କନକ ବ୍ୟୁରୋ : କର୍ଣ୍ଣାଟକରେ ହୃଦଘାତଜନିତ ମାମଲା ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ଭିତରେ ଛନକା  ପଶିଛି  ।  ହୃଦଘାତ ଭୟରେ ସାଧାରଣ ଲୋକ ହାର୍ଟ ଚେକଅପ କରିବା ପାଇଁ ହସ୍ପିଟାଲରେ ଲମ୍ୱା ଧାଡି କରିଥିବା ଦେଖିବାକୁ ମିଳିଛି ।  କର୍ଣ୍ଣାଟକ ମହୀଶୂର ସ୍ଥିତ ଜୟଦେବ ହସ୍ପିଟାଲରେ ଏଭଳି ଲମ୍ବା ଲାଇନ ଦେଖିବାକୁ ମିଳିଛି ।  ଶହ ସହ ସଂଖ୍ୟାରେ ଲୋକ ଚେକଅପ୍‌  କରିବା ପାଇଁ ଲମ୍ୱା ଧାଡ଼ିରେ ଠିଆ ହୋଇଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି  କାର୍ଡିଓଲୋଜି ବିଭାଗର ଡାକ୍ତରଙ୍କୁ ଦେଖା କରିବା ପାଇଁ ଶହଶହ ସଂଖ୍ୟାରେ ଲୋକ ଆସି ହସ୍ପିଟାଲରେ ପହଞ୍ଚୁଛନ୍ତି  ଯେଉଁଥି ପାଇଁ ସମସ୍ୟା ଉପୁଜୁଛି ଏବଂ ପୂର୍ବରୁ ଭର୍ତ୍ତି ହୋଇଥିବା ହାର୍ଟ ରୋଗୀଙ୍କର ଚିକିତ୍ସାକୁ ପ୍ରାଥମିକତା ଦେବା କଷ୍ଟକର ହୋଇପଡୁଛି ।

Advertisment

ସୂଚନା ମୁତାବକ, କର୍ଣ୍ଣାଟକର ହାସନ ଜିଲ୍ଲାରେ ହଠାତ୍ ହୃଦ୍‌ଘାତ ମାମଲା ବଢୁଥିବାରୁ ଲୋକଙ୍କ ଭିତରେ ହୃଦ୍‌ଘାତ ଭୟ ବଢ଼ିଛି । ହାସନ ଜିଲ୍ଲାରେ ଗତ ୪୦ ଦିନରେ ୨୩ ଜଣଙ୍କର ହୃଦଘାତରେ ପ୍ରାଣ ଯାଇଛି । ସେମାନଙ୍କର ମଧ୍ୟରୁ ୬ ଜଣଙ୍କ ବୟସ ୧୯ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ୮ ଜଣ ୨୫ରୁ ୪୫ ବର୍ଷ ଭିତରେ ହୋଇଥିବା ସୂଚନା ରହିଛି । ଅନ୍ୟପଟେ ହସ୍ପିଟାଲ କର୍ତ୍ତୃପକ୍ଷ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷ ଏକଥା ମଧ୍ୟ କହିଛନ୍ତି କେବଳ ଚେକଅପ୍‌ କଲେ ହେବ ନାହିଁ ଏଥିପାଇଁ ଉତ୍ତମ ଜୀବନଶୈଳୀ, ସ୍ବାସ୍ଥ୍ୟକର ଖାଦ୍ୟ, ନିୟମିତ ବ୍ୟାୟାମ ଅତ୍ୟନ୍ତ ଜରୁରୀ  ।  ଏପରିସ୍ଥିତି ଉପୁଜିବା ପଛରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବୟାନ ବେଶ୍‌ ଗୁରୁତ୍ବ ବହନ କରୁଛି। ମୁଖ୍ୟମନ୍ତ୍ରୀ କହିଥିଲେ, କରୋନା ଟିକାକୁ ତରବରିଆ ଭାବରେ ମଞ୍ଜୁରୀ ଦିଆଯିବା ଯୁବବର୍ଗ ମଧ୍ୟରେ ଅଚାନକ ହେଉଥିବା ମୃତ୍ୟୁର କାରଣ । ଏହି ବୟାନ ଲୋକଙ୍କ ଭିତରେ ଭୟ ବଢ଼ାଇଥିଲା। କିନ୍ତୁ ଏ ବାବଦରେ ଆଇସିଏମଆର   ଏବଂ ଏମ୍ସ ପକ୍ଷରୁ କରାଯାଇଥିବା ଷ୍ଟଡିରୁ ସ୍ପଷ୍ଟ ହୋଇସାରିଛି କି ଯୁବାବସ୍ଥାରେ ହେଉଥିବା  ହାର୍ଟଆଟାକ୍‌ ଏବଂ କୋଭିଡ ଟିକା ମଧ୍ୟରେ କୌଣସି ଲିଙ୍କ୍‌ ନାହିଁ।