରୁ ଆରମ୍ଭ ହୋଇଯାଉଛି ଜୀବନ ସଂଘର୍ଷ । ଏଭଳି ଦୁଃସ୍ଥିତି ବେଳେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି କିଛି ସ୍ଥାନୀୟ ବାସିନ୍ଦା । ଶୁଦ୍ଧିକ୍ରିୟା ପାଇଁ ଯିଏ ଯାହା ପାରୁଛନ୍ତି, କିଛି କିଛି ଦାନ କରୁଛନ୍ତି ।
Follow Us