କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଚୟନକର୍ତ୍ତା ଜତିନ୍ ପରଞ୍ଜପେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ କେବେ କ୍ୟାପେଟେନ୍ କୁଲ୍ ବୋଲାଉଥିବା କ୍ରିକେଟର ଏହି କିମ୍ବଦନ୍ତୀ ସ୍ୱେଚ୍ଛାକୃତ ଭାବରେ ଅଧିନାୟକ ପଦ ଛାଡ଼ିନଥିଲେ ବରଂ ତାଙ୍କୁ ଏପରି କରିବାକୁ ବାଧ୍ୟ କରାଯାଇଥିଲା । ଜତିନ୍ ୨୦୧୭ ଜାନୁଆରିରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବିଷୟରେ ପ୍ରକାଶ କରିଥିଲେ ଯାହା ପରେ ଏମଏସ ଧୋନି ଭାରତର ସୀମିତ ଓଭର ଦଳର ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ୨୦୧୭ ଜାନୁଆରି ୪ ତାରିଖ ଇଂଲଣ୍ଡ ବିପକ୍ଷ ସିରିଜର ଠିକ୍ ପୂର୍ବରୁ ଧୋନି ODI ଏବଂ T20 ଅଧିନାୟକ ପଦ ଛାଡ଼ି ଦେଇଥିଲେ ।
ଆଗକୁ ପଢ଼ନ୍ତୁ : ପରାଜୟକୁ ହଜମ କରିପାରୁନି ପାକିସ୍ତାନ : ୩ କ୍ରିକେଟରଙ୍କୁ ଦେଖାଇବ କି ବାହାରର ରାସ୍ତା ?
ମାହି ଭାରତର ସବୁଠାରୁ ସଫଳ ଅଧିନାୟକମାନଙ୍କ ମଧ୍ୟରୁ ଜଣେ । ତାଙ୍କ ନେତୃତ୍ୱରେ ଦଳ ତିନୋଟି ପ୍ରମୁଖ ICC ଟ୍ରଫି ଜିତିଥିଲା । ୨୦୧୪ ମସିହାରେ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ସେ କେବଳ ODI ଏବଂ T20 ଉପରେ ଧ୍ୟାନ ଦେଇଥିଲେ । ଧୋନି ୨୦୧୫ ବିଶ୍ୱକପ୍ ଏବଂ ୨୦୧୬ ଟି-୨୦ ବିଶ୍ୱକପ୍ ପାଇଁ ଦଳକୁ ନେତୃତ୍ୱ ଦେଇଥିଲେ ମଧ୍ୟ ଉଭୟ ଥର ଦଳ ସେମିଫାଇନାଲରେ ବାଦ୍ ପଡ଼ିଥିଲା । ଇଂଲଣ୍ଡରେ ହେବାକୁ ଥିବା ପରବର୍ତ୍ତୀ ୫୦ ଓଭର ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ଯାହାକୁ ଧୋନି ପ୍ରାୟତଃ "ପ୍ରକ୍ରିୟା"ର ଏକ ଅଂଶ ବୋଲି କହୁଥିଲେ ।
ପରଞ୍ଜପେ ଦି ଗ୍ରେଟ୍ ଇଣ୍ଡିଆନ୍ କ୍ରିକେଟ୍ ଶୋ’ରେ କହିଥିଲେ, “ମାହି ବ୍ୟାଟିଂ କରୁଥିଲେ । ସେତେବେଳେ ମୁଁ ଏବଂ ଏମଏସକେ ପ୍ରସାଦ ସେଠାରେ ଥିଲୁ ଓ ପରସ୍ପରକୁ ଦେଖି କେମିତି ସମ୍ମାନଜନକ ଭାବରେ ଧୋନିଙ୍କୁ କଥାଟି କହିବୁ ଭାବୁଥିଲୁ । ତା’ପରେ ଆମେ ଦୁହେଁ ମାହିଙ୍କ ପାଖକୁ ଯାଇ କହିଲୁ ଯେ ମାହି, ଆମେ ଭାବୁଛୁ ଯେ ଏବେ ଆଗକୁ ବଢ଼ିବା ପାଇଁ ଠିକ୍ ସମୟ । ଧୋନି ଏମଏସକେଙ୍କୁ କହିଲେ ‘ଆନ୍ନା, ଠିକ୍ ନିଷ୍ପତ୍ତି ନେଇଛନ୍ତି । ଆପଣମାନେ କ’ଣ ଚାହୁଛନ୍ତି ମତେ କୁହଁନ୍ତୁ । ସେତେବେଳେ ଏମଏସକେ ଲିଖିତ ଭାବରେ ଆଗକୁ ବଢ଼ିବାକୁ ଧୋନିଙ୍କୁ କହିଥିଲେ । ମାହିଙ୍କ ଅଧିନାୟକ ପଦ ଛାଡ଼ିବା ଦ୍ବାରା ବିରାଟ କୋହଲିଙ୍କୁ ଟିମର ନେତୃତ୍ବ ନେବାର ରାସ୍ତା ସଫା ହୋଇଯାଇଥିଲା । ସେମିତିରେ କୋହଲି ପୂର୍ବରୁ ଟେଷ୍ଟ କ୍ରିକେଟରେ ଭାରତର ଅଧିନାୟକତ୍ୱ କରୁଥିଲେ ଏବଂ ଦଳକୁ ନୂତନ ଶିଖରରେ ପହଞ୍ଚାଇ ଦେଇଥିଲେ । ଧୋନି ଜଣେ ବରିଷ୍ଠ ଖେଳାଳି ଭାବରେ ଦଳ ସହିତ ରହିଥିଲେ ଏବଂ ପରେ କୋହଲି ଇଂଲଣ୍ଡରେ ୨୦୧୯ ବିଶ୍ୱକପରେ ଭାରତର ଅଧିନାୟକତ୍ୱ ସମ୍ଭାଳିଥିଲେ । ତେବେ ଯେତେବେଳେ ଧୋନିଙ୍କୁ କ୍ୟାପଟେନସି ଛାଡ଼ିବାକୁ କୁହାଯାଇଥିଲା ସେତେବେଳେ ସେ କହିଥିଲେ 'ଠିକ୍ ଅଛି, ମୁଁ ଏହା କରିବି ।' ପରଞ୍ଜପେଙ୍କ କହିବାନୁସାରେ ସେହି ଦିନ ରାତିରେ ସେମାନେ ଏକ ଇମେଲ୍ ପାଇଲେ ଯେଉଁଥିରେ ଲେଖାଥିଲା 'ମୁଁ ଅଧିନାୟକ ପଦ ଛାଡ଼ିବାକୁ ଚାହୁଛି ।' ଲିଖିତ ଭାବରେ ଇମେଲ୍ ମିଳିଥିବାରୁ ଆମକୁ ସେହି ଅନୁସାରେ ନିଷ୍ପତ୍ତି ନେବାକୁ ପଡ଼ିଲା । ଏଥିପାଇଁ ଆମେ ସମାଲୋଚନାର ସମ୍ମୁଖୀନ ହେଲୁ ସତ କିନ୍ତୁ ଏହିପରି କଠିନ ନିଷ୍ପତ୍ତି ବେଳେବେଳେ ନେବାକୁ ପଡ଼ିବ ।"
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/02/20/dhoni-2026-02-20-19-55-30.jpg)