କନକ ବ୍ୟୁରୋ : ଇଣ୍ଡିଆନ୍ କ୍ରିକେଟ୍ ଟିମଠାରୁ ପରାସ୍ତର ଚାପୁଡ଼ା ଖାଇବା ପରେ ପାକିସ୍ତାନ କ୍ରିକେଟରେ ଯେମିତି ଭୂମିକମ୍ପ ଆସିଯାଇଛି । ଟି-୨୦ ବିଶ୍ୱକପ୍ ଲିଗ୍ ମୁକାବିଲାରେ ଭାରତଠାରୁ ୬୧ ରନରେ ମାତ୍ ଖାଇଛି ପାକ୍ । ଯାହାକୁ ନେଇ ନିଜ କ୍ରିକେଟ୍ ଟିମ୍ ଉପରେ ଖପ୍ପା ଅଛନ୍ତି ଫ୍ୟାନ୍ସ । କାରଣ ଗରିବ ପାକିସ୍ତାନର କ୍ରିକେଟ୍ ଟିମ୍ ନାଗରିକଙ୍କ ଟଙ୍କା ଖର୍ଚ୍ଚ କରି ଶ୍ରୀଲଙ୍କା ଯାଇଥିଲେ । ସେମାନେ ଭାବିଥିଲେ ପାକିସ୍ତାନ ନଜିତିଲେ ବି ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିବ । ହେଲେ ପାକ୍ ଦଳ ବ୍ଲୁ ବାହିନୀ ଆଗରେ ୬୧ ରନରେ ହାତ ଟେକି ଦେବାଟା ଖାଲି ଫ୍ୟାନ୍ସ ନୁହେଁ ଦଳର ପୂର୍ବତନ ଖେଳାଳିଙ୍କୁ ମଧ୍ୟ ଶକ୍ତ ଧକ୍କା ଦେଇଛି ।  ଏନେଇ ଫ୍ୟାନ୍ସ ଏବଂ ପୂର୍ବତନ କ୍ରିକେଟର୍ ଟିମ୍ ଉପରେ ବର୍ଷିଛନ୍ତି । ପୂର୍ବତନ ବ୍ୟାଟର ସାହିଦ୍ ଆଫ୍ରିଦି କହିଛନ୍ତି ଯେ ଦଳରେ ଅନେକ ପରିବର୍ତ୍ତନର ଆବଶ୍ୟକତା ରହିଛି । ଯଦି ସେ ଚୟନକର୍ତ୍ତା ହୋଇଥାନ୍ତେ ତେବେ ସାହିନ୍ ଆଫ୍ରିଦିଙ୍କୁ ପ୍ରଥମେ ବିଦା କରିଥା’ନ୍ତେ । ବାବର ଆଜମ ଏବଂ ସଦାବ ଖାନଙ୍କୁ ମଧ୍ୟ ବିଦା କରିବାକୁ ସେ କହିଛନ୍ତି । ଏମାନଙ୍କ ବଦଳରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର କଥା କହିଛନ୍ତି ସାହିଦ୍ । ବାରମ୍ବାର ଅନେକ ସୁଯୋଗ ପାଇବା ପରେ ମଧ୍ୟ ଏହି କ୍ରିକେଟର କିଛି କରିପାରୁ ନଥିବା ଏବଂ ତାଙ୍କ ଜାଗାରେ ଯୁବ ଖେଳାଳି ଥିଲେ ସେମାନେ ଭଲ ପ୍ରଦର୍ଶନ କରିପାରିଥାନ୍ତେ ବୋଲି କହିଛନ୍ତି ସାହିଦ୍ ଆଫ୍ରିଦି ।

Advertisment

ଆଗକୁ ପଢ଼ନ୍ତୁ : ମୁର୍ଖ-ପେଚା-ଡରୁଆ କହିଲେ : ଟିଭି ଭାଙ୍ଗିଲେ,ଜୋତା ମାରିଲେ ; ନିଜ ଦେଶକୁ ମୁହଁ ଦେଖାଇପାରୁନି ଟିମ୍ ପାକ୍

ସେହିପରି ଅହମ୍ମଦ ଶେହଜାଦ କହିଛନ୍ତି ଯେ ବାବର ୭ଟି ବଲରୁ ମାତ୍ର ୫ ରନ୍ କରିଛନ୍ତି । ଏହା ତାଙ୍କ ପାଇଁ ଶେଷ ସୁଯୋଗ ଥିଲା । କିନ୍ତୁ ସେ ଏହାକୁ ନିଜର  କରିପାରିଲେ ନାହିଁ । ବାବରଙ୍କ ଷ୍ଟ୍ରାଇକ୍ ରେଟ୍ ତ ବହୁତ ଖରାପ । ଏହା ଛଡ଼ା ମହମ୍ମଦ ୟୁସୁଫ୍ କହିଛନ୍ତି ଯେ ସାହିନ୍, ବାବର ଏବଂ ସଦାବଙ୍କୁ ଅବସର ଦେବାର ସମୟ ଆସିଗଲାଣି । ବହୁତ ସୁଯୋଗ ମିଳିଛି । ପାକିସ୍ତାନ ଟି୨୦ କ୍ରିକେଟ୍ ନୂଆ ଷ୍ଟାରଙ୍କୁ ଖୋଜୁଛି । ବଡ଼ ଟୁର୍ଣ୍ଣାମେଣ୍ଟରେ ସେମାନେ ଫେଲ୍ ମାରୁଛନ୍ତି ଏବଂ ଚାପ ମଧ୍ୟ ସମ୍ଭାଳିପାରୁ ନାହାଁନ୍ତି । ଅନ୍ୟ ଦିଗରେ ସୋଏବ ଅଖତର ସିଧାସଳଖ ପିସିବିକୁ ଟାର୍ଗେଟ୍ କରିଛନ୍ତି । ମୁର୍ଖମାନଙ୍କୁ ପିସିବିର ଦାୟିତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି । ସେମାନେ ଭୁଲ ଖେଳାଳି ଚୟନ କରୁଛନ୍ତି ପୂର୍ବରୁ ଏପରି ଖେଳ ହେଉନଥିଲା । ଏହା ପାକିସ୍ତାନ କ୍ରିକେଟ୍ ପାଇଁ ଆଦୌ ଭଲ ନୁହେଁ ବୋଲି ସୋଏବ କହିଛନ୍ତି ।

ଅନ୍ୟ ଦିଗରେ ରମିଜ ରାଜା କହିଛନ୍ତି ଯେ ଭାରତ ଦୀର୍ଘଦିନ ଧରି ସମାନ ବୋଲିଂ ଲାଇନ୍ ଅପ୍ ଧରି ଖେଳୁଛି । କିନ୍ତୁ ପାକିସ୍ତାନୀ ବ୍ୟାଟର କିଛି ଶିଖୁନାହାଁନ୍ତି । ଭାରତୀୟ ବୋଲରଙ୍କ ଆଗରେ ସେମାନେ ଆଣ୍ଠେଇ ପଡୁଛନ୍ତି । ଭାରତୀୟ ସ୍ପିନର ଏବଂ ପେସରଙ୍କ ମୁକାବିଲା କରିବାରେ ପାକିସ୍ତାନୀ ବ୍ୟାଟର ବିଫଳ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏହାରି ଭିତରେ ଯଦି କାହାକୁ ସବୁଠୁ ଅଧିକ ଦୁଃଖ ଲାଗିଛି ତା’ହେଲେ ସେ ହେଉଛନ୍ତି ପାକିସ୍ତାନୀ କ୍ରିକେଟ୍ ଫ୍ୟାନ୍ସ । ଏଥର ପାକିସ୍ତାନ ଜିତିବ ବୋଲି ସେମାନେ ମନେ ମନେ ଭାବି ନେଇଥିଲେ । କିନ୍ତୁ ସବୁ ଆଶା ଆଶାରେ ହିଁ ରହିଗଲା । ପାକିସ୍ତାନ ଅତି ଖରାପ ଖେଳି ଶୋଚନୀୟ ଭାବେ ପରାସ୍ତ ହୋଇଛି । ଫଳରେ ପାକ୍ ପ୍ରଶଂସକ ସୋସିଆଲ ମିଡିଆରେ ନିଜ ଦଳକୁ ହିଁ ଟ୍ରୋଲ୍ କରୁଛନ୍ତି । ଖାଲି ଏତିକି ନୁହେଁ କେହି କେହି ମ୍ୟାଚ୍ ଆଉ ଦେଖିବେନି ବୋଲି କହିବା ସହ ପାକ୍ କ୍ରିକେଟକୁ ସମର୍ଥନ କରିବେ ନାହିଁ ବୋଲି ମଧ୍ୟ ମତ ଦେଉଛନ୍ତି ।