Krushna patra Photograph: (kanak news)
କନକ ବ୍ୟୁରୋ : ଧାନ ଉଠାଣ ନେଇ ଚାଷୀ କରୁଥିବା ଆନ୍ଦୋଳନ ପାଇଁ ବିରୋଧୀଙ୍କୁ ଦାୟୀ କଲେ ମନ୍ତ୍ରୀ । ସେ କହିଛନ୍ତି , ବିରୋଧୀ ତିଳ କୁ ତାଳ କରୁଛନ୍ତି କିନ୍ତୁ ସେମିତି ବଡ଼ ଆନ୍ଦୋଳନ କେଉଁଠି ନାହିଁ । ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ କଥା ହୋଇ ମନିଟରିଂ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଟି ଜିଲ୍ଲାରେ ମଣ୍ଡି ଖୋଲିଛି । ବରଗଡ଼ରେ ୬୪ହାଜର ୯୧୩ ମେଟ୍ରିକ ଟନ ଆସିଥିବାବେଳେ ସେଥିମଧ୍ୟରୁ ୬୪ ହାଜର ୬୫୨ ମେଟ୍ରିକ ଟନ ଧାନ ଉଠା ଯାଇଛି । ବଲାଙ୍ଗୀରରୁ ୧୬୦ ମେଟ୍ରିକ ଟନ ଆସିଥିଲା ସେଥି ମଧ୍ୟରୁ ୧୫୭ ମେଟ୍ରିକ ଟନ ଧାନ ଉଠା ଯାଇଛି । କଳାହାଣ୍ଡିରୁ ୧୧ ହଜାର ୫୪୨ ମେଟ୍ରିକ ଟନ ଧାନ ଆସିଥିବାବେଳେ ୧୧ ହଜାର ୪୮୬ ମେଟ୍ରିକ ଟନ ଧାନ ଉଠା ଯାଇଛି । ନୂଆପଡାରେ ୭ ହଜାର ୭୯୮ ମେଟ୍ରିକ ଟନ ଧାନ ଆସିଥିବା ବେଳେ ସେଥିରୁ ୭ ହଜାର ୭୨୭ ମେଟ୍ରିକ ଟନ ଧାନ ଉଠି ଯାଇଛି । ସମ୍ବଲପୁର ୬୯ ହଜାର ୯୮୮ ମେଟ୍ରିକ ଟନ ଆସିଥିବା ବେଳେ ୬୯ ହଜାର ୯୭୦ ମେଟ୍ରିକ ଟନ ଧାନ ଉଠି ଯାଇଛି । ସୋନପୁର ରୁ ୩୭ ମେଟ୍ରିକ ଟନ ଓ ସୁନ୍ଦରଗଡ ରୁ ୧୧ ମେଟ୍ରିକ ଟନ ଧାନ ଆସିଥିବା ବେଳେ ସବୁ ଧାନ ଉଠି ଯାଇଛି । କିଛି ସ୍ଥାନରେ ଟୋକନ ପହଁଚିନଥିବାରୁ ଆନ୍ଦୋଳନ ହେଉଛି କିନ୍ତୁ ଆମେ ନିର୍ଦ୍ଦେଶ ଦେଇଛୁ ଟୋକନ ପହଞ୍ଚାଇବା ସହ ସବୁ ସମସ୍ୟାର ସମାଧାନ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ସେପଟେ ସମ୍ବଲପୁର ଜିଲ୍ଲାରେ ଧାନ ମଣ୍ଡି ଓ ଟୋକନ ସମସ୍ୟାକୁ ନେଇ ଚାଷୀ ବିକ୍ଷୋଭ ଚାଲିଛି । ସୋମବାର ଦିନ ଚାଷୀମାନେ ଏକ ଅଭିନବ ଉପାୟରେ ନିଜର ପ୍ରତିବାଦ ଜଣାଇଛନ୍ତି । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଚାଷୀ ହାତରେ ଧାନ ଧରି ସମ୍ବଲପୁର ପିରବାବା ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଛନ୍ତି । ଚାଷୀଙ୍କ କହିବା କଥା ହେଲା, ମଣ୍ଡିରେ ଅବ୍ୟବସ୍ଥା ଓ ଟୋକନ ନମିଳିବା କାରଣରୁ ସେମାନେ ନିଜର କଷ୍ଟ ଉପାର୍ଜିତ ଫସଲ ବିକ୍ରି କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ଏହି ସମସ୍ୟାର ସମାଧାନ ପାଇଁ ଚାଷୀମାନେ ଦୁଇ ଦୁଇ ଥର ରାଜରାସ୍ତା ଅବରୋଧ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ସମାଧାନ କରାଯାଇନାହିଁ । ତେଣୁ ବାଧ୍ୟ ହୋଇ ସେମାନେ ଆଜି ନିଜର ଅମଳ ଧାନ ସହ ଜିଲ୍ଲାପାଳଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛନ୍ତି ।
ପ୍ରଶାସନର ଟାଳଟୁଳ ନୀତିରେ ଅସନ୍ତୁଷ୍ଟ ହୋଇ ଚାଷୀ ସଂଗଠନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦାବି ପୂରଣ ନହେଲେ ଆସନ୍ତା ୧୯ ତାରିଖ ଦିନ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି । ଯଦି ଯଥାଶୀଘ୍ର ସମସ୍ୟାର ସମାଧାନ ନହୁଏ, ତେବେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ, ରାଜ୍ୟରେ ବାରମ୍ବାର ହେଉଥିବା ଚାଷୀ ଆନ୍ଦୋଳନକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ଏହି ପ୍ରସଙ୍ଗରେ ମନ୍ତ୍ରୀ କୃଷ୍ଣ ପାତ୍ର ବିରୋଧୀ ଦଳକୁ କଡ଼ା ସମାଲୋଚନା କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ବାରମ୍ବାର ହେଉଥିବା ଏହି ଆନ୍ଦୋଳନ ପାଇଁ ବିରୋଧୀ ଦାୟୀ ।
ଅଧିକ ପଢ଼ନ୍ତୁ--ଚିନ୍ତାରେ ପଶ୍ଚିମ ଓଡ଼ିଶାର ଚାଷୀ; ମିଳୁନି ଟୋକନ୍, ଆଗକୁ ବଡ଼ ଆନ୍ଦୋଳନ
ଟୋକେନ ପାଇନଥିବା ଚାଷୀଙ୍କୁ ଟୋକେନ ଦେବାକୁ ଆସନ୍ତାକାଲି ନିର୍ଦ୍ଦେଶ ଦିଆଯାଇଛି । ଟୋକେନ ପରେ ଧାନ ବଳିଲେ ଖୋଲା ବଜାରରେ ଚାଷୀ ବିକି ଦିଅନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ । କୃଷ୍ଣ ପାତ୍ର କହିଛନ୍ତି, ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ଏବେ ଯାଏଁ ୬ଟି ଜିଲ୍ଲାର ରିପୋର୍ଟ ଆସିଛି । ବରଗଡ଼ରେ ୫୩ ହଜାର ୮୩୮ ମେଟ୍ରିକ୍ ଟନ୍, ବଲାଙ୍ଗୀର ୯୬ ମେଟ୍ରିକ୍ ଟନ୍, କଳାହାଣ୍ଡି ୭ ହଜାର ୩୮୭, ନୂଆପଡ଼ା ୩ ହଜାର ୮୪୭ ମେଟ୍ରିକ୍ ଟନ୍, ସମ୍ବଲପୁର ୬୦ ହଜାର ୨୫୬ ମେଟ୍ରିକ୍ ଟନ୍ ଏବଂ ସୁବର୍ଣ୍ଣପୁରରେ ୧୫ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ଏଯାବତ୍ ମୋଟ ୧ ଲକ୍ଷ ୨୫ ହଜାର ୪୩୯ ମେଟ୍ରିକ୍ ଟନ୍ ଧାନ କିଣା ସରିଛି । ଧାନ କିଣା ପ୍ରକ୍ରିୟା କେବେ ହେବ ତାହା ଜିଲ୍ଲାୱାରୀ ଡିଏଲ୍ପିସି କମିଟିରେ ନିଷ୍ପତ୍ତି ହେଉଛି ।
Follow Us