କନକ ବ୍ୟୁରୋ : କେବେ ମିଳିବ ମଣ୍ଡି ସମସ୍ୟାରୁ ମୁକ୍ତି ? କେବେ ସରିବ ଚାଷୀଙ୍କ ସମସ୍ୟା ? ମାସେ ହେବ ଧାନ ବିକି ମଧ୍ୟ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସୁନି । ସମ୍ବଲପୁରରେ ୫ଶହରୁ ଅଧିକ ଚାଷୀଙ୍କୁ ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି । ସେପଟେ ରେଢାଖୋଲ ଓ କୁଚିଣ୍ଡାରେ ବିକ୍ରି ହୋଇନପାରି ପଡ଼ି ରହିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ । ଆଧାର ଓ ଆକାଉଣ୍ଟ ଲିଙ୍କ ହୋଇଛି । ଇ-କେୱାଇସି ବି ସରିଛି ତଥାପି ଆସୁନି ଟଙ୍କା । ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ।

Advertisment

ସମ୍ବଲପୁର ଜୟନ୍ତପୁରର ପ୍ରକାଶ କୁମାର ସ୍ବାଇଁ , ଗତ ଡିସେମ୍ବର ୪ତାରିଖରୁ ଧାନ ବିକ୍ରି କରିଥିଲେ ମଧ୍ୟ ଆକାଉଣ୍ଟରେ ପଡ଼ିନି ଟଙ୍କା । ଆଧାର ସିଡିଂ ହୋଇନଥିବାରୁ ଟଙ୍କା ଆସୁନଥିବା ପୋର୍ଟାଲରେ ଜଣାପଡ଼ୁଛି । କିନ୍ତୁ ପ୍ରକାଶଙ୍କର ଆଧାର ସେଡିଙ୍ଗ ହୋଇଛି, ଏମିତିକି ସମାନ ଆକାଉଣ୍ଟରେ ଗତ ବର୍ଷ ଗୁଡ଼ିକରେ ଟଙ୍କା ମଧ୍ୟ ପଡ଼ିଛି । ସରକାରୀ ତଥ୍ୟ ଅନୁସାରେ କେବଳ ସମ୍ବଲପୁର ଜିଲ୍ଲାରେ ୫୧୬ ଜଣ ଚାଷୀ ଧାନ ବିକ୍ରି କରି ମଧ୍ୟ ପାଇନାହାଁନ୍ତି ଟଙ୍କା । 

ଅଧିକ ପଢ଼ନ୍ତୁ---ଆଜି ବି କଇଁ କଇଁ କାନ୍ଦୁଛି 'କଳିଙ୍ଗନଗର' ; ୨୦ ବର୍ଷ ହେଲା ଶୁଖୁନି ଲୁହ

ଏପଟେ କୁଚିଣ୍ଡା ଓ ରେଢାଖୋଲରେ ବି ସ୍ଥିତି ସାଂଘାତିକ । ଏବେ ମଧ୍ୟ ଖୋଲା ଆକାଶ ତଳେ ପଡ଼ିରହିଛି ବସ୍ତା ବସ୍ତା ଧାନ । କୁଚିଣ୍ଡାରେ ୩ ଲକ୍ଷ ୫୧ ହଜାର ବସ୍ତା ଧାନ ପଡ଼ିରହିଛି । ରେଢ଼ାଖୋଲରେ ୧୮ ଜଣ ଚାଷୀଙ୍କ ୧୭୪୦ ବସ୍ତା ଧାନ ଉଠିନି । ଦ୍ବିତୀୟ ଟୋକନ ମିଳିଥିଲେ ସୁଦ୍ଧା ଅଧିକାଂଶ ଚାଷୀ ଧାନ ବିକ୍ରି କରିପାରିନାହାଁନ୍ତି । ଅନ୍ୟପଟେ ତୃତୀୟ ଟୋକନକୁ ନେଇ ଅନିଶ୍ଚିତତା ଲାଗି ରହିଛି । ତୃତୀୟ ଟୋକନ ଆସିବ ନା ନାହିଁ ତାର ଉତ୍ତର କାହା ପାଖରେ ନାହିଁ । ହାଡ଼ଭଙ୍ଗା ଶୀତରେ ରାତି ସାରା ନିଆଁ ଜାଳି ଧାନ ବସ୍ତା ଜଗି ରହୁଛନ୍ତି ଚାଷୀ । ଧାନ କିଣାବିକାରେ ସମସ୍ୟା ସରୁନଥିବା ବେଳେ ବିଭିନ୍ନ ମଣ୍ଡିରେ ଚାଷୀ ଆନ୍ଦୋଳନ କରୁଛନ୍ତି। ଆଗକୁ ସ୍ଥିତି ନ ସୁଧୁରିଲେ ବଡ଼ ଆନ୍ଦୋଳନର ଚେତାବନୀ ଦେଉଛନ୍ତି ଚାଷୀ ।