କନକ ବ୍ୟୁରୋ : ସରକାରଙ୍କ କଡ଼ା ତାଗିଦ୍ ସତ୍ତ୍ବେ ରାଜ୍ୟରେ ବେଧଡକ୍ ଚାଲିଛି ଖଣି ଲୁଟ୍ । ଢେଙ୍କାନାଳ ଗନ୍ଦିଆରେ ମୁଗୁନି ପଥର ଲୁଟୁଛନ୍ତି ମାଫିଆ । କେବଳ ମୁଗୁନି ପଥର ନୁହେଁ, ମାଙ୍କଡ଼ା ପଥର ଖଣି ବି ଲୁଟ୍ ହେଉଛି । ଢେଙ୍କାନାଳ ସଦର, ହିନ୍ଦୋଳ, ଓଡ଼ପଡ଼ା ବ୍ଲକ ଓ ଗନ୍ଦିଆ ବ୍ଲକରେ ଶହ ଶହ ସଂଖ୍ୟାରେ ବେଆଇନ ଖଣି ରହିଛି । ଗନ୍ଦିଆ ନିହଲ ପ୍ରସାଦ ଅଞ୍ଚଳରେ ନିଶ୍ଚିନ୍ତ । ସଂରକ୍ଷିତ ପାହାଡ଼ରୁ ମାଫିଆମାନେ ମୁଗୁନି ପଥର ଲୁଟି ଚାଲିଛନ୍ତି । ପ୍ରଶାସନ କି ପୁଲିସ ସେଭଳି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ସେହିଭଳି କ୍ରସର୍ ସଂସ୍ଥାଗୁଡ଼ିକ ଏହାର ସୁଯୋଗ ନେଇ ଜେସିବି ଦ୍ଵାରା ଲୁଟି ନଉଛନ୍ତି ମୁଗୁନି ପଥର । ହିନ୍ଦୋଳ ବ୍ଲକରେ ମଧ୍ୟ ବେଆଇନ୍ ବ୍ଲାଷ୍ଟିଂ ଚାଲିଛି ।
ଠିକ୍ ସେପରି ବିଭିନ୍ନ ସମୟରେ ଖଣି ଖାଦାନ ଲୁଟ୍ ପାଇଁ ଚର୍ଚ୍ଚାରେ ରହି ଆସିଛି ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀର ଧର୍ମଶାଳା ତହସିଲ ଅନ୍ତର୍ଗତ ଜବରା, ବାଜବାଟି, ରାହାଡପୁର, ବିଛାଖଣ୍ଡି, ବାଘୁଆ, ଡଙ୍କାରୀ ଆଦି ଅଞ୍ଚଳରେ ଦୀର୍ଘଦିନ ହେବ ସରକାରୀ ଭାବେ ଅନେକ ଗୁଡ଼ିଏ ସଇରାତ ନିଲାମ ଦିଆଯାଇଥିଲା । ପୂର୍ବ ସରକାର ସମୟରେ ଧର୍ମଶାଳା ଅଞ୍ଚଳରେ ୮୪ ଟି କଳାପଥର ଖାଦାନ ଚାଲିଥିବା ବେଳେ ବର୍ତ୍ତମାନ ଏଥିରୁ ୨୦ ଟି ସଇରାତ ଚାଲୁ ରହିଛି । ତେବେ ଅବଶିଷ୍ଟ ୬୪ ଟି ସଇରାତକୁ ବନ୍ଦ ରଖିଛି ଜିଲ୍ଲା ଖଣି ବିଭାଗ । ବର୍ତ୍ତମାନ ଯେହେତୁ ବର୍ଷାଋତୁ ଅନେକ ଖଣି ଖାଦାନ ପାଣିରେ ଭର୍ତ୍ତି ହୋଇରହିଛି । ଯାହା ଫଳରେ ଲିଜଧାରୀମାନେ କଞ୍ଚାମାଲ ଉତ୍ତୋଳନ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ବନ୍ଦ ଥିବା ସଇରାତ୍ ଗୁଡ଼ିକ ମଧ୍ୟରୁ ଅନେକ ଗୁଡ଼ିଏ ସଇରାତ୍ କ୍ୱାରି ଅପରେସନର ନିୟମ କୁ ଫୁ’ କରି ଦେଇଥିବାରୁ ସେଗୁଡ଼ିକୁ ବନ୍ଦ ରଖାଯାଇଛି । ଏହି ବନ୍ଦ ଥିବା ଖାଦାନ ଗୁଡ଼ିକରୁ ବିଭିନ୍ନ ସମୟରେ କଳାପଥର ଲୁଟ୍ ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲାରେ ଖଣିବିଭାଗ ଏହି ଲୁଟ୍ କୁ କିପରି ରୋକା ଯାଇ ପାରିବ ସେ ନେଇ ଆଖି ଦୂର୍ଶିଆ ପଦକ୍ଷେପ ନେଉ ନାହାନ୍ତି । ଅନ୍ୟ ପକ୍ଷରେ ରାଜସ୍ବ ବିଭାଗ ଓ ପୁଲିସ ଖଣି ବିଭାଗ ମିଳିତ ଆନୁକୁଲ୍ୟରେ ଟାସ୍କ ଫୋର୍ସ ଗଠନ ହୋଇଥିଲେ ମଧ୍ୟ ତାହା ମିଳିତ ଭାବେ ସଠିକ୍ କାମ କରୁଥିବାର ଜଣା ପଡୁନାହିଁ ।