କନକ ବ୍ୟୁରୋ : ରୋଗୀ ମାନଙ୍କ ଚିକିତ୍ସା ନିମନ୍ତେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଛି ୫ ଗୋଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର। ବାଲିଆ. ଅଂଗାଳ, କଳାମାଟିଆ, ରତ୍ନଗିରି ଓ କୃଷ୍ଣନଗର ୫ ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର। ସବୁଠି ରୋଗୀ ମାନେ ସଠିକ୍ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । କେଉଁଠି ଡାକ୍ତରଙ୍କ ଦେଖା ନାହିଁ ତ କେଉଁଠି ତାଲା ଝୁଲୁଛି । କେଉଁଠି ଡାକ୍ତର ନ ଆସିବାରୁ ଫାର୍ମାସିଷ୍ଟ ରୋଗୀ ଦେଖୁଛନ୍ତି ତ କେଉଁଠି ସିକୁରିଟି ଗାର୍ଡ କିମ୍ବା ସୁଇପର ଡ୍ରେସିଂ କରୁବା ଦୃଶ୍ୟ ବହୁବାର ସମ୍ନାକୁ ଆସିଛି। ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କଥା କହିଲେ ନ ସରେ। ଏଠି ସକାଳ ୭ ଟା ରୁ ୧୨ ଟା ପର୍ଯ୍ୟନ୍ତ ରୋଗୀ ମାନେ ସେବା ପାଇବାର ନିୟମ ରହିଥିବା ବେଳେ କର୍ମଚାରୀ ମାନେ ନିୟମ କୁ ବେ ଖାତିର କରି ନିଜ ଇଛାରେ ଆସନ୍ତି ସ୍ୱାସ୍ଥ୍ୟକେନ୍ଦ୍ରକୁ । ଆଜି ରୋଗୀ ମାନେ ସବୁଦିନ ପରି ସକାଳ ୭ ଟା ରୁ ଆସି ବସି ବସି କିଛି ରୋଗୀ ଫେରି ଯାଇଥିବା ବେଳେ କିଛି ରୋଗୀ ଡାକ୍ତର ଙ୍କୁ ଅପେକ୍ଷା କରି ରହିଥିଲେ। ଡ଼ାକ୍ତର ଶିବାନୀ ଦାସ ସବୁଦିନ ପରି ଆସିଥିଲେ ୯ ଟା ପରେ । ସେହିପରି ଫାର୍ମାସିଷ୍ଟ ୧୦ ଟା ପର୍ଯ୍ୟନ୍ତ ଆସିନଥିଲେ। ଯାହାକୁ ନେଇ ସ୍ଥାନୀୟ ରୋଗୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇ କ୍ଷୋଭ ପ୍ରକାଶ କରିଛନ୍ତି ।
ଗ୍ରାମାଞ୍ଚଳରେ ଲୋକମାନେ ଉତ୍ତମ ସ୍ବାସ୍ଥ୍ୟସେବା ପାଇବା ପାଇଁ ସ୍ଥାନୀୟ ଲୋକ ମାନଙ୍କ ପ୍ରଚେଷ୍ଟାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଛି । ଏଠି ସେବା ଯୋଗାଇ ଦେବାକୁ ଜଣେ ଡାକ୍ତର ଜଣେ ଫାର୍ମାସିଷ୍ଟ ଜଣେ ନର୍ସିଂ ଅଫିସର ଓ ଦୁଇ ଜଣ ଆଟେନାନ୍ସ ଜଣେ ସିକୁରିଟି ଗାର୍ଡ ଓ ଜଣେ ଲାବ୍ରୋଟୋରି ଟେକ୍ନିସିଆନ ଓ ଜଣେ ସାନିଟାରୀ ୱାର୍କର ନିଯୁକ୍ତି ପାଇଛନ୍ତି । ଡ଼ାକ୍ତର ଶିବାନୀ ଦାଶ ସଠିକ୍ ସମୟରେ ନ ଆସିବାରୁ ଅନ୍ୟ କର୍ମଚାରୀ ମାନେ ମଧ୍ୟ ନିଜ ଇଛା ଅନୁସାରେ ଆସିଥାନ୍ତି। ଯେଉଁଥିପାଇଁ ସ୍ଥାନୀୟ ରୋଗୀ ମାନେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ରୁ ଫେରି ଅଲିପୁର ନଚେତ୍ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯାଇଥାନ୍ତି । ଅନ୍ୟପଟେ ସରକାରଙ୍କ ପକ୍ଷରୁ ରୋଗୀ ମାନଙ୍କ ପାଇଁ ମାଗଣା ଔଷଧ ଦିଆଯିବାର ବ୍ୟବସ୍ଥା ରହିଥିବା ବେଳେ ଏଠି ବାହାରୁ ଔଷଧ କିଣିବାକୁ କର୍ମଚାରୀ ମାନେ ବାଧ୍ୟ କରୁଥିବା ଅଭିଯୋଗ ହେଉଛି। ବରୀ ଅଞ୍ଚଳର ସ୍ବାସ୍ଥ୍ୟ ବିଭାଗର ଏଭଳି ଚିତ୍ର ଉପରେ କୌଣସି ରାଜନୈତିକ ଦଳ କିମ୍ବା ପ୍ରଶାସନିକ ଅଧିକାରୀ ମାନଙ୍କର ନଜର ରହୁ ନାହିଁ। ତେଣୁ ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।