କନକ ବ୍ୟୁରୋ : କେରଳର ନାମ ପରିବର୍ତ୍ତନ କରି କେରଳମ୍ କରିବା ପାଇଁ ଅନୁମୋଦନ ପରେ, ଏବେ ରାଜଧାନୀ ଦିଲ୍ଲୀର ନାମ ପରିବର୍ତ୍ତନ କରିବାକୁ ଦାବି ହେଉଛି । ଦିଲ୍ଲୀର ଚାନ୍ଦନୀ ଚୌକ ଲୋକସଭା ନିର୍ବାଚନମଣ୍ଡଳୀର ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଏ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି । ତାଙ୍କ ଚିଠିରେ ଖଣ୍ଡେଲୱାଲ ଦିଲ୍ଲୀର ନାମ ଇନ୍ଦ୍ରପ୍ରସ୍ଥ ରଖିବାକୁ ଶାହଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଏପରି ପଦକ୍ଷେପ ଭାରତର ରାଜଧାନୀର ଐତିହାସିକ ତଥା ସଭ୍ୟତାଗତ ପରିଚୟକୁ ପୁନଃସ୍ଥାପିତ କରିବ । ସେ ଐତିହାସିକ, ପ୍ରତ୍ନତତ୍ତ୍ୱବିତ୍ ଓ ଅନ୍ୟାନ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଏହି ପ୍ରସ୍ତାବ ଉପରେ ଏକ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ କରିବାକୁ ଶାହଙ୍କୁ ଅନୁରୋଧ କରିଛନ୍ତି ।
ଖଣ୍ଡେଲୱାଲ ଚିଠିରେ ଲେଖିଛନ୍ତି ,ଐତିହାସିକ ସାହିତ୍ୟ, ପ୍ରତ୍ନତାତ୍ତ୍ୱିକ ପ୍ରମାଣ ତଥା ଦୀର୍ଘକାଳୀନ ସଭ୍ୟତାଗତ ପରମ୍ପରା ପ୍ରତିପାଦିତ କରେ ଯେ, ବର୍ତ୍ତମାନର ଦିଲ୍ଲୀ ହେଉଛି ପ୍ରାଚୀନ ଇନ୍ଦ୍ରପ୍ରସ୍ଥର ସ୍ଥାନ । ଯାହା ପାଣ୍ଡବମାନଙ୍କ ଦ୍ୱାରା ପ୍ରତିଷ୍ଠିତ ମହାରାଜଧାନୀ । ମହାକାବ୍ୟ ମହାଭାରତରେ ଏହା ବର୍ଣ୍ଣିତ ହୋଇଛି । ଖଣ୍ଡେଲୱାଲଙ୍କ ଅନୁସାରେ, ଦିଲ୍ଲୀ ନାମ କେବଳ ଇତିହାସର ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟକୁ ପ୍ରତିଫଳିତ କରୁଛି । ସେ ଲେଖିଛନ୍ତି, ପୁରୁଣା କିଲ୍ଲାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ଦ୍ୱାରା କରାଯାଇଥିବା ଖନନରୁ ପ୍ରାୟ ୩,୦୦୦ ବର୍ଷ ପୁରୁଣା ପ୍ରାଚୀନ ବସତିର ପ୍ରମାଣ ମିଳିଛି । ଯାହା ୧,୦୦୦ ବିସିଇଠାରୁ ଥିବାର ଜଣାପଡ଼ିଛି ।
ଯେଉଁଥିରେ ମହାଭାରତ କାଳ ସହିତ ଜଡିତ ପେଣ୍ଟେଡ୍ ଗ୍ରେ ୱେୟାର (ପିଜିଡବ୍ଲୁ) ସଂସ୍କୃତିର ଅବଶେଷ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ତାଙ୍କ ଅନୁସାରେ, ଏହି ଆବିଷ୍କାରଗୁଡ଼ିକ ଐତିହାସିକ ବିଶ୍ୱାସକୁ ଦୃଢ଼ କରେ ଯେ, ପ୍ରାଚୀନ ଇନ୍ଦ୍ରପ୍ରସ୍ଥ ଆଜି ଦିଲ୍ଲୀ ଯେଉଁ ସ୍ଥାନରେ ଅବସ୍ଥିତ ସେଠାରେ ଅବସ୍ଥିତ ଥିଲା । ସେ କହିଛନ୍ତି, ଇନ୍ଦ୍ରପ୍ରସ୍ଥ ନାମ ପୂର୍ବରୁ ଦିଲ୍ଲୀର ଅନେକ ପ୍ରମୁଖ ପ୍ରତିଷ୍ଠାନ ଓ ସ୍ଥାନରେ ବ୍ୟବହୃତ ହେଉଛି । ଏହା ସ୍ପଷ୍ଟ ଭାବରେ ସୂଚାଇ ଦିଏ, ଏହି ଐତିହାସିକ ନାମ ସମାଜରେ ସ୍ୱାଭାବିକ ଗ୍ରହଣୀୟତା ପାଇଛି ।
ଚିଠିରେ ଖଣ୍ଡେଲୱାଲ ଦିଲ୍ଲୀର ପ୍ରାଚୀନ ସାଂସ୍କୃତିକ ତଥା ଐତିହାସିକ ପରିଚୟକୁ ପୁନର୍ଜୀବିତ କରିବା ପାଇଁ ପାଣ୍ଡବମାନଙ୍କ ପ୍ରତିମୂର୍ତ୍ତି ଦିଲ୍ଲୀର ପୁରୁଣା କିଲ୍ଲା ଭଳି ଉପଯୁକ୍ତ ସ୍ଥାନରେ ସ୍ଥାପନ କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରବୀଣ ଖଣ୍ଡେଲୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଏକ ପୃଥକ ଚିଠି ମଧ୍ୟ ଲେଖି ଦିଲ୍ଲୀର ନାମକୁ ଇନ୍ଦ୍ରପ୍ରସ୍ଥ କରିବା ପାଇଁ ଦିଲ୍ଲୀ ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରି କେନ୍ଦ୍ର ସରକାରଙ୍କୁ ପଠାଇବାକୁ ଦାବି କରିଛନ୍ତି । ଯାହାଦ୍ୱାରା ନାମକରଣ ପ୍ରକ୍ରିୟା ଆରମ୍ଭ ହୋଇପାରିବ ।
ଅଧିକ ପଢନ୍ତୁ : କେରଳ ହେବ କେରଳମ୍: କେନ୍ଦ୍ର କ୍ୟାବିନେଟର ନାମ ପରିବର୍ତ୍ତନକୁ ମଞ୍ଜୁରୀ
ଦାବିକୁ ସମର୍ଥନ କରି ଖଣ୍ଡେଲୱାଲ ତାଙ୍କ ଚିଠିରେ ଲେଖିଛନ୍ତି, ବମ୍ବେ, କଲିକତା, ମାଡ୍ରାସ ଓ ବାଙ୍ଗାଲୋରର ପୁରୁଣା ନାମ ଯଥାକ୍ରମେ ମୁମ୍ବାଇ, କୋଲକାତା, ଚେନ୍ନାଇ ଓ ବେଙ୍ଗାଲୁରୁ ଭାବରେ ପରିବର୍ତ୍ତନ ହୋଇସାରିଛି । ସେହିପରି ଆହ୍ଲାବାଦର ନାମ ପ୍ରୟାଗରାଜ ରଖାଯାଇଛି । ଏବେ ଦିଲ୍ଲୀର ନାମ ପରିବର୍ତ୍ତନ କରାଯିବା ଉଚିତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/25/kerala-2026-02-25-13-46-56.jpeg)