କନକ ବ୍ୟୁରୋ: ମୁଣ୍ଡବିନ୍ଧା କାରଣ ପାଲଟିଛି ମଣ୍ଡି । ପଶ୍ଚିମରୁ ଦକ୍ଷିଣ ଯେଉଁଠି ଦେଖିବେ ମଣ୍ଡି ସମସ୍ୟା । କେଉଁଠି ଟୋକେନ୍, କେଉଁଠି ଟାର୍ଗେଟ୍, ଆଉ କେଉଁଠି ସବୁ ଥାଇ ଧାନ ଉଠୁନି । କୋରାପୁଟ ବୈପାରିଗୁଡ଼ା ବ୍ଲକରେ ଦୀର୍ଘ ୫ ଦିନ ଧରି ମଣ୍ଡିରୁ ଧାନ ଉଠୁନି । ଶୀତ କାକରରେ ଚାଷୀ ଫସଲକୁ ଜଗି ବସିଛି । ମିଲର୍ସ ଓ ଲ୍ୟାମ୍ପସ୍ କର୍ମଚାରୀ ଆସୁନଥିବାରୁ ଧାନ ଉଠିପାରୁନଥିବା ଅଭିଯୋଗ ଆସିଛି ।
ଅନ୍ଧାର ଶୀତ କାକର ରାତି । ଗଦା ଗଦା ବସ୍ତା ଥୁଆ ହୋଇଛି । ଏ ବସ୍ତା ସବୁକୁ କିଛି ଲୋକ ଜଗି ବସିଛନ୍ତି । ଏମାନେ ହେଉଛନ୍ତି ଅସହାୟ ଚାଷୀ । ଯେଉଁ ଶୀତରେ ଘରୁ ବାହାରିବାକୁ ଭୟ ଲାଗୁଛି, ସେଥିରେ ଏମାନେ ଗାମୁଛା ଖଣ୍ଡେ ଘୋଡ଼ାଇ ହୋଇ ନିଜ ଅମଳକୁ ଜଗିଛନ୍ତି । ଏ ଚିତ୍ର ହେଉଛି ବୈପାରୀଗୁଡ଼ା ବ୍ଲକ ଦଶମନ୍ତପୁର ଧାନ ମଣ୍ଡିର ।
ଅଧିକ ପଢନ୍ତୁ: କଣ୍ଟ ପୂରିଲା ୮ଜିଲ୍ଲାରେ ଆରମ୍ଭ ହୋଇପାରିଲାନି ଧାନ କିଣା : ମାନିଲେନି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ତୁଟୁନି ମଣ୍ଡି ଝାମେଲା !
ଆସୁନାହାନ୍ତି କର୍ମଚାରୀ, ମିଲର୍ସଙ୍କ ଦେଖା ମିଳୁନି!
ଶୀତ କାକରରେ ଫସଲ ଜଗିଛି ଚାଷୀ
ଜାନୁଆରି ୧ରୁ କିଛି ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଟୋକନ ପାଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ମଣ୍ଡିରୁ ଧାନ ଉଠିପାରିନି । ଆଉ କିଛି ଚାଷୀ ଗତ ସୋମବାର ଠାରୁ ମଣ୍ଡିରେ ଧାନ ଗଦା କରି ରଖିଛନ୍ତି। କିନ୍ତୁ ମିଲର୍ସଙ୍କ ଦେଖା ମିଳୁନି । ଆର୍ଏମ୍ସି କିମ୍ବା ଲ୍ୟାମ୍ପ୍ସ କର୍ମଚାରୀ ମଧ୍ୟ ମଣ୍ଡିକୁ ଆସୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।
ମଣ୍ଡିରେ ୨ଶହ ଚାଷୀଙ୍କ ୯ ହଜାର କ୍ବିଣ୍ଟାଲ୍ ଧାନ ପଡ଼ିଛି। ଧାର ଉଧାର କରି ଚାଷ କରିଥିବା ଚାଷୀ ଏବେ ବିକ୍ରିକୁ ନେଇ ଚିନ୍ତାରେ ପଡ଼ିଛି । ତୁରନ୍ତ ମଣ୍ଡିରୁ ଧାନ ନଉଠିଲେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ମାସ୍ ନଥିବାରୁ ମଣ୍ଡିରୁ ଧାନ ଉଠା ଯାଇପାରିନାହିଁ, ଆସନ୍ତାକାଲି ସମସ୍ତ ଧାନ ଉଠିବ ବୋଲି କହିଛନ୍ତି ଲ୍ୟାମ୍ପସ କର୍ମଚାରୀ । ତୁରନ୍ତ ସରକାର ମଣ୍ଡି ସମସ୍ୟା ଦିଗରେ ଗୁରୁତ୍ବ ଦେଇ ପଦକ୍ଷେପ ନେବା ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/24/koraput-mandi-2026-01-24-18-53-19.png)