କନକ ବ୍ୟୁରୋ : ଗାଡ଼ି ଚଳାଇବାକୁ ଲାଗୁଛି ଡର । ବିପଦପୂର୍ଣ୍ଣ ହୋଇପଡ଼ିଲାଣି ରାଜଧାନୀ ରାସ୍ତା। ଯେଇଁ ଯୁଆଡ଼େ ପାରିଲେ ମନଇଛା ଗାଡ଼ି ଚଳାଇଲେ। ନା ମାନୁଛନ୍ତି ଟ୍ରାଫିକ୍ ନିୟମ ନା ମାନୁଛନ୍ତି ସ୍ପିଡ୍ ଲିମିଟ୍। ଫଳରେ ନିଇତି ରାଜଧାନୀରେ ଘଟୁଛି ଭୟଙ୍କର ଦୁର୍ଘଟଣା। ଯାଉଛି ନୀରିହ ଜୀବନ । କ୍ୟାପିଟାଲ ହସ୍ପିଟାଲ ଛକରୁ ୟୁ ଟର୍ନ କରୁଥିବା ବେଳେ ଏଜି ଛକ ପଟୁ ଦ୍ରୁତ ଗତିରେ ଆସୁଥିବା ଥର୍‌ ଗାଡ଼ି ପିଟିଥିଲା ବୁଲେଟକୁ । ବୁଲେଟରେ ଥିବା ୩ଜଣ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ଏବେ ଏମସରେ ଭର୍ତ୍ତି ହୋଇଛନ୍ତି । ମୃତକ ୧୯ ବର୍ଷୀୟ ରାଜା ବୋଲି ଜଣାପଡ଼ିଛି। ଗତକାଲିର ଦୁର୍ଘଟଣା ମନରୁ ନଲିଭୁଣି ଆଜି ଭୁବନେଶ୍ବର ଚନ୍ଦକା ଥାନା ଅଞ୍ଚଳରେ ଥର୍‌ ଗାଡ଼ି ସହ ଭେନ୍ୟୁ କାର୍ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଗାଡ଼ିର ଚାଳକ ଆହତ ହୋଇଛନ୍ତି । ସେହିପରି ଦୁଇ ଦିନ ତଳେ ଭୁବନେଶ୍ବର ପଳାଶୁଣୀ ଛକ ଉପରେ ଗାଡ଼ି ଉପରେ ଚଡ଼ି ଯାଇଥିଲା ଆଉ ଏକ ଗାଡ଼ି। ଯାହା ବେପରୁଆ ଗାଡ଼ି ଚାଳନାର ପରିଣାମ ବୋଲି କୁହାଯାଉଛି।

Advertisment

ଅଧିକ ପଢ଼ନ୍ତୁ :  ଲୋକଙ୍କ ଜୀବନ ସହ ଖେଳ, ରାଜଧାନୀ ଆକାଶରେ ମାଞ୍ଜା ସୂତାର ଜାଲ

ଗତ କିଛିଦିନ ହେଲା ରାଜଧାନୀରେ ଦୁର୍ଘଟଣା ହାର ବଢ଼ିଚାଲିଛି। ରାତି ହେଲେ ଗାଡ଼ି ଚଳାଇବା ପାଇଁ ଡରୁଛନ୍ତି ଲୋକେ। ଜାନୁଆରି ୧୮ରେ ମହାରାଜା ହଲ୍ ସାମ୍ନା ଓଭର ବ୍ରିଜ ଉପରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଟ୍ରକକୁ ପଛପଟୁ ପିଟିବା ଫଳରେ ଚୁରମାର ହୋଇଯାଇଥିଲା କାର୍। ଜାନୁଆରି ୧୭ରେ ଡମଣା ଛକରେ ମୁହାଁମୁହିଁ ହୋଇଥିଲେ ଦୁଇଟି କାର୍। ୟୁଟର୍ଣ୍ଣ ନେଉିଥିବା ଏକ କାର୍‌କୁ ଦ୍ରୁତ ଗତିରେ ଆସୁଥିବା ଆଉ ଏକ କାର୍ ଧକ୍କା ଦେଇଥିଲା। ଏଥିରେ ୨ ଜଣ ଗୁରୁତର ଆହତ ହୋଇଥିଲେ। ବଢୁଥିବା ଦୁର୍ଘଟଣାକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ସରକାର ଏ ନେଇ ସ୍ବତନ୍ତ୍ର ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି ସଡ଼କ ସୁରକ୍ଷା କର୍ମୀ।

ଅଧିକ ପଢ଼ନ୍ତୁ :  ନୂଆ ରୂପ ପାଇବ ରାଜଧାନୀ : ନୂଆ ଲୋକସେବା ଭବନ ଓ ବିଧାନସଭାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

କାହିଁକି ବଢ଼ୁଛି ବେପରୁଆ ଗାଡ଼ି ଚାଳନା? ସଡ଼କ ସୁରକ୍ଷା ନେଇ ନାନା ସଚେତନତା ସତ୍ତ୍ବେ କାହିଁକି ବଢ଼ୁଛି ଦୁର୍ଘଟଣା? କିଛି ଅମାନିଆଙ୍କ ପାଇଁ କାହିଁକି ଅକାରଣରେ ଚାଲିଯିବ ଅମୂଲ୍ୟ ଜୀବନ? କେବେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ?