କନକ ବ୍ୟୁରୋ: ଦୀପାବଳି ପୂର୍ବରୁ ଲମ୍ବା କଟକଣା ଜାରି କଲେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ସୁପ୍ରିମକୋର୍ଟ, କମିଶନରେଟ ପୋଲିସ ବି କଟକଣା ଲଗାଇଲେ । କିନ୍ତୁ ଫୁ କରି ଉଡଇଦେଲେ ଅମାନିଆ । ଆକାଶ ହୋଇଗଲା ଧୂଆଁମୟ । ସରକାର ଓ ପ୍ରଶାସନ ସବୁ ଦେଖିଲେ ଚୁପ ବସିଲେ ।
ସନ୍ଧ୍ୟା ହେଲା ପରେ ଏମିତି ଥିଲା ଦ୍ବୈତ ନଗରୀ କଟକ-ଭୁବନେଶ୍ବରର ଦୃଶ୍ୟ। ନିୟମ ଥିଲା, ରାତି ୭ରୁ ୯ଟା ଯାଏଁ ବାଣ ଫୁଟିବ । କିନ୍ତୁ କଟକଣାକୁ ଫୁ କରି ରାତି ୯ ପରେ ବି ଲୋକେ ମନଇଛା ବାଣ ଫୁଟାଇଥିଲେ । ମଧ୍ୟରାତ୍ରୀ ଯାଏ ବାଣ ଗର୍ଜନରେ ଥରିଲା ସହରର ମୁଖ୍ୟରାସ୍ତା ଓ ଗଳିକନ୍ଦି । ଆଉ ସାରା ଆକାଶ ହୋଇଥିଲା ଧୁଆଁମୟ।
ଦୀପାବଳିରେ ଦିଲ୍ଲୀ ଏନସିଆରରେ ଭୟଙ୍କର ବାୟୁ ପ୍ରଦୂଷଣ
ସନ୍ଧ୍ୟା ୭ଟାବେଳେ ଭୁବନେଶ୍ବରର କିଛି ସ୍ଥାନରେ ପରିସ୍ଥିତି ଅସମ୍ଭାଳ ହୋଇପଡିଥିଲା। ଏୟାର କ୍ବାଲିଟି ଇଣ୍ଡେକ୍ସ ବା ବାୟୁ ଗୁଣବତ୍ତା ସୂଚକାଙ୍କ ୬୦୦ ଟପି ଯାଇଥିଲା । ରାତି ପାହିଲା ପରେ ବି ପରିସ୍ଥିତିରେ ସେଭଳି ଆଖି ଦୃଶିଆ ପରିବର୍ତ୍ତନ ଆସିନଥିଲା ।
ଦୀପାବଳିରେ ଗ୍ୟାସ୍ ଚାମ୍ବର ପାଲଟିଲା ଦିଲ୍ଲୀ ଏନ୍ସିଆର୍, ଅଧିକାଂଶ ସ୍ଥାନରେ ୫୦୦ ଉପରେ ଏକ୍ୟୁଆଇ
ମନଇଛା ବାଣଫୁଟା ଯୋଗୁଁ ରେଡ ଜୋନରେ ରାଜ୍ୟର ଅଧା ଅଞ୍ଚଳ । ସମସ୍ତେ ଖୁଁ ଖାଁ ହେଲେ । ଲୋକେ ଅଣନିଃଶ୍ବାସୀ ବି ହେଲେ । ଖାଲି ଭୁବନେଶ୍ବର କି କଟକ ନୁହେଁ , ଆଜି ସକାଳୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବାୟୁର ମାନ ଅତି ଶୋଚନୀୟ ରହିଛି। ଏହାକୁ ନେଇ ପରିବେଶବିତ ଅସନ୍ତୋଷ ଝାଡିଛନ୍ତି ।
ବାଣଫୁଟା ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ଘୋଷଣା କରି ଚୁପ ବସିଗଲା। ଆଉ ପରିବେଶକୁ ପ୍ରଦୂଷିତ ହେବାକୁ ଛାଡିଦେଲେ। ଏବେ ପ୍ରଶ୍ନ ଉଠୁଛି ପରିବେଶ ପ୍ରଦୂଷଣ ପାଇଁ କାହା ବିରୋଧରେ କିଏ ନେବ କାର୍ଯ୍ୟାନୁଷ୍ଠାନ ?