କନକ ବ୍ୟୁରୋ : ବାତ୍ୟା ମୋନ୍ଥା ପ୍ରଭାବ ଯୋଗୁଁ ବାତିଲ ହେଲା ୪୩ଟି ଟ୍ରେନ୍ । ଆଗାମୀ ଦୁଇ ଦିନ ପାଇଁ ଟ୍ରେନ ଚଳାଚଳ ବାତିଲ । ବିଶେଷ କରି ରେଳପଥରେ ଭୁସ୍ଖଳନ ଆଶଙ୍କା ଥିବାରୁ ଟ୍ରେନଗୁଡ଼ିକୁ ବାତିଲ କଲା ପୂର୍ବତଟ ରେଳପଥ । କିରଣ୍ଡୁଲ-ବିଶାଖାପାଟନମ୍ ରୁଟରେ ୮ଟି ଟ୍ରେନ୍ ବାତିଲ । ୨୯ ପର୍ଯ୍ୟନ୍ତ ବିଶାଖାପାଟନମକୁ ଯାଉଥିବା ସବୁ ଟ୍ରେନ୍ ବାତିଲ । ପୂର୍ବତଟ ରେଳପଥ ପକ୍ଷରୁ ସୂଚନା । ଲୋକଙ୍କ ନିରାପତ୍ତା ଦୃଷ୍ଟିରୁ ବାତିଲ କଲା ପୂର୍ବତଟ ରେଳପଥ । ବ୍ରହ୍ମପୁର-ବିଶାଖାପାଟଣା, କଟକ-ଗୁଣୁପୁର ଟ୍ରେନ୍ ବାତିଲ । ପଲାସା-ବିଶାଖାପାଟନମ୍, ରାୟଗଡ଼ାରୁ ଗୁଣ୍ଟୁର ବାତିଲ । ଗୋଟିଏ ଟ୍ରେନର ଗତିପଥ ପରିବର୍ତ୍ତନ ।

Advertisment

ମାଡ଼ି ଆସୁଛି ବାତ୍ୟା ମୋନ୍ଥା । ବଙ୍ଗୋପସାଗରରେ କାୟା ମେଲାଇ ଆଗକୁ ବଢୁଛି । ସମୟକ୍ରମେ ବଢୁଛି ବାତ୍ୟାର ବେଗ । ଏବେ ଘଣ୍ଟାପ୍ରତି ୧୮ କିମି ବେଗରେ ଆଗକୁ ବଢୁଛି । କାକିନାଡ଼ାରୁ ୬୦୦ କିମି ଓ ଗୋପାଳପୁରରୁ ୭୫୦ କିମି ଦୂରରେ ରହିଛି । ୨୪ ଘଣ୍ଟାରେ ଭୀଷଣ ବାତ୍ୟାରେ ପରିଣତ ହୋଇ କାକିନାଡ଼ା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ଓ ଝଟକା ପବନର ବେଗ ୧୧୦ କିଲୋମିଟର ଯାଏ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା । ଏପଟେ ବିଶାଖାପାଟନମ୍ ରାଡର୍‌ରେ ବାତ୍ୟାର ବାହ୍ୟ ବଳୟ ଦୃଶ୍ୟମାନ ହେବାସହ ଆନ୍ଧ୍ରପ୍ରଦେଶ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଆରମ୍ଭ ହୋଇଯାଇଛି ।

କାକିନାଡ଼ାରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ମୋନ୍ଥା । ଏଥିପାଇଁ ଆନ୍ଧ୍ର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଉପକୂଳରେ ସରକାରୀ କୋଠା, ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ମିଶାଇ ମୋଟ୍ ୨୬୯ ଆଶ୍ରୟସ୍ଥଳୀ କରାଯାଇଛି । ଉପ୍ପଡା ଉପକୂଳରେ ୫୯ଟି ଆଶ୍ରୟସ୍ଥଳୀ ରହିଛି । ଉପ୍ପଡାରେ ମତ୍ସ୍ୟଜୀବୀମାନେ ଅଧିକ ପ୍ରଭାବିତ ହୋଇପାରନ୍ତି । ଏଠାରେ ଉପକୂଳ କ୍ଷୟ ହୋଇପାରେ । ଏନଡିଆରଏଫର ୩୦ ଅଧିକାରୀ ନିୟୋଜିତ ହୋଇଛନ୍ତି । ଏସଡିଆରଏଫରୁ ୫୦ ଅଧିକାରୀ ନିୟୋଜିତ ଅଛନ୍ତି । ରିଲିଫ ଓ ବାତ୍ୟା ପରବର୍ତ୍ତୀ କାର୍ଯ୍ୟ ତୁଲେଇବେ । ମନ୍ତ୍ରୀ ପି. ନାରାୟଣଙ୍କ ସମୀକ୍ଷା ବୈଠକରେ ସୂଚନା । ମନ୍ତ୍ରୀ ନିଜେ ସ୍ଥିତିର ସମୀକ୍ଷା କରୁଛନ୍ତି ।

ଗଜପତି ଜିଲ୍ଲାରେ ଆସନ୍ତାକାଲି ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ଏହାର ପ୍ରଭାବରେ ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା ୯୪୬ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ମୋଟ ୪ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଅସୁରକ୍ଷିତ କିମ୍ବା କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମୋଟ ୧୬୬ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା।  ସେଥି ମଧ୍ୟରୁ ୯୧ ଜଣ ମହିଳାଙ୍କୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମ ବିଭାଗର ୭ଟି ଟିମ୍, ଓଡ୍ରାଫ୍ ୩ଟି ଟିମ୍ ଓ ଗୋଟିଏ ଏନଡି ଆରଫ୍ ଟିମ୍ ଜିଲ୍ଲାରେ ଆସି ପହଞ୍ଚିବେ । ପ୍ରତି ମୁହୂର୍ତ୍ତର ଖବର ଉପରେ ନଜର ରଖାଯାଇଛି, ତତ୍ କ୍ଷଣାତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।

ବାତ୍ୟା ମୋନ୍ଥାର ମୁକାବିଲା ଲାଗି ସଜାଗ ଅଛନ୍ତି ଅଗ୍ନିଶମ ବାହିନୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଅଗ୍ନିଶମ ଟିମ୍ ସଜାଗ ରହିଛନ୍ତି । ବ୍ରହ୍ମପୁର ଆର୍‌ଡିସି ସର୍କଲରେ ୧୨୩ ଅଗ୍ନିଶମ ଟିମ୍‌, କଟକରେ ୧୪୪ ଟିମ୍‌ ମୁତୟନ ହୋଇଛନ୍ତି । ପାୱାର ବୋଟ୍‌, ରବର ବୋଟ୍‌, ଜେସିବି ମେସିନ, ଗଛକଟା ଯନ୍ତ୍ର ଭଳି ଅତ୍ୟାଧୁନିକ ଉପକରଣ ଯୋଗାଇ ଦିଆଯାଇଛି । ଗ୍ରାଉଣ୍ଡରେ ଅଗ୍ନିଶମ ବାହିନୀର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି ।