ଚିନ୍ତା ବଢ଼ାଇଲା ଚଳନ୍ତା ଗାଡ଼ିରେ ଚାଳକଙ୍କ ହୃଦଘାତ, ଗାଡ଼ି ଚଳାଇବାବେଳେ ହୃଦଘାତରେ ଯାଉଛି ଡ୍ରାଇଭରଙ୍କ ଜୀବନ

ବିଜୟନଗରମରୁ ମାଲକାନଗିରି ଆସୁଥିବାବେଳେ ଘଟିଲା ଅଘଟଣ ।

Heart Attack

Heart Attack Photograph: (KanakNews)

କନକ ବ୍ୟୁରୋ: ପୁଣି ଚଳନ୍ତା ବସ୍‌ରେ ହୃଦଘାତ ହୋଇ ଡ୍ରାଇଭରଙ୍କ ମୃତ୍ୟୁ । ଅଳ୍ପକେ ବର୍ତ୍ତିଲା ପ୍ରାୟ ୩୦ ଯାତ୍ରୀଙ୍କ ଜୀବନ । କିଛି ଦିନ ତଳେ ଖୋର୍ଦ୍ଧା ଓ କୁଚିଣ୍ଡା ପରେ ଆଜି କୋରାପୁଟର ଏ ଘଟଣା ଡ୍ରାଇଭରଙ୍କ ସ୍ବାସ୍ଥ୍ୟ ଓ ଯାତ୍ରୀଙ୍କ ନିରାପତ୍ତାକୁ ନେଇ ଚିନ୍ତା ବଢ଼ାଇଛି । ଅନ୍ୟ ପଥଚାରୀ ଓ ଯାନବାହନର ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି । ଏଥିପ୍ରତି ପରିବହନ ବିଭାଗ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।     
 
ଇଏ ଆଜିର ଅଘଟଣ । କୋରାପୁଟ ସୁନାବେଡ଼ାର ଦୁମୁରିପୁଟ୍, ଭୋର୍ ୫ଟା । ବିଜୟନଗରମରୁ ମାଲକାନଗିରି ଆସୁଥିଲା ଓଏସ୍‌ଆର୍‌ଟିସି ବସ୍ । ଅଚାନକ ହୃଦଘାତର ଶିକାର ହୋଇଥିଲେ ବସ୍ ଚାଳକ ପି. ସାଇକ୍ରିଷ୍ଣା । ବହୁ କଷ୍ଟରେ ବସ୍ ଅଟକାଇ ଦେବାରୁ ପ୍ରାୟ ୩୦ ଯାତ୍ରୀଙ୍କ ଜୀବନ ବଞ୍ଚିଗଲା ସତ, କିନ୍ତୁ ନିଜେ ବଞ୍ଚିଲେନି ଡ୍ରାଇଭର୍ । କୋରାପୁଟ ମେଡିକାଲରେ ପ୍ରାଣ ହରାଇଛନ୍ତି ସାଇକ୍ରିଷ୍ଣା । 

ଅଧିକ ପଢନ୍ତୁ : ରାତିରେ ଲାଇଟ୍ ଜାଳି ଶୋଉଥିଲେ ସାବଧାନ ! ବଢ଼ିପାରେ ହୃଦଘାତ ବିପଦ
ଗତ ୧ ତାରିଖରେ ଖୋର୍ଦ୍ଧା ବୋଲଗଡ଼ରେ ବି ଘଟିଥିଲା ସମାନ ଘଟଣା । ୪୦ ଯାତ୍ରୀଙ୍କୁ ଧରି ଭଞ୍ଜନଗର ଯାଉଥିବା ଘରୋଇ ବସ୍ ଚାଳକଙ୍କ ଛାତିରେ ଯନ୍ତ୍ରଣା ହେବାରୁ, ସେ ବସ୍ ଅଟକାଇ ତଳକୁ ଓହ୍ଲାଇ ପଡ଼ିଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।  ଗତମାସ ସମ୍ୱଲପୁର କୁଚିଣ୍ଡାରେ ଚଳନ୍ତା କାର୍‌ରେ ଡ୍ରାଇଭର୍‌ ହୃଦଘାତର ଶିକାର ହୋଇ ପ୍ରାଣ ହରାଇବା ପରେ, ପଛ ସିଟ୍‌ରୁ ମାଆ-ଝିଅଙ୍କୁ ଉଦ୍ଧାର କରିଥିଲେ ଲୋକେ ।

 ଅଧିକ ପଢନ୍ତୁ : ବଢୁଛି ହୃଦଘାତ ମାମଲା, ଭୟରେ ଲୋକେ । ହାର୍ଟ ଚେକଅପ୍ ପାଇଁ କର୍ଣ୍ଣାଟକର ବିଭିନ୍ନ ହସ୍ପିଟାଲରେ ଲମ୍ବା ଲାଇନ୍

ସେହିପରି ବେଙ୍ଗଳୁରୁର ଏ ଛାତିଥରା ଭିଡିଓକୁ । ଡ୍ରାଇଭରଙ୍କୁ ହାର୍ଟଆଟାକ୍ ପରେ ୯ଟି ଗାଡ଼ିକୁ ଧକ୍କା ଦେଇଥିଲା ବସ୍ । ହୃଦଘାତ କେତେବେଳେ ଆସିବ କାହାକୁ ଜଣାନଥାଏ । କିନ୍ତୁ ଚଳନ୍ତା ଗାଡ଼ିରେ ଡ୍ରାଇଭରଙ୍କୁ ହୃଦଘାତ କେବଳ ସେହି ଗାଡ଼ିର ଯାତ୍ରୀ ନୁହଁନ୍ତି, ରାସ୍ତାରେ ଯାଉଥିବା ଲୋକଙ୍କୁ ବି ବିପଦରେ ପକାଉଛି । ପ୍ରଶ୍ନ ଉଠୁଛି ଚାପରେ ରହି ଡ୍ୟୁଟି କରୁଛନ୍ତି କି ଚାଳକ? ସେମାନଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉନି କି? ଏ ଦିଗରେ ପରିବହନ ବିଭାଗ ଗୁରୁତ୍ବ ଦେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe