କନକ ବ୍ୟୁରୋ : ଭାରତ ବିପକ୍ଷରେ ପରାଜୟ ପରେ ପାକିସ୍ତାନ ଅଧିନାୟକ ସଲମାନ ଆଗାଙ୍କୁ ବହୁତ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି । ପୂର୍ବତନ ପାକିସ୍ତାନୀ କ୍ରିକେଟର ବସିତ ଅଲି ସଲମାନ ଆଗାଙ୍କୁ ମୁର୍ଖ ଏବଂ କାପୁରୁଷ କହିବାକୁ ମଧ୍ୟ ପଛାଇ ନାହାନ୍ତି । ବସିତ କହିଛନ୍ତି ଯେ ଆଗାଙ୍କ ରଣନୀତି ଯୋଗୁଁ ପାକିସ୍ତାନ ଭାରତଠାରୁ ହାରିଛି । ସେ ମୁଖ୍ୟ ପ୍ରଶିକ୍ଷକ ମାଇକ ହେସନଙ୍କୁ ମୁର୍ଖ କହିବା ସହ ବାବର ଆଜମଙ୍କୁ ବ୍ୟାଟିଂ ଅଭ୍ୟାସ ନାହିଁ ବୋଲି ମଧ୍ୟ କହିଛନ୍ତି । ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ପାକିସ୍ତାନୀ ଦଳକୁ କଡ଼ା ସମାଲୋଚନା କରିଥିଲେ ବସିତ୍ । ସେ କହିଥିଲେ, "ମୁଁ ଯଦି କିଛି ଅଧିକ କହିଥାଏ ତେବେ ମୋତେ କ୍ଷମା କରିବେ । ଯେଉଁ ମୁର୍ଖମାନେ ଜାଣନ୍ତି ନାହିଁ ଯେ ଏହି ମ୍ୟାଚ୍ ଯେଉଁଠାରେ ଖେଳାଯାଇଛି ସେଠାରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ତିନୋଟି ମ୍ୟାଚ୍ ଜିତିଛି । ଜିମ୍ବାୱେ ମ୍ୟାଚ୍ କଥା ଭୁଲିଗଲେ କି ? ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବା ନିଷ୍ପତ୍ତିକୁ ମୁର୍ଖାମୀ କୁହାଯିବନି ତ କ’ଣ କୁହାଯିବ ? ପାକ୍ କ୍ରିକେଟର୍ କୁହନ୍ତି ସେମାନଙ୍କ ବୋଲିଂ ବହୁତ ଭଲ ଯଦି ଭଲ ତା’ହେଲେ ସେ କାମ ପରେ କର ପ୍ରଥମେ ବୋଲିଂ କରିବାକୁ କିଏ କହିଥିଲା ? 

Advertisment

ଆଗକୁ ପଢ଼ନ୍ତୁ : ନାମିବ୍ୟାଠାରୁ ହାରିଲେ ବିଦା ହୋଇଯିବ ପାକିସ୍ତାନ !

ବସିତ ଅଲି କେବଳ ସଲମାନଙ୍କୁ ନୁହେଁ ଅନ୍ୟ କ୍ରିକେଟରଙ୍କୁ ମଧ୍ୟ ଟାର୍ଗେଟରେ ନେଇଛନ୍ତି । ସେ କହିଛନ୍ତି ‘‘ଯେଉଁମାନଙ୍କୁ ଏତିକି ଜଣାନାହିଁ ଯେ ପ୍ରଥମେ ବୋଲିଂ କରିବେ କି ବ୍ୟାଟିଂ ସେମାନେ ପାକିସ୍ତାନ କ୍ରିକେଟ୍ ଟିମର ହେଡକୋଚ୍ ହୋଇ ବସିଛନ୍ତି । ବାବର୍ ଆଜମ୍ ଭଳି ଖେଳାଳି ମାତ୍ର ୫ ରନ୍ କରି ଆଉଟ୍ ହେବା କେତେ ଲଜ୍ଜାଜନକ । ବାବରଙ୍କୁ କେହି ବ୍ୟାଟିଂ ଶିଖାନ୍ତୁ । ଭାରତୀୟ ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଦେଖନ୍ତୁ ସେ କେମିତି ଛକା , ଚଉକା ମାରୁଛନ୍ତି ।’’ ତେବେ କେବଳ ବସିତ ଅଲିଙ୍କ ଏଭଳି ଅବସ୍ଥା ହୋଇନାହିଁ । ପାକିସ୍ତାନର ପରାଜୟରେ ନିଜର ଦଳ ଉପରେ ରକ୍ତ ଚାଉଳ ଚୋବାଉଛି ପୂରା ଦେଶ । ଯାହାର ଝଲକ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି । କେଉଁଠି ଲାଇଭ୍ ମ୍ୟାଚ୍ ବେଳେ ଟିଭି ଭଙ୍ଗାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ତ ଆଉ କେଉଁଠି ଜୋତା ଫୋପାଡୁଥିବାର ଦେଖିବାକୁ ମିଳୁଛି । ପାକିସ୍ତାନର କ୍ରିକେଟପ୍ରେମୀ କ୍ରିକେଟରଙ୍କୁ ଗାଳି କରିବା ସହ ଖେଳ ଆସୁନି ଯଦି ଖେଳୁଛ କାହିଁକି ବୋଲି ପ୍ରଶ୍ନ କରୁଛନ୍ତି । ଏମିତିକି କିଛି କ୍ରିକେଟରଙ୍କୁ ଦଳରୁ ବାହାର କରିବା ପାଇଁ ଦାବି ମଧ୍ୟ କରୁଛନ୍ତି ପାକ୍ କ୍ରିକେଟ୍ ଫ୍ୟାନ୍ସ ।