କନକ ବ୍ୟୁରୋ: ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । ମହିଳା ନିର୍ଯାତନା ଏବେ ଓଡ଼ିଶା ପାଇଁ ନୂଆ ସଙ୍କଟ ହୋଇ ଛିଡ଼ା ହେଲାଣି । ରାତି ପାହିଲେ ଗଣଦୁଷ୍କର୍ମ ଓ ଅସଦାଚରଣ ଗଣମାଧ୍ୟମର ଶିରୋନାମା ପାଲଟୁଛି । ଯେଉଁ କାରଣରୁ ମହିଳାଙ୍କ ମନରେ ପ୍ରଶ୍ନ ଉଠିଲାଣି, ସତରେ କ’ଣ ଓଡ଼ିଶା ଆମ ପାଇଁ ଏତେ ଅସୁରକ୍ଷିତ?

Advertisment
  • ଯାଜପୁର ଓ ମାଲକାନଗିରିରେ ଗଣଦୁଷ୍କର୍ମ
  • ପୁରୀରେ ମନ୍ଦିରରୁ ଫେରୁଥିବା ବେଳେ ଅସଦାଚରଣ
  • ପ୍ରଶ୍ନଘେରରେ ମହିଳା ସୁରକ୍ଷା 

ଉପକୂଳରୁ ଉପାନ୍ତ ସବୁଠି ଅସୁରକ୍ଷିତ ମହିଳା । ଜଗତସିଂହପୁର ପରେ ମାଲକାନଗିରିର ଗଣଦୁଷ୍କର୍ମ ଘଟଣା ପୂରା ଓଡ଼ିଶାକୁ ଦୋହଲାଇ ଦେଇଛି । ଯୌନଲାଳସାକୁ ଚରିତାର୍ଥ କରିବାକୁ ରାକ୍ଷସ ପାଲଟି ଯାଇଛନ୍ତି ଯୁବକ । କାକୁତିମିନତି ହୋଇ ନାବାଳିକା ନେହୁରା ହୋଇଥିଲେ ମଧ୍ୟ ଶୁଣିନଥିଲେ ସୈତାନ । ଗୋଟିଏ ଦିନରେ ୨ ଥର ଦୁଷ୍କର୍ମର ଶିକାର ହୋଇଥିଲେ ପୀଡ଼ିତା । ପ୍ରଥମେ ୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ । ପରେ ଟ୍ରକ ଡ୍ରାଇଭର ମଧ୍ୟ ସୁଯୋଗ ପାଇବା ପରେ ପିଶାଚ ପାଲଟି ଯାଇଥିଲା । ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି ସତ କିନ୍ତୁ ଏଭଳି ଅଭାବନୀୟ ଘଟଣା ପାଇଁ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ସେପଟେ ଯାଜପୁରରେ ମଧ୍ୟ ନାବାଳିକା ଗଣଦୁଷ୍କର୍ମ ଘଟଣା ମହିଳା ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନଚିହ୍ନ ଛିଡ଼ା କରିଛି । ନାବାଳିକା କ୍ରୀଡ଼ାବିତଙ୍କୁ ଜୋରଜବରଦସ୍ତି ସାଥୀରେ ନେଇ ୩ ଜଣ କୋଚ୍ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପୀଡ଼ିତାଙ୍କ ମା’ ଏନେଇ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଏହାକୁ ଚାପି ଦେବାକୁ ଜୋରସୋରରେ ଉଦ୍ୟମ ହୋଇଥିଲା । ଯାହାକୁ ନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିବା ସହ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ବିରୋଧୀ ।

ସେହିପରି ପୁରୀ କଣ୍ଠପୁରରେ ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଅସଦାଚରଣର ଶିକାର ହୋଇଛନ୍ତି ୩ ଭଉଣୀ । ଅନ୍ଧାରର ସୁଯୋଗ ନେଇ ବସ୍‌ଷ୍ଟାଣ୍ଡ୍‌ ପାଖରେ ଅଶାଳୀନ ବ୍ୟବହାର କରିଥିଲେ ଦୁର୍ବୃତ୍ତ । ତେବେ ରାସ୍ତାଘାଟ, ବଜାର, ମନ୍ଦିର, ଶିକ୍ଷାନୁଷ୍ଠାନ... ଏସବୁ ସ୍ଥାନ ମହିଳାଙ୍କ ପାଇଁ ଧୀରେ ଧୀରେ ଅସୁରକ୍ଷିତ ହୋଇ ପଡ଼ିଲାଣି । ଘରୁ ପଦାକୁ ପାଦ କାଢ଼ିବାକୁ ଭୟ କଲେଣି ମହିଳା ।