କନକ ବ୍ୟୁରୋ : ସୁନ୍ଦରଗଡ଼ ଓ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରୁ ବିସ୍ଫୋରକ ସାମଗ୍ରୀ ଜବତ ଘଟଣା । ୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଏନଆଇଏ । ପଥର ଖଣିକୁ ବିସ୍ଫୋରକ ପଠାଇବା ସମୟରେ ୪ହଜାର କେଜି ବିସ୍ଫୋରକ ଲୁଟ୍ ଘଟଣାରେ ୧୧ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆରୋପ ପତ୍ର ଦାଖଲ କରିଛି । ଏହି ୧୧ ଜଣଙ୍କ ବିରୋଧରେ ୟୁଏ(ପି) ଆକ୍ଟ, ବିଏନ୍‌ଏସ୍, ଆର୍ମ୍ସ ଆକ୍ଟ ର ବିଭିନ୍ନ ଧାରରେ ମାମଲା ରୁଜୁ କରାଯାଇଛି । ଏହି ୧୧ ମାଓବାଦୀ ଅପରାଧୀକ ଷଡଯନ୍ତ୍ର, ପ୍ରସ୍ତୁତି ଓ କାର୍ଯ୍ୟକରଣରେ ସକ୍ରିୟ ଭାବେ ଜଡିତ ଥିଲବା ତଦନ୍ତବେଳେ ଏନଆଇଏ ପ୍ରମାଣ ପାଇଛି । ୨୦ କିଲୋର ମୋଟ୍ ୨୦୦ ପ୍ୟାକେଟ୍ ଲୁଟ୍ ହୋଇଥିଲା । ୨୭ ମେ, ୨୦୨୫ରେ ବିସ୍ଫୋରକଗୁଡିକୁ ଇଟମା ବିସ୍ଫୋରକ ଷ୍ଟେସନ୍‌ରୁ ବାଙ୍କୋ ପାଥର ଖଣିକୁ ନିଆଯାଉଥିଲା । ସେତେବେଳେ ୧୦,୧୫ ଜଣ ଶସ୍ତ୍ରଧାରୀ ମାଓବାଦୀ ଗାଡିକୁ ଓ ଚାଳକଙ୍କୁ ଜବରଦସ୍ତି ଅପହରଣ କରି ନେଇଥିଲେ । ଘଟଣାରେ ପୁଲିସ ଓ ବିଏସଏଫ୍ ଜବାନଙ୍କ ଦ୍ବାରା ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । 

Advertisment

ଜୁନ୍‌ ମାସରେ ଏନ୍‌ଆଇଏ ଏହି ମାମଲାକୁ ସ୍ଥାନୀୟ ପୁଲିସ୍ ଠାରୁ ନେଇଥିଲା। ତଦନ୍ତରେ ପ୍ରକାଶ ପାଇଛି ଯେ ଏତେ ପରିମାଣର ବିସ୍ଫୋରକ ସରକାରୀ ଯନ୍ତ୍ରଣା, ବିଶେଷକରି ପୁଲିସ୍ ଓ ସୁରକ୍ଷାବାହିନୀମାନଙ୍କ ଉପରେ ଆତଙ୍କ ଘଟଣା ସୃଷ୍ଟି ପାଇଁ ମାଓବାଦୀଙ୍କ ଦ୍ୱାରା ଲୁଟ୍ କରାଯାଇଥିଲା । ଏହା ଦେଶର ସୁରକ୍ଷା ଓ ସ୍ଥିରତାକୁ ଅସ୍ଥିର କରିବା ପାଇଁ ଏକ ବଡ଼ ଷଡଯନ୍ତ୍ରର ଅଂଶ ଥିଲା ବୋଲି ଏନ୍‌ଆଇଏ ପକ୍ଷରୁ କୁହାଯାଇଛି । ଆରୋପପତ୍ର ଦାଖଲ କରାଯାଇଥିବା ୧୧ ଅଭିଯୁକ୍ତଙ୍କ ନାମ ହେଲା, ଜର୍ଜା ମୁଣ୍ଡା ଓରଫ କୁଲୁ ମୁଣ୍ଡା, ଅନ୍ମୋଲ ଓରଫ ସୁଶାନ୍ତ ଓରଫ ଲାଲଚନ୍ଦ ହେମ୍ବ୍ରମ, ରମେଶ ଓରଫ ପ୍ରିତମ ମଞ୍ଝି ଓରଫ ଅନଲ ଦା, ପିଣ୍ଟୁ ଲୋହରା ଓରଫ ଟିଗର, ଲାଲଜିତ ଓରଫ ଲାଲୁ, ଶିବ ବୋଦ୍ରା ଓରଫ ଶିବୁ, ଅମିତ ଓରଫ ସୁଖଲାଲ ମୁଣ୍ଡା, ରବି ଓରଫ ବିରେନ ସିଂହ, ରାଜେଶ ଓରଫ ମାନ୍ସିଦ, ସୋହନ ଓରଫ ରଙ୍ଗା ପୁନେମ,ଏବଂ ଅପ୍ତନ ଓରଫ ଚନ୍ଦ୍ରମୋହନ ହାନ୍ସଦ । NIA ଏହି ମାମଲାର ତଦନ୍ତ ଜାରି ରଖିଛି ।

ଅଧିକ ପଢ଼ନ୍ତୁ :ଓଭରବ୍ରିଜ୍ ପାଇଁ ଚାହିଁବସିଛନ୍ତି ରାଜଗାଙ୍ଗପୁର ବାସୀ । କାମ ଆରମ୍ଭ ନହେଉଣୁ ବିବାଦ