କନକ ବ୍ୟୁରୋ: ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବାତ୍ୟା ମୋନ୍ଥା ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି । ବାତ୍ୟା କାକିନାଡ଼ାଠାରୁ ୨୪୦ କିମି ଦୂରରେ ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋବସାଗରରେ କେନ୍ଦ୍ରୀଭୂତ ହୋଇଥିଲା ବାତ୍ୟା ମୋନ୍ଥା । ଏହା କ୍ରମଶଃ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ବାତ୍ୟା ଆନ୍ଧ୍ର ଉପକୂଳ କାକିନାଡ଼ା ଅତିକ୍ରମ କରିବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୮୦ରୁ ୯୦ କିମି ରହିବ । ବାତ୍ୟା ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ରହିଛି । ଏହାର ପ୍ରଭାବ ଓଡ଼ିଶା ଉପରେ ବି ପଡ଼ିବ । ଫଳରେ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ୬୦ରୁ ୭୦ କିମି ବେଗରେ ପବନ ବହିବା ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । 

Advertisment

ବାତ୍ୟା ମୋନ୍ଥା ପ୍ରଭାବ ଦକ୍ଷିଣ ଓଡ଼ିଶା ଉପରେ ବିଶେଷ ଭାବରେ ପଡ଼ିବ । ଗଞ୍ଜାମ, ଗଜପତି, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କୋରାପୁଟ, ରାୟଗଡ଼ା ଆଦି ଜିଲ୍ଲାରେ ବାତ୍ୟାର ପ୍ରଭାବରେ ୬୦ରୁ ୭୦ କିମି ବେଗରେ ପବନ ବହିବା ସହ ବର୍ଷା ସମ୍ଭାବନା ରହିଛି । ଏହାଠାରୁ ଅଧିକ ବେଗରେ ପବନ ବହିବା ସମ୍ଭାବନା କମ୍ ରହିଛି । ଆଜି ଓ କାଲି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ଅତି ପ୍ରବଳ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସ୍ଥାନରେ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି କହିଛନ୍ତି IMD DG ମୃତ୍ୟୁଞ୍ଜୟ ମହାପାତ୍ର । 

ଏବେସୁଦ୍ଧା ପାଣିପାଗ ବିଭାଗରେ ପୂର୍ବାନୁମାନ ସଠିକ ରହିଛି । ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ଲ୍ୟାଣ୍ଡଫଲ ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିବ । ବାତ୍ୟା ଯୋଗୁଁ ପବନର ବେଗ ବଢ଼ିବା ସହ ବର୍ଷାର ପରିମାଣ ବି ବୃଦ୍ଧି ପାଇବ । ରାତି ସମୟରେ ସବୁଠାରୁ ଅଧିକ ପବନ ବହିବ । ଏହାପରେ ୨୯ ତାରିଖ ସକାଳୁ ପବନ ବେଗ କମିବ । ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଭୂସ୍ଖଳନ ଆଶଙ୍କା ରହିଛି । ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଓ ନୂଆପଡ଼ା ଆଦି ଜିଲ୍ଲାରେ ଭୂସ୍ଖଳନ ଆଶଙ୍କା ରହିଛି ।  ତେଣୁ ଲୋକମାନେ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି IMD DG ମୃତ୍ୟୁଞ୍ଜୟ ମହାପାତ୍ର ।  

ଭୀଷଣ ବାତ୍ୟା ମୋନ୍ଥା ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କଳାବାଦଲ ଢାଙ୍କି ରଖିଛି । ପୂର୍ବରୁ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ତୁହାକୁ ତୁହା ବର୍ଷା ଲାଗି ରହିଛି । କେନ୍ଦ୍ରାପଡ଼ାରେ ବି ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ବର୍ଷାରେ ରାଜନଗର ପେଣ୍ଠ ସମୁଦ୍ର କୂଳରେ ଦବିଗଲା ପଥରବନ୍ଧ । ବାତ୍ୟା ମୋନ୍ଥା ପ୍ରଭାବରେ ଉଠୁଛି ଉଚ୍ଚଉଚ୍ଚ ଜୁଆର । ଜୁଆର ମାଡ଼ରେ ପୂରା ୫ ଫୁଟ୍‌ ଦବିଗଲା ପଥରବନ୍ଧ । ସମୁଦ୍ର ନିକଟକୁ ଯିବା ଲାଗି ଲୋକଙ୍କୁ ବାରଣ କରାଯାଇଛି । ଘନଘନ ଜୁଆର ମାଡ଼ ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି । ଏହି ପଥର ବନ୍ଧ ରାଜନଗରକୁ ସୁରକ୍ଷା ଦେଇଥାଏ । ଏବେ ପଥର ବନ୍ଧ ଦବିବା ପରେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ ।