କନକ ବ୍ୟୁରୋ : ତୁଟୁନି ସରକାର ଓ ଡାକ୍ତରଙ୍କ ମଧ୍ୟରେ ବିବାଦ । ଏସ୍‌ମା ଲାଗୁ ପରେ ବି ଚାଲିଛି ୨ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ହନ୍ତସନ୍ତ ହେଉଛନ୍ତି ରୋଗୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଦୟନୀୟ ସ୍ଥିତି । ପ୍ରଶ୍ନ ଉଠୁଛି, ସରକାର ଓ ଡାକ୍ତରଙ୍କ କଳି ଭିତରେ କାହିଁକି ପେସି ହେବେ ରୋଗୀ ? ଆଇନଜୀବୀଙ୍କ ମତରେ ନିୟମ ନମାନିଲେ ଆନ୍ଦୋଳନ କରୁଥିବା ଡାକ୍ତରଙ୍କୁ ଗିରଫ କରାଯାଇପାରିବ ।

Advertisment

ଡାକ୍ତର ଆନ୍ଦୋଳନ ରୋକିବାକୁ କଠୋର ସରକାର । ୬ ମାସ ପାଇଁ ଲାଗୁ କରାଯାଇଛି ଏସ୍‌ମା । ହେଲେ ୧୦ ଦଫା ଦାବି ପୂରଣ ପାଇଁ ଅଡ଼ି ବସିଛନ୍ତି ଡାକ୍ତର । ସରକାରଙ୍କ କଟକଣାକୁ ଖାତିର ନକରି ଚଳାଇଛନ୍ତି ୨ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ । ସରକାର ଯଦି ଏସ୍‌ମା ଲଗାଇ ଗିରଫ କରିବାକୁ ଚାହୁଁଛନ୍ତି, ସେଥିପାଇଁ ମଧ୍ୟ ପ୍ରସ୍ତୁତ ଥିବା କହିଛି ସଂଘ । ଆଇନଜୀବୀଙ୍କ ମତରେ ରୋଗୀ ସେବାରେ ବ୍ୟାହତ ହେଲେ ଜୀବନହାନି ହେବାର ଆଶଙ୍କା ରହିଛି । ନିୟମ ନମାନିଲେ ଆନ୍ଦୋଳନ କରୁଥିବା ଡାକ୍ତରଙ୍କୁ ଗିରଫ କରାଯାଇପାରିବ । ଜାମିନ ମିଳିବାରେ ମଧ୍ୟ ଅସୁବିଧା ହୋଇପାରେ ।

ଅଧିକ ପଢ଼ନ୍ତୁ : ଡାକ୍ତରଙ୍କ ୨ ଘଣ୍ଟା ଓପିଡି ବନ୍ଦ ଯୋଗୁ ହନ୍ତସନ୍ତ ଲୋକେ : ସକାଳ ୯ରୁ ୧୧ ପର୍ଯ୍ୟନ୍ତ ଓପିଡି ବନ୍ଦ

କଟକ, ପୁରୀ, ବାଲେଶ୍ବର, ବ୍ରହ୍ମପୁର । କେବଳ ଏହି ୪ଟି ସ୍ଥାନ ନୁହଁ । ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ ସ୍ଥିତି ସମାନ । ସବୁଠି ଦିନ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଓପିଡି ସେବା ବନ୍ଦ । ସରକାର ଓ ଡାକ୍ତରଙ୍କ ଜିଦ୍‌ ଭିତରେ ପେଶି ହେଉଛନ୍ତି ରୋଗୀ । ଆନ୍ଦୋଳନ ଯୋଗୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ବୃଦ୍ଧ, ବୃଦ୍ଧା, ଛୋଟଛୋଟ ପିଲା ସକାଳୁ ଚିକିତ୍ସା ପାଇଁ ମେଡିକାଲକୁ ଆସିଥିଲେ ବି ଠିକ୍ ସମୟରେ ସେବା ପାଇପାରୁନାହାନ୍ତି ।

ଡାକ୍ତର ଜିଦରେ ଅଟଳ ଥିବାବେଳେ ସର୍ଭିସ କଣ୍ଡକ୍ଟ ରୁଲ ପାଠ ପଢାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଏହା ପରେ ୬ ମାସ ପାଇଁ ଏସ୍‌ମା ଲଗାଯାଇଛି । ତଥାପି ସ୍ୱାଭାବିକ ହେଉନି ଓପିଡି ସେବା । ସରକାର ଓ ଡାକ୍ତରଙ୍କ କଳି ଭିତରେ ଆଉ କେତେ ଦିନ ପେଷି ହେବେ ରୋଗୀ ?