କନକ ବ୍ୟୁରୋ: କଟକ ମାନେ ଦହିବରା ଆଉ ଦହିବରା ମାନେ ଭାଇଚାରା । ସିଲଭର ସିଟି କଟକର ଶୋଭା ବଢାଏ ଏହି ଦହିବରା । ଏହା କେବଳ ଏକ ଜଳଖିଆ ନୁହେଁ, ବରଂ କଟକିଆଙ୍କ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ । ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ । ଦହିଭିଜା ନରମ ବରା, ତା’ ଉପରେ ମସଲାଦାର ଆଳୁଦମ, ଘୁଘୁନି, କଟା ପିଆଜ, ଲଙ୍କା ଏବଂ ସେଓର ସେହି ଅପୂର୍ବ ମିଶ୍ରଣ... ଓଃ କି ସ୍ୱାଦ! ଶେଷରେ ସେହି ଥଣ୍ଡା ଦହିପାଣି ଗ୍ଲାସେ ପିଇଦେଲେ ପେଟ ସହ ମନ ବି ଶାନ୍ତି ହୋଇଯାଏ।
ଓଡ଼ିଆ ଲୋକଙ୍କ ଅତି ପ୍ରିୟ ଏହି ଖାଦ୍ୟକୁ ସମ୍ମାନ ଜଣାଇ ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖକୁ ‘ବିଶ୍ୱ ଦହିବରା ଆଳୁଦମ ଦିବସ’ ଭାବେ ପାଳନ କରାଯାଏ । କଟକର ଗଳି କନ୍ଦିରେ ସକାଳ ହେଉ କି ସନ୍ଧ୍ୟା, ଦହିବରା ଗାଡ଼ି ପାଖରେ ଲୋକଙ୍କ ଭିଡ଼ ଜମିଥାଏ । କହିବାକୁ ଗଲେ କଟକିଆଙ୍କ ଦିନ ଆରମ୍ଭ ହୁଏ ଦହିବରାରେ ଆଉ ଶେଷ ବି ହୁଏ ଦହିବରାରେ । ଏପରିକି ଦଶହରା ହେଉ କି ବାଲିଯାତ୍ରା, ଦହିବରା ବିନା କଟକର ସବୁ ପର୍ବ ଅଧା ।
କଟକରେ ଦହିବରା କହିଲେ କିଛି ନିର୍ଦ୍ଦିଷ୍ଟ ସ୍ଥାନର ନାଁ ଆପେ ଆପେ ମନକୁ ଆସେ । ସକାଳୁ ସକାଳୁ ବୋଷ କଲେଜ ପାଖ ‘ରଙ୍କ ଦହିବରା’ ଖାଇବାକୁ ଲୋକଙ୍କ ଲମ୍ବା ଧାଡ଼ି ଲାଗେ । ସେହିପରି ବିଡ଼ାନାସୀର କିମ୍ବଦନ୍ତୀ ‘ରଘୁ ଦହିବରା’, କୃଷକ ବଜାରର ‘ବାବୁଲା ଦହିବରା’ କିମ୍ବା କନିକା ଛକର ‘ତ୍ରିନାଥ ଦହିବରା’ଙ୍କ ସ୍ୱାଦ ଚାଖିବା ପାଇଁ ଲୋକେ ