Obscene Dance Photograph: (Kanak News)
କନକ ବ୍ୟୁରୋ : ଯାତ୍ରାରେ ଆଉ ଚଳିବନି ଅଶ୍ଳୀଳ ନୃତ୍ୟ । ଛତିଶଗଡ଼ରେ ଆକ୍ସନ ପରେ ଚେତିଛନ୍ତି ଓଡ଼ିଶା ସରକାର । ଏଣିକି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କଲେ, ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଅଶ୍ଳୀଳ ନୃତ୍ୟ ପାଇଁ ଓଡ଼ିଶାରେ ବଦନାମ ମୁଣ୍ଡାଉଛି ଯାତ୍ରା । ମଞ୍ଚରେ ପ୍ରଦର୍ଶିତ ହେଉଛି ଔଦ୍ଧତ୍ୟଭରା ନଗ୍ନ ନୃତ୍ୟ । ଜିଲ୍ଲା ପ୍ରଶାସନର ଆଖି ଆଗରେ ସବୁ କିଛି ଚାଲୁଛି । କିନ୍ତୁ ସବୁ ଦେଖି ଚୁପ୍ । ହେଲେ ଛତିଶଗଡ଼ ସରକାରଙ୍କୁ ଏହି ଅଶ୍ଳୀଳ ନୃତ୍ୟ ବରଦାସ୍ତ ହେଲାନି । ଗୋଟିଏ ପଟେ ଓଡ଼ିଶାରେ ସରକାର କାର୍ଯ୍ୟାନୁଷ୍ଠାନ କେବଳ କଥାରେ କହୁଥିଲା ବେଳେ ଛତିଶଗଡ଼ରେ କିନ୍ତୁ ଦେଖିବାକୁ ମିଳିଛି ସିଧା ଆକ୍ସନ । ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ଓଡ଼ିଆ ଅପେରା ପାର୍ଟି ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ଦେଖାଉଥିବା ବେଳେ ଚିହିଁକି ଉଠିଥିଲେ ଦର୍ଶକ । ସିଧା ପେଣ୍ଡାଲ ଉପରକୁ ଫୋପାଡ଼ିଥିଲେ ଚେୟାର । ଖବର ପହଞ୍ଚିଥିଲା ଜିଲ୍ଲାପାଳଙ୍କ ପାଖରେ । ଅଶ୍ଳୀଳ ନୃତ୍ୟକୁ ଅନୁମତି ଦେଇଥିବା ଅଫିସରଙ୍କ ଉପରେ ନିଆଗଲା କଡ଼ା କାର୍ଯ୍ୟାନୁଷ୍ଠାନ । ୧୪ ଆୟୋଜକ ଗିରଫ, ୩ ପୁଲିସ କର୍ମଚାରୀ ନିଲମ୍ବିତ ଏବଂ ପେଣ୍ଡାଲ ପାଖରେ ଅଶ୍ଳୀଳ ନୃତ୍ୟର ମଜା ନେଇ ମସଗୁଲ ଥିବା ଉପଜିଲ୍ଲାପାଳଙ୍କୁ କରାଯାଇଛି ସିଧା ବଦଳି ।
ଅଧିକ ପଢ଼ନ୍ତୁ : ଲୋକଙ୍କ ଜୀବନ ସହ ଖେଳ, ରାଜଧାନୀ ଆକାଶରେ ମାଞ୍ଜା ସୂତାର ଜାଲ
ଯାତ୍ରାରେ ଅଶ୍ଳୀଳ ନୃତ୍ୟ ନେଇ ବାରମ୍ବାର ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ କଥା କୁହାଯାଉଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ଗତବର୍ଷ ଖଣ୍ଡଗିରିରେ ମାଘ ମେଳାରେ ନଗ୍ନ ନୃତ୍ୟ ବିରୋଧରେ ସକ୍ରିୟ ହୋଇଥିଲା ବିଜେପି ବିଧାୟକ ବାବୁ ସିଂହଙ୍କ ଠେଙ୍ଗା ବାହିନୀ । ହେଲେ ଏହା କେବଳ ଖଣ୍ଡଗିରିରେ ସୀମିତ ଥିଲା । କିନ୍ତୁ ଓଡ଼ିଶାର ବାକି ଜାଗାରେ ଖୋଲାଖୋଲି ଚାଲିଛି ଅଶ୍ଳୀଳ ନୃତ୍ୟ । ବିଡ଼ମ୍ବନାର କଥା ହେଉଛି ଏସବୁକୁ ପ୍ରଶାସନ କେମିତି ଅନୁମତି ଦେଉଛି ? ଆଗକୁ ମକର ମେଳା ଓ ମାଘ ମେଳା ଆସୁଥିବାରୁ ସରକାର ଏହା ଉପରେ ରୋକ୍ ଲଗାଇପାରିବେ ନାହିଁ ।
ଓଡ଼ିଶାର ସଂସ୍କୃତିକୁ ବଜାୟ ରଖିବାକୁ ସଂସ୍କୃତି ବିଭାଗ ଯାତ୍ରାରେ ଅଶ୍ଳୀଳତା ରୋକିବା ପାଇଁ ଗାଇଡଲାଇନ ଆଣିଥିଲେ । ହେଲେ ବିଭାଗ ଯେମିତି ଯାତ୍ରାକୁ ଭୁଲିଯାଉଛି । ଏବେ ଛତିଶଗଡ଼ ଘଟଣା ପରେ ଓଡ଼ିଶା ସରକାର କି ପଦକ୍ଷେପ ନେବେ ? ପ୍ରଶ୍ନ ପଚାରୁଛନ୍ତି ଯାତ୍ରା କଳାକାର ।
Follow Us