କନକ ବ୍ୟୁରୋ: ଚର୍ଚ୍ଚାକୁ ଫେରିଲା କର୍ଣ୍ଣାଟକର କଂଗ୍ରେସ ସରକାର । ଅନେକ ବାଦ ବିବାଦ ପରେ କର୍ଣ୍ଣାଟକରେ କଂଗ୍ରେସ ସରକାର ଆସିଛି । ହେଲେ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଡିକେ ଶିବକୁମାର କିଛି ଏମିତି କରିଛନ୍ତି ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରଶ୍ନ ଉଠୁଛୁ, ଏମିତି ସ୍ଥିତିରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବେ ନିଜ ମୁଖ୍ୟମନ୍ତ୍ରୀ ଆସନ ବଂଚାଇବା କଷ୍ଟସାଧ୍ୟ ହେବ । ଗୋଟିଏ ପରେ ପୁରା ଦେଶରେ କଂଗ୍ରେସର ଅବସ୍ଥା ଯାହା ତାହା କାହାକୁ ବି ଅଛପା ନାହିଁ । ଏମିତି ସ୍ଥିତିରେ ଗୋଟିଏ ପରେ ଗୋଟିଏ ରାଜ୍ୟର ନିର୍ବାଚନରେ ଦଳ ହାରିବାରେ ଲାଗିଛି । ତେଣୁ କର୍ଣ୍ଣାଟକରେ କଂଗ୍ରେସ ସରକାର ଟଳମଳ ହେଲେ ଜାତୀୟସ୍ତରର ନେତା ବି ଚିନ୍ତା କରିବା ସ୍ବାଭାବିକ କଥା । 

Advertisment

ଶିବକୁମାର-ସିଦ୍ଦରମୈୟାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ

୨୦୨୩ରେ ହୋଇଥିବା କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସକୁ ବହୁମତ ମିଳିଥିଲା । ହେଲେ ଏହାପରେ ଦେଖାଦେଇଥିଲା ମୁଖ୍ୟମନ୍ତ୍ରୀ ଆସନ କେଁ । କିଏ ମୁଖ୍ୟମନ୍ତ୍ରୀ ହେବ ସେନେଇ ବାରମ୍ବାର ରୁଦ୍ଧଦ୍ବାର ବୈଠକ ହୋଇଥିଲା । ଶେଷରେ ସିଦ୍ଦରମୈୟା ହିଁ ସିଏମ ହେବେ ବୋଲି ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ସିଦ୍ଦରମୈୟା । କୁହାଯାଉଛି କି, ଏବେ ବି ସିଏମ ଆସନ ପାଇଁ ଉଭୟ ନେତାଙ୍କ ମଧ୍ୟରେ ଏବେ ବି ତୁ ତୁ ମେଁ ମେଁ ଚାଲିଛି । ପୂର୍ବରୁ ବି ଉଭୟ ନେତାଙ୍କ ବିରୋଧରେ ଚାଲିଥିବା ଶୀତଳ ଯୁଦ୍ଧକୁ ଥଣ୍ଡା କରିବା ଲାଗି କେନ୍ଦ୍ର ନେତୃତ୍ବ ହସ୍ତକ୍ଷେପ କରିଥିଲେ । ମାମଲା କିଛି ଦିନ ପାଇଁ ଥଣ୍ଡା ହୋଇଥିଲା ସତ ହେଲେ ଏବେ ପୁଣି ଥରେ ଦୁଇ ନେତାଙ୍କ ମଧ୍ୟରେ କେଁ ଦେଖାଗଲାଣି। ଏମିତି ସ୍ଥିତିରେ ଆଗାମୀ ଦିନରେ ସରକାର ବିନା ବିପଦରେ ଚାଲିବା କଷ୍ଟସାଧ୍ୟ ହେବ ବୋଲି କୁହାଯାଉଛି । 

