କନକ ବ୍ୟୁରୋ:  ରାଜ୍ୟରେ କେମିତି ବେଆଇନ ଭାବେ ପଥର ଖଣି ଚାଲିଛି? ପାହାଡ଼ ଫଟାଇ, ପଥର ବିକି କୋଟିକୋଟି ଟଙ୍କା ମାଫିଆ ଲୁଟୁଛନ୍ତି । ଢେଙ୍କାନାଳ ବଦାଳୁ ପଥର ଖାଦାନ ବିସ୍ଫୋରଣ ଘଟଣାରେ ଦୁଇ ନିରୀହ ଶ୍ରମିକଙ୍କ ଜୀବନ ଯିବା ପରେ ଖୋଲିଛି ବେଆଇନ ପଥର ଚାଲାଣର ଖାଣ୍ଟି ସତ। ବିନା ବ୍ଲାଷ୍ଟିଂ ଅନୁମତିରେ ହେଉଛି ବ୍ଲାଷ୍ଟ, ବିନା ଲିଜ୍‌ରେ ଚାଲୁଛି କଳା ମୁଗୁନି ପଥର ଚାଲାଣ । ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ କହୁଛି, ଏବେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। 

Advertisment

ଅଧିକ ପଢନ୍ତୁ: ସରକାରଙ୍କ ନାଲିଆଖିକୁ ଖଣି ମାଫିଆଙ୍କ ଖାତିର ନାହିଁ : କେଉଁଠି ମୁଗୁନି ପଥର ତ କେଉଁଠି କଳାପଥରକୁ କରୁଛନ୍ତି ଲୁଟ୍


 ଢେଙ୍କାନାଳ ମୋଟଙ୍ଗା ଥାନା ବଦାଳୁ ଗାଁ ଗୋପାଳପୁର କଳା ମୁଗୁନି ପଥର ଖାଦାନରେ ବଡ଼ ଧରଣର ବିସ୍ଫୋରଣ ପରେ ସାମ୍ନାକୁ ଆସିଛି ଏଭଳି ସାଂଘାତିକ ସତ। ଆଉ ଏ ହେଉଛି ସେ ସଂକ୍ରାନ୍ତୀୟ ଚିଠି। ଖୋଦ୍‌ ଢେଙ୍କାନାଳ ଜିଲ୍ଲାପାଳ ମଧ୍ୟ ସ୍ବୀକାର କରିଛନ୍ତି, ବ୍ଲାଷ୍ଟିଂ ଅନୁମତି ନ ଥିବାରୁ ସେପ୍ଟେମ୍ବର ମାସରୁ ପଥର ଖାଦାନକୁ ବନ୍ଦ ଘୋଷଣା କରାଯାଇଥିଲା । ଏମିତିକି ଡିସେମ୍ବର ୩୧ରୁ ସରିଯାଇଛି ଏହି ଗୋପାଳପୁରସ୍ଥିତ ପଥର ଖାଦାନର ଲିଜ ଅବଧି। ଏହାସତ୍ତ୍ବେ ବେଆଇନ ଭାବେ ବ୍ଲାଷ୍ଟିଂ ଓ ପଥର ଖନନ ଚଳାଇଥିଲେ ଲିଜ୍‌ଧାରୀ । ଏପଟେ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଗଲା ୨୦ ବର୍ଷ ହେଲା ଏ ଅଞ୍ଚଳର ପ୍ରତିଦିନ ବହୁ ବେଆଇନ ପଥର ଖାଦାନରେ ବ୍ଲାଷ୍ଟିଂ ହେଉଛି ଓ ପଥର ଖନନ ଚାଲିଛି । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। 

 
 ବ୍ଲାଷ୍ଟିଂ ପାଇଁ ବି ଅନୁମତି ନଥିଲା। ବିନା ବ୍ଲାଷ୍ଟିଂ ଅନୁମତିରେ ଗତକାଲି ସନ୍ଧ୍ୟାରେ ଡିନାମାଇଟ୍‌ ଲଗାଇ ପଥର ଉତ୍ତୋଳନ ଚଲାଇଥିଲେ ଲିଜ୍‌ଧାରୀ। ଖାଦାନ ଭିତରେ ରହି ବିସ୍ଫୋରଣ କରୁଥିଲେ ଏହି ଦୁଇ ଶ୍ରମିକ । ବିସ୍ଫୋରଣ ପରେ ଖାଦାନର ଉପରଭାଗରୁ ହଠାତ୍‌ ଖସିଆସିଥିଲା ବିଶାଳ ଆକାରର ପଥର ଖଣ୍ଡ। ଚାପି‌ ହୋଇ ଯାଇଥିଲେ ୨ ଶ୍ରମିକ। ଓଡ୍ରାଫ୍‌, ଅଗ୍ନିଶମ ବାହିନୀ ଓ ପୁଲିସର ମିଳିତ ପ୍ରୟାସରେ ଉଦ୍ଧାର ହୋଇଥିଲା ୨ ମୃତଦେହ। ଏ ଘଟଣା ପରେ ଖାଦାନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍‌ କରିଛି ପ୍ରଶାସନ। ଏପଟେ ବ୍ଲାଷ୍ଟିଂ ଅପରେଟରକୁ ଅଟକ ରଖି ତଦନ୍ତ ଜାରି ରଖିଛି ମୋଟଙ୍ଗା ପୁଲିସ। ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଖଣି ମନ୍ତ୍ରୀ ।  ଜିଲ୍ଲାର ଏହିଭଳି ଶତାଧିକ ବେଆଇନ ପଥର ଖଣି ଚାଲିଛି। ପଥର ବିକି ମାଲାମାଲ ହେଉଛନ୍ତି ମାଫିଆ।