କନକ ବ୍ୟୁରୋ : ଧାନ ଅମଳ କରି ବିକ୍ରି କରିବାକୁ ଅପେକ୍ଷା କରିଛି ଅନ୍ନଦାତା । ହେଲେ, ଟୋକନ ମିଳିନଥିବାରୁ ବିକି ପାରୁନି । ଯେଉଁମାନଙ୍କୁ ଟୋକନ ମିଳିଛି, ଟାର୍ଗେଟ ଆଳରେ ସେମାନଙ୍କୁ ଧାନ ବି ଉଠାଯାଉଛି । ଯାହାକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅନ୍ୟପଟେ ମଣ୍ଡି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କଡା ଜବାବ ଦେଇଛି ଶାସକ ଦଳ ।
ଜମିରେ ଝାଳ ବୁହାଇ ଧାନ ଅମଳ କରିବା ପରେ ଏବେ ବିକ୍ରି କରିବାକୁ ଚାଷୀ ସଂଘର୍ଷ କରୁଛି । ମଣ୍ଡିରୁ ଧାନ ଉଠୁନଥିବାରୁ ହତାଶ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅନ୍ନଦାତା । ମାଲକାନଗିରି-କାଲିମେଳା ଜାତୀୟ ରାଜପଥ ପୋଟେରୁରେ ଦୀର୍ଘ ଦିନ ହେବ ଶିଖପାଲ୍ଲୀ ମଣ୍ଡିରୁ ଧାନ ନଉଠିବାରୁ ଓ କଟନିଛଟନୀକୁ ବିରୋଧ କରି ଚାଷୀ ବିକ୍ଷୋଭ କରିଛନ୍ତି । ଦୁଇ ଦିନ ତଳେ ସମାନ ଅଭିଯୋଗ ଆଣି କାଲିମେଳା-ମୋଟୁ ୩୨୬ ଜାତୀୟ ରାଜପଥର ଲକ୍ଷ୍ମୀପୁର ନିକଟରେ ଚାଷୀ ରାସ୍ତାରୋକ୍ କରିଥିଲେ ।
ଅଧିକ ପଢ଼ନ୍ତୁ : ଟୋକନ ବିଭ୍ରାଟରେ ଚାଷୀ ଅସନ୍ତୋଷ : କିଛି ଚାଷୀଙ୍କୁ ମିଳିନି ଟୋକନ, ମଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନ କିଣା
ମାଲକାନଗିରି ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରୁ ସମାନ ଅଭିଯୋଗ ଆସିବାରେ ଲାଗିଛି । ଯାହାକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଉଦବେଗ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ଚିଠିରେ ଉଲେଖ କରିଛନ୍ତି, ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିନାହାଁନ୍ତି ସରକାର । କଟ୍ନି ଛଟ୍ନିରେ ଚାଷୀ ବେହାଲ ହେଉଛନ୍ତି । ମଣ୍ଡିଗୁଡ଼ିକରେ କୁଇଣ୍ଟାଲ ପିଛା ୫ରୁ ୭ କିଲୋ କଟାଯାଉଛି । ମିଲର ଓ ସ୍ଥାନୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀମାନେ ନିଜର ପରିଶ୍ରମର ମୂଲ୍ୟ ପାଉନାହାନ୍ତି । ସେପଟେ ଧାନ କିଣାରେ ଅବ୍ୟବସ୍ଥା ପ୍ରତିବାଦରେ ବଲାଙ୍ଗୀରରେ ଏକାଠି ହୋଇଛନ୍ତି ବିଜେଡି ନେତା, କର୍ମୀ । ଚାଷୀଙ୍କ ହକ୍ ଦାବିରେ ବିକ୍ଷୋଭ ଓ ଧାରଣା ଦେଇଛନ୍ତି । ବିରୋଧୀଙ୍କୁ ସମାଲୋଚନା କରିଛି ବିଜେପି ।
ଚାଷୀଙ୍କ ପାଇଁ ସରକାର ଅଛନ୍ତି ବୋଲି ବାରମ୍ବାର କହି ଆସୁଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ଧାନ ବୁଣିବା ଠାରୁ ଆରମ୍ଭ କରି ବିକିବା ପର୍ଯ୍ୟନ୍ତ ନିଇତି ପେଶି ହେଉଛି ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/09/farmers-2026-02-09-20-36-00.jpg)