ଅଢେଇ ଅଢେଇ ବର୍ଷ ସିଏମ୍‌

ରାଜ୍ୟର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଥିବା ମନମାଳିନ୍ୟକୁ ପ୍ରଶମିତ କରିବା ଲାଗି କୁଆଡ଼େ ଜାତୀୟ ନେତୃତ୍ବ ଦୁଇ ନେତାଙ୍କୁ ଅଢେଇ ବର୍ଷ ଲେଖାଏଁ ସିଏମ ରହିବା ଲାଗି ପ୍ରତିଶ୍ରୁତି ଦେଇଥିଲେ । ଏହାରି ଭିତରେ ସିଦ୍ଦରମୈୟାଙ୍କର ଅଢେଇ ବର୍ଷ ହୋଇଗଲାଣି । ତେଣୁ ଶିବକୁମାର ପରୋକ୍ଷରେ କହିଛନ୍ତି, ଏବେ ସେ ହିଁ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ । ହେଲେ ସିଦ୍ଦରମୈୟା ସିଟ୍‌ ଛାଡ଼ିବାକୁ ନାରାଜ ଅଛନ୍ତି । ସେପଟେ ସିଦ୍ଦରମୈୟାଙ୍କ ରାଜନୈତିକ ପରାମର୍ଶଦାତା ତଥା ବରିଷ୍ଠ ନେତା ବିଆର ପଟେଲ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ଖାସ ବ୍ୟକ୍ତି ନିଜ ପଦରୁ ଇସ୍ତଫା ଦେଇଛନ୍ତି ତେଣୁ ଆଗାମୀ ଦିନରେ କିଛି ଗୋଟାଏ ବଡ଼ ଘଟଣା ଘଟିବା ନେଇ ଆଶଙ୍କା କରାଯାଉଛି । 


କାହିଁକି ପଦ ଛାଡ଼ିଲେ ପାଟିଲ୍‌ ?

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଶିବକୁମାର ଓ ସିଦ୍ଦରମୈୟାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଲାଗି ହିଁ ପାଟିଲ ଇସ୍ତଫା ଦେଇଛନ୍ତି । ଯେହେତୁ ବି.ଆର ପାଟିଲ ୪ ଥରର ବିଧାୟକ, ତେଣୁ ତାଙ୍କର ପଦରୁ ଏମିତି ଅଚାନକ ଇସ୍ତଫା ଦେବାକୁ ରାଜନୈତିକ ସମୀକ୍ଷକ ସହଜରେ ଗ୍ରହଣ କରିପାରିନାହାନ୍ତି । ସେପଟେ, ପାଟିଲଙ୍କ ନିକଟତମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ବରିଷ୍ଠ ନେତା ଥିବା ପରେ ବି ତାଙ୍କୁ ଦଳରେ ସମ୍ମାନ ମିଳିଲା ନାହିଁ । ଯେଉଁଥିଲାଗି ସେ ପଦରୁ ଇସ୍ତଫା ଦେଇଛନ୍ତି । ସେପଟେ ପାଟିଲ ଯେଉଁ ଆସନରୁ ନିର୍ବାଚିତ ହୋଇଛନ୍ତି ସେହି ଆସନରୁ ସାଂସଦ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ବାପାଙ୍କ ଆସନରେ ବେଶ ସକ୍ରିୟ ଅଛନ୍ତି ଝିଅ ପ୍ରିୟଙ୍କା ଖଡଗେ । ଏହାମଧ୍ୟ ଜଣାପଡିଛି କି, ଖଡଗେ ଓ ପାଟିଲଙ୍କ ସମ୍ପର୍କ ଏତେ ଭଲ ନୁହେଁ । ଏହି କାରଣରୁ ସିଦ୍ଦରମୈୟାଙ୍କ ସରକାରରେ ପାଟିଲଙ୍କୁ ଉଚିତ୍‌ ସମ୍ମାନ ମିଳିଲାନାହିଁ । ଅବଶ୍ୟ ଏହା କେତେ ସତ ତାହା ତ ଜଣାପଡ଼ିନି କିନ୍ତୁ ଏନେଇ ଚର୍ଚ୍ଚା ଜୋର ଚାଲିଛି । 

କାହିଁକି ମନ୍ତ୍ରୀପଦ ପାଇଲେ ନାହିଁ ପାଟିଲ୍‌ ?

ସେପଟେ ରାଜ୍ୟରେ ଚାଲିଥିବା ରାଜନୈତିକ ବାକଯୁଦ୍ଧକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋଦ ସିଏମ । କହିଛନ୍ତି, ଏନେଇ ମୁଁ ପାଟିଲଙ୍କ ସହ ଆଲୋଚନା କରିବି। କୁହାଯାଉଛି କି, ପାଟିଲଙ୍କ ନିର୍ବାଚନ କ୍ଷେତ୍ରରେ ଖଡଗେଙ୍କ ଝିଅ ପ୍ରିୟଙ୍କାଙ୍କ ଲଗାତାର ଦବଦବା ବଢିବାରେ ଲାଗିଛି । ତେଣୁ ଗୋଳିଆ ପରିସ୍ଥିତିରୁ ନିଜକୁ ଦୂରେଇ ରଖୁଛନ୍ତି ପାଟିଲ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସେ ଖାସ । ତେଣୁ ପାୱାର କରିଡରରେ ତାଙ୍କର ଦବଦବା ରହିଛି । ୨୦୨୩ରେ ପାଟିଲଙ୍କୁ ମନ୍ତ୍ରୀ କରିବା ଲାଗି ସିଦ୍ଦରମୈୟା ଚାହିଁଥିଲେ ହେଲେ ଅନ୍ୟ ଜଣେ ବିଧାୟକ ଓ ପ୍ରିୟଙ୍କା ମନ୍ତ୍ରୀ ପଦ ପାଇଗଲେ, ସିଦ୍ଦରମୈୟାଙ୍କ ପ୍ଲାନ ଫେଲ ମାରିଗଲା । ତେଣୁ ନିଜର ଖାସ ନେତାଙ୍କୁ ନିଜର ରାଜନୈତିକ ପରାମର୍ଶଦାତା କରିଥିଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । ଏହାପରେ ବି ପାଟିଲଙ୍କ ସହ କାଳେ ମୁଖ୍ୟମନ୍ତ୍ରୀ ବିଶେଷ ଆଲୋଚନା କରୁନଥିଲେ । ତେଣୁ ନିଜ ପଦରୁ ଇସ୍ତଫା ଦେବାକୁ ପାଟିଲ ମନସ୍ଥ କରିଥିଲେ । ଖାଲି ମନସ୍ଥ କରିଥିଲେ ତାହା ନୁହେଁ ବରଂ ପଦରୁ ଇସ୍ତଫା ବି ଦେଇଦେଲେ । ଏମିତି ସ୍ଥିତିରେ କଂଗ୍ରେସ ରାଜନୀତି ଗୋଳିଆ ହେବାରେ ଲାଗିଛି । ତେଣୁ ଆଗାମୀ ଦିନରେ ସିଦ୍ଦରମୈୟାଙ୍କ ପାଖରେ ସିଏମ ଚୌକି ରହୁଛି କି ଶିବକୁମାରଙ୍କ ପାଖକୁ ଯାଉଛି ତାହା ସମୟ କହିବ । ମୋଟ୍ ଉପରେ କଂଗ୍ରେସର ନେତୃତ୍ବ ସଂକଟରେ ଥିବା କୁହାଯାଉଥିବା ବେଳେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ନେତାଏ ଯେମିତି ବାକଯୁଦ୍ଧ କରୁଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ କର୍ଣ୍ଣାଟକରେ କିଛି ଗୋଟାଏ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।