କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ପାଲଟପୁର ପଞ୍ଚାୟତ ପାଇଁ ପ୍ରତିଶେଧକ ବ୍ୟବସ୍ଥା କରିଛି ପ୍ରଶାସନ। ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ନିଆଯାଇଛି ପଦକ୍ଷେପ। କନକ ନ୍ୟୁଜରେ ପାଲଟପୁର ପଞ୍ଚାୟତରେ ବ୍ୟାପୁଥିବା କିଡନି ଓ କ୍ୟାନ୍ସର ରୋଗୀଙ୍କ ଖବର ପ୍ରସାରଣ ପରେ ସଜାଗ ହୋଇଛନ୍ତି ପ୍ରାଶାସନିକ ଅଧିକାରୀ। ଗାଁ ଗାଁରେ ବୁଲୁଛନ୍ତି। ପ୍ରତିଦିନ ପ୍ରତିଟି ଘଟଣା ଉପରେ କଡ଼ା ନଜର ରଖିଛନ୍ତି। ଜିଲ୍ଲା ପାନୀୟ ଜଳ ବିଭାଗ ପକ୍ଷରୁ ୧୬୦ଟି ନଳକୂପରୁ ଜଳ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ସେହି ରିପୋର୍ଟ ଆଧାରରେ ୯୦ଟିରେ ରହିଛି ରାସାୟନିକ ପଦାର୍ଥ। ଆସେନିକ୍, ଲିଡ଼, କ୍ୟାଡ଼ମିୟମ୍, ମାଙ୍ଗାନିଜ, ଆଇରନ, ଭଳି ବିଷାକ୍ତ ରାସାୟନିକ ପଦାର୍ଥ ଥିବାରୁ ସେଗୁଡ଼ିକୁ ସିଲ୍ କରାଯାଇଛି। ନଳ କୂପରେ ମରାଯାଇଛି ସତର୍କ ସୂଚନା। ଲେଖା ଯାଇଛି ଏହି ପାଣି ବ୍ୟବହାର ଯୋଗ୍ୟ ନୁହେଁ।
ଅଧିକ ପଢ଼ନ୍ତୁ : ସ୍ୱାସ୍ଥ୍ୟସେବା ଯୋଗାଇବାରେ ବିଫଳ ସ୍ୱାସ୍ଥ୍ୟବିଭାଗ, ଯାଜପୁର ବରୀରେ ସୁରକ୍ଷାକର୍ମୀଙ୍କ ହାତରେ ସ୍ୱାସ୍ଥ୍ୟସେବା
ସବୁ ଗାଁରେ ସ୍ୱଚ୍ଛ ଆଉ ଶୁଦ୍ଧ ପିଇବା ପାଣିର ବ୍ୟବସ୍ଥା କରୁଥିବା ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ପାଲଟପୁର ପଞ୍ଚାୟତରେ ମାଟି ତଳ ପାଣି ବିଷ ପାଲଟିଛି। ୧୦ ବର୍ଷ ମଧ୍ୟରେ କିଡ୍ନି ଓ କର୍କଟ ରୋଗରେ ଗଲାଣି ୧୧୨ ଜୀବନ। ଶତାଧିକ ଲୋକ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ୬୦ ଜଣ କିଡନି ରୋଗରେ ପ୍ରାଣ ହରାଇଥିବା ବେଳେ ୫୨ ଜଣ କର୍କଟ ରୋଗରେ ଆଖି ବୁଜିଛନ୍ତି। ଯୁବକ ହେଉ କି ବୟସ୍କ, କେହି ବି ବର୍ତ୍ତୁନାହାନ୍ତି। ମାରାତ୍ମକ ରୋଗ ପଛର ମୂଳ କାରଣ ପାନୀୟ ଜଳ ବୋଲି ଜାଣିବା ପରେ ଏବେ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି। ମାତ୍ର ୪ଟି ଟ୍ୟାଙ୍କରରେ ଯୋଗାଇ ଦିଆଯାଉଥିବା ପାଣି ପର୍ଯ୍ୟାପ୍ତ ହେଉନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।
ଅନ୍ୟପଟେ ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ କହିଛନ୍ତି, ପାଣି ସମସ୍ୟା ସଂପର୍କରେ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି। ହେଲେ ଆଗରୁ କେହି ଶୁଣୁନଥିଲେ। ସେପଟରେ ଖୁବ୍ ଶୀଘ୍ର ପାଣି ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଆରଡବ୍ଲୁଏସ୍ଏସ୍ ଜେଇ।
ଅଧିକ ପଢ଼ନ୍ତୁ : ସ୍ତବ୍ଧ କରିଦେଲା ଜଗତସିଂହପୁର, ମାଲକାନଗିରି ଓ ଯାଜପୁର ଘଟଣା ; ତିନି ଜାଗାରେ ଗଣଦୁଷ୍କର୍ମର ଶିକାର ହେଲେ ୩ ଝିଅ
ନଳକୂଅରୁ ବାହାରୁଥିବା ପାଣିରେ ପ୍ରଚୁର ପରିମାଣରେ ଲୌହସାର ଏବଂ ଅନ୍ୟାନ୍ୟ ଦୂଷିତ ତତ୍ତ୍ୱ ରହିଛି। ଅନ୍ୟ କୌଣସି ବିକଳ୍ପ ସୁବିଧା ନଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ସେହି ପାଣି ବ୍ୟବହାର କରିଥାନ୍ତି। ପାଣି ଦୂଷିତ ବୋଲି ପ୍ରଶାସନ ପାଖରେ ପୂର୍ବରୁ ରିପୋର୍ଟ ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା। ଶହଶହ ଲୋକଙ୍କ ଜୀବନ ଯିବା ପରେ ପ୍ରଶାସନ ଆଖି ଖୋଲିଛି।
Follow Us