କନକ ବ୍ୟୁରୋ : ବିଦ୍ୟାଳୟ ପରିସରରେ ଚିନ୍ତା ବଢ଼ାଇଛି ବିପଦପୂର୍ଣ୍ଣ କୋଠା । ଛାତରୁ ଖସୁଛି ପ୍ଲାଷ୍ଟର । ଅସୁରକ୍ଷିତ ଶତାଧିକ ଛାତ୍ରଛାତ୍ରୀ । ଭବିଷ୍ୟତରେ ପିଲାଙ୍କ ପାଇଁ କାଳ ସାଜିପାରେ ଏହି କୋଠା । ମାଳମାଳ ଅଭିଯୋଗ ପରେ ନିଆଯାଉନି ପଦକ୍ଷେପ ।

Advertisment

ଖୋର୍ଦ୍ଧା ଜିଲ୍ଲାର ପୁରାତନ ବିଦ୍ୟାଳୟ ତାଲିକାରେ ରହିଛି ବୋଲଗଡ଼ ବାମନ ବିଦ୍ୟାଳୟ । ବହୁ କୃତି ଛାତ୍ରଛାତ୍ରୀଙ୍କୁ ଗଢ଼ି ତୋଳିଛି ଏହି ବିଦ୍ୟାଳୟ । ହେଲେ ଆଜି ଅସୁରକ୍ଷିତ । ବିଦ୍ୟାଳୟ ପରିସରରେ ରହିଛି ବିପଦସଙ୍କୁଳ କୋଠା । ନା ତାକୁ ଭଙ୍ଗା ଯାଉଛି, ନା ପୁନଃରୁଦ୍ଧାର କରାଯାଉଛି । ପାଖରେ ଠିଆ ହେଲେ ଡର ଲାଗୁଛି । ସେହି ବିପଦପୂର୍ଣ୍ଣ କୋଠାରେ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଛି । ଆଉ ତା'ପାଖରେ ବସି ପିଲାମାନେ  ଖାଉଛନ୍ତି । ଖେଳାଖେଳି ବି କରୁଥିବା ଦେଖିବାକୁ ମିଳେ । ଦୁର୍ଭାଗ୍ୟବଶତଃ କେବେ କିଛି ଅଘଟଣ ଘଟିଲେ ପିଲାଙ୍କ ଜୀବନ ପ୍ରତି ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।

ଅଧିକ ପଢ଼ନ୍ତୁ : ବିଦ୍ୟାଳୟର ଭିତ୍ତିଭୂମି ଅସଜଡ଼ା; ଗୋଦାମ ଘର ଓ ବାରଣ୍ଡାରେ ପିଲା

ସ୍ୱାଧୀନତା ପୂର୍ବରୁ ଅର୍ଥାତ୍‌ ୧୯୪୩ ମସିହାରୁ ପ୍ରତିଷ୍ଠିତ ବୋଲଗଡ଼ ବାମନ ଉଚ୍ଚ ବିଦ୍ୟାଳୟ । ବିଦ୍ୟାଳୟରେ ପଢ଼ୁଛନ୍ତି ୫ଶହରୁ ଅଧିକ ଛାତ୍ରଛାତ୍ରୀ । ବିଦ୍ୟାଳୟ ପରିସରରେ ନିର୍ମାଣ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀ ଏବେ ଜରାଜୀର୍ଣ୍ଣ । କେଉଁଠି ଅନାବନା ଉଚ୍ଚର ଗଛ ଉଠିଛି ତ କେଉଁଠି ଭାଙ୍ଗି ରୁଜି ଯାଇଛି । ଏହା ସ୍କୁଲ ପାଇଁ ବିପଦ ହୋଇଥିବାରୁ ଏହାକୁ ଭାଙ୍ଗିବା ପାଇଁ ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଅବଗତ କରାଯାଇଛି  । ହେଲେ କେହି କର୍ଣ୍ଣପାତ କରୁନାହାନ୍ତି । ପରରସ୍ପରକୁ ଦାୟିତ୍ୱ ଠେଲି ଚୁପ୍‌ ବସିଛି ପ୍ରଶାସନ ।

ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାନୁଷ୍ଠାନ ନେବ ବୋଲି ବୋଲଗଡ଼ ବିଡିଓ କହୁଥିବା ବେଳେ ବିଭାଗ କାହିଁକି ଚୂପ୍‌ ବୋଲି ପ୍ରଶ୍ନ ଉଠିଛି । ଅଭିଯୋଗ ପରେ ବି କାହିଁକି ନିରବ ପ୍ରଶାସନ ? ଅଘଟଣକୁ ଅପେକ୍ଷା କରିଛି କି ? ଯଦି କିଛି ବଡ଼ ଅଘଟଣ ଘଟେ ତେବେ କିଏ ରହିବ ଦାୟୀ ? ଅସୁରକ୍ଷିତ କୋଠାକୁ ନଭାଙ୍ଗି ବିଦ୍ୟାଳୟ ପାଖରେ ଛାଡ଼ିଦେବା ଛୋଟଛୋଟ ପିଲାଙ୍କ ଜୀବନ ପ୍ରତି ଖେଳ ନୁହେଁ କି ?