କନକ ବ୍ୟୁରୋ : ବିପଦରେ ବିରଳ ବୌଦ୍ଧ କୀର୍ତ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ବିଶ୍ୱ ପ୍ରସିଦ୍ଧ ବୌଦ୍ଧ କୀର୍ତ୍ତିରାଜିର ଅନନ୍ୟ କ୍ଷେତ୍ର ହେଉଛି ଲାଙ୍ଗୁଡ଼ି, ଯାହା ପଛରେ ରହିଛି ଅଢ଼େଇ ହଜାର ବର୍ଷର ଇତିହାସ । ସୁରକ୍ଷା, ଗବେଷଣା ଓ ପର୍ଯ୍ୟଟନର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହି ସ୍ଥାନଟି ପାଲଟିଗଲାଣି ଭଗ୍ନ ସ୍ତୁପ ।

Advertisment

ଲାଙ୍ଗୁଡି ପାହାଡ଼ ବଖାଣେ ବୌଦ୍ଧ କୀର୍ତ୍ତିରାଜିର କଥା । ପର୍ଯ୍ୟଟନ ମାନଚିତ୍ରରେ ମଧ୍ୟ ରହିଛି ଏହାର ଯଥେଷ୍ଟ ଗୁରୁତ୍ୱ । କିନ୍ତୁ ରକ୍ଷଣାବେକ୍ଷଣ ଅଭାବ କାରଣରୁ ନିଜର ପରିଚୟ ହରାଇବାକୁ ବସିଲାଣି ଏହି ଭଗ୍ନସ୍ତୁପ । ରାସ୍ତା ଘାଟ, ଆଲୋକୀକରଣ, ପାନୀୟ ଜଳ ଭଳି ସର୍ବନିମ୍ନ ମୌଳିକ ବ୍ୟବସ୍ଥା ବି ଏଠି ନାହିଁ । ଯେଉଁଠି ଦିନେ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଥିଲା, ଆଜି ସେଠାରୁ ପର୍ଯ୍ୟଟକ ମାନେ ମୁହଁ ଫେରାଇ ନେଉଛନ୍ତି ।

ଅଧିକ ପଢ଼ନ୍ତୁ : ପୁରାତତ୍ତ୍ୱ ଇତିହାସର ଗନ୍ତାଘର ମୟୂରଭଞ୍ଜ; ମାଟି ତଳୁ ମିଳିଲା ପଥର ହତିଆରର ଅବଶେଷ

ଏଠାରେ ଉତ୍‌ଖନନ କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ୨୦୦୧ ପର ଠାରୁ ତାହା ବି ବନ୍ଦ ରହିଛି । ସେତେବେଳେ ଏଠାରୁ ବାହାରିଥିବା ବୌଦ୍ଧ ଯୁଗୀୟ ପ୍ରସ୍ତର ମୂର୍ତ୍ତି ରାଜ୍ୟ ସଂଗ୍ରହାଳୟକୁ ସ୍ଥାନାନ୍ତର କରାଯାଇଛି । ଆଉ ବାକି ଯାହା କିଛି ରହିଛି, ତାହା ଏବେ ଖରା ବର୍ଷାରେ ପଡ଼ିରହି ନଷ୍ଟ ହେବାକୁ ବସିଲାଣି । ଏସବୁର ସର୍ବାଙ୍ଗିନ ବିକାଶ ପାଇଁ ସରକାର ତତ୍ପରତା ଦେଖାଇବାର ଆବଶ୍ୟକତା ରହିଛି ।

ଲାଙ୍ଗୁଡ଼ିକୁ ନେପାଳ, ଭୁଟାନ, ବାରଣାସୀ, ଗୟାରୁ ବୌଦ୍ଧ ଧର୍ମାବଲମ୍ବୀମାନେ ଆସିଥାନ୍ତି । ଏହାର ବୌଦ୍ଧ କୀର୍ତ୍ତି ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ବୋଲି ଐତିହାସିକ ମାନେ ମତ ଦିଅନ୍ତି । ହେଲେ ରକ୍ଷଣାବେକ୍ଷଣ ଅଭାବ ଓ ପର୍ଯ୍ୟଟନ ବିଭାଗର ଉଦାସୀନତା କାରଣରୁ ଏହି ପ୍ରସ୍ତର ମୂର୍ତ୍ତିଗୁଡ଼ିକ ନିଜର ଚମକ ହରାଇବା ସହ ଭଗ୍ନସ୍ତୁପରେ ପରିଣତ ହେବାକୁ ବସିଲାଣି ।