Chhattisgarh Blocks Mahanadi Photograph: (Kanak News)
କନକ ବ୍ୟୁରୋ : ଏପଟେ ଭୁବନେଶ୍ୱରରେ ଚାଲିଥିଲା ମହାନଦୀ ବିବାଦର ସମାଧାନ ବୈଠକ । ସେପଟେ ମହାନଦୀକୁ ମାରିଦେବାକୁ ଷଡ଼ଯନ୍ତ୍ର ଚଳାଇଥିଲା ଛତିଶଗଡ଼ । ଭୁବନେଶ୍ୱର ବୈଠକରେ କଣ ସମାଧାନ ରାସ୍ତା ହେଲା, ଜଣାନାହିଁ । କିନ୍ତୁ ଛତିଶଗଡ଼ରେ ବ୍ୟାରେଜ ପାଣି ଅଟକାଇବା ଲାଗି ତିଆରି ଚାଲିଥିଲା ବାଲି ବନ୍ଧ । ପ୍ରଶ୍ନ ଉଠୁଛି, ପଡ଼ିଶା ଛତିଶଗଡ଼ ଓଡ଼ିଶା ବିରୋଧରେ ଷଡଯନ୍ତ୍ର କରୁଥିବା ବେଳେ ଆପୋସ ସମାଧାନ କେମିତି ? ବିନା ସର୍ତ୍ତରେ ଆଲୋଚନା କେମିତି ?
ମହାନଦୀ ଆଉ ବଙ୍ଗୋପସାଗର ଛୁଇଁବନି । ଓଡ଼ିଶାର ପ୍ରବେଶପଥରେ ମହାନଦୀକୁ ମାରିଦେବାକୁ ଷଡଯନ୍ତ୍ର ରଚିଛି ଛତିଶଗଡ଼ । ତଣ୍ଟି ଚିପି ଦେଲାଣି । କଲମା ବ୍ୟାରେଜ କରି ବହୁ ପୂର୍ବରୁ ମହାନଦୀର ପାଣିକୁ ଅଟକାଇଥିଲା । ଏବେ ଅଣମୌସୁମୀ ଋତୁରେ ଅଣନିଶ୍ୱାସୀ କରିସାରିଲାଣି । ଏବେ କେବଳ ଗୋଟିଏ ଗେଟ୍ ଦେଇ କେଇ ସେଣ୍ଟିମିଟର ଫାଟକ ଖୋଲାଯାଇଛି । ସେହିବାଟ ଦେଇ ଆସୁଛି ପାଣି । ଅସଲ କଥା କିନ୍ତୁ ଭିନ୍ନ । ଏଇ ମୁନ୍ଦାକ ପାଣିର ବାଟ ଓଗାଳିଛି ଛତିଶଗଡ଼ । ଜେସିବି ଲଗାଇ ବାଲିବନ୍ଧ ବାନ୍ଧୁଛି । ଦିନ ଦ୍ୱିପହରେ ବେଧଡ଼କ ଚାଲିଛି । ନଦୀ ଧାରରେ ଆସୁଥିବା ବଳକା ପାଣିକୁ ଅଟକାଇ ଘରୋଇ କମ୍ପାନିକୁ ଦେବା ଲାଗି ଚାଲିଛି ଯୋଜନା ।
ଅଧିକ ପଢ଼ନ୍ତୁ :ଦୋଛକିରେ ମହାନଦୀର ଭାଗ୍ୟ ଓ ଭବିଷ୍ୟତ; ଛତିଶଗଡ଼ ପଟେ ପାଣି ପାଣି, ଓଡ଼ିଶା ପଟେ ଖାଲି ବାଲି
ମହାନଦୀ ଉପରେ ନିର୍ମାଣରେ ରୋକ ଲାଗି ୭ବର୍ଷ ତଳୁ ଚିତ୍କାର କରୁଛି ଓଡ଼ିଶା । ନ୍ୟାୟ ଦେଲେନି ସୁପ୍ରିମକୋର୍ଟ କି ଟ୍ରିବ୍ୟୁନାଲ । ଛତିଶଗଡର ନିର୍ମାଣ କାର୍ଯ୍ୟରେ ଏଯାଏଁ ବି ଲାଗିପାରିନି ରୋକ । ଏବେ ବଦଳିଯାଇଛି ସରକାର ଓ ବଦଳିଯାଇଛି ତରିକା । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିନାହାନ୍ତି ନୂଆ ସରକାର । ଅଫିସରଙ୍କ କାଗଜ ଧରି ଆପୋସ ସମାଧାନ ପାଇଁ ଏବେ ତୟାର । ପ୍ରଶ୍ନ ଉଠୁଛି, ଯେବେ ଛତିଶଗଡ଼ ଓଡ଼ିଶାର ମା ନଦୀକୁ ମାରିଦେବାକୁ ବସିଛି, ସେଥିରେ ସୁଧାନ ନ ଆସିବା ଯାଏ ଆଲୋଚନା ହେବ କେମିତି ?
ଏହାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ରାଜ୍ୟ ସରକାର ।
ଏବେ କେନ୍ଦ୍ରରେ ବିଜେପି ସରକାର । ଛତିଶଗଡ-ଓଡ଼ିଶାରେ ବି ଗେରୁଆ ଶାସନ । ଅର୍ଥାତ୍ ଟ୍ରିପଲ ଇଞ୍ଜିନ ସରକାର ହାତରେ ମହାନଦୀର ଭାଗ୍ୟ ।
Follow Us