କନକ ବ୍ୟୁରୋ : ସାରା ରାଜ୍ୟରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ ।  କେଉଁଠି ମଣ୍ଡି ଖୋଲୁନି ତ କେଉଁଠି ଚାଷୀ ମଣ୍ଡି ଆଗରେ ଧାନ ଗଦାଇ ରଖିଛନ୍ତି ।  ମଣ୍ଡି ଖୋଲୁ ନଥିବାରୁ ବେପାରୀମାନେ ଗାଁ ଗାଁରେ ପଶି ଧାନ ଉଠାଉଛନ୍ତି । ଏପରି ସ୍ଥିତିକୁ ଦେଖି ଗତ ଡିସେମ୍ବର ୨୪ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଧାନକିଣା ପ୍ରକ୍ରିୟାର ସମୀକ୍ଷା କରିଥିଲେ ।  ଜାନୁଆରି ୧୦ ସୁଦ୍ଧା ୩୦ଟି ଯାକ ଜିଲ୍ଲାରେ ଧାନକିଣା ଆରମ୍ଭ କରିବାକୁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ, ଜାନୁଆରି ୧୦ କଣ୍ଟ ପୂରିଥିଲେ ବି ସବୁ ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇପାରିଲାନି କି ମଣ୍ଡି ଖୋଲିଲାନି ।  

Advertisment

ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀଙ୍କ ଅନୁଧ୍ୟାନ

ଯୋଗାଣ ବିଭାଗ, ସମବାୟ ବିଭାଗର ଅଧିକାରୀମାନେ ଖୋଲାଖୋଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବାଏଁବାଏଁ ଉଡ଼ାଇଦେଲେ ।  ଯେଉଁଥି ପାଇଁ ଖରିଫ ଋତୁରେ ରାଜ୍ୟ ସରକାର ୭୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଏବେ ସୁଦ୍ଧା ୧୭.୮୫ ଲକ୍ଷ ମେଟ୍ରିକ୍ ଟନ୍ ଧାନକିଣା ହୋଇଛି। ଯାହା ମୋଟ୍ ଟାର୍ଗେଟ୍‌ର ୨୪.୪୫% ।  ନଭେମ୍ବର ୧ରୁ ମାର୍ଚ୍ଚ ୩୧ ମଧ୍ୟରେ ରାଜ୍ୟ ସରକାର ଖରିଫ ଧାନ କିଣିବାକୁ ଟାର୍ଗେଟ୍ ରଖିଥିବାବେଳେ ଏବେ ବି ଏକ ଚତୁର୍ଥାଂଶ ଧାନ କିଣି ପାରିନାହାନ୍ତି ।  ମୁଖ୍ୟମନ୍ତ୍ରୀ ଧାନକିଣା ପ୍ରକ୍ରିୟାର ସମୀକ୍ଷା କରିବା ଦିନ ୧୭ଟି ଜିଲ୍ଲାରେ ମଣ୍ଡି ଖୋଲି ଧାନକିଣା ହେଉଥିଲା ।

 ଏହାପରେ ୧୮ଦିନ ବିତିଯାଇଥିଲେ ବି ଆଉ ମାତ୍ର ୫ଟି ଜିଲ୍ଲାରେ ଅର୍ଥାତ୍ ଆଜି ସୁଦ୍ଧା ୨୨ଟି ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇଛି ।  ଏବେବି ୮ଟି ଜିଲ୍ଲା ଯଥା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ଯାଜପୁର, ନୟାଗଡ଼, ଭଦ୍ରକ, ଢେଙ୍କାନାଳରେ ଧାନକିଣା ଆରମ୍ଭ ହୋଇପାରିଲାନି ।  ଏଥିରୁ ୫ଟି ଉପକୂଳ ଜିଲ୍ଲାରେ ଅଧିକ ଜଳସେଚିତ ଜମି ଥିବାବେଳେ ବହୁତ ଧାନ ଅମଳ ହୋଇଥାଏ ।  କେତେକ ଚାଷୀ ଧାନ ଅମଳ କରି ଖଳାରେ ପକାଇଛନ୍ତି, ନଚେତ ବେପାରୀ ଡାକି ଧାନ ବିକୁଛନ୍ତି। ହେଲେ ସରକାର ମଣ୍ଡି ଖୋଲିବା ନେଇ ପଦକ୍ଷେପ ନେଉନାହାନ୍ତି।
୮ ଜିଲ୍ଲାରେ ହେଲାନି ଧାନକିଣା
ରାଜ୍ୟରେ ସ୍ବାଭାବିକ ହେଉନି ଧାନକିଣା
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବି ମଣ୍ଡିରୁ ଉଠୁନି ଧାନ
ଜାରୁଆରି ୧୦ ସୁଦ୍ଧା ୩୦ ଜିଲ୍ଲାରୁ ଧାନ କିଣିବାକୁ କହିଥିଲେ ମୁଖ୍ୟମନ୍ତ୍ରୀ
ହେଲେ ୮ ଜିଲ୍ଲାରେ ଆରମ୍ଭ ହୋଇନି ଧାନକିଣା
ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳରେ ଧାନକିଣା ହୋଇନି
ଯାଜପୁର, ନୟାଗଡ଼, ଭଦ୍ରକ, ଢେଙ୍କାନାଳରେ ବି ସମାନ ସ୍ଥିତି
ଖରିଫ ଋତୁରେ ୭୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ ରଖିଥିଲେ ରାଜ୍ୟ ସରକାର
ବର୍ତ୍ତମାନ ସୁଦ୍ଧା ୧୭.୮୫ ଲକ୍ଷ ମେଟ୍ରିକ୍ ଟନ୍ ଧାନକିଣା ହୋଇଛି
ମୋଟ୍‌ ଟାର୍ଗେଟ୍‌ର ମାତ୍ର ୨୪.୪୫% ଧାନକିଣା ହୋଇଛି
ଧାନ ଉଠୁନଥିବାରୁ ବେପାରୀଙ୍କୁ ଧାନ ବିକୁଛନ୍ତି ଚାଷୀ
ଧାନକିଣାରେ ଅବ୍ୟବସ୍ଥା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ବିଭାଗୀୟ ମନ୍ତ୍ରୀ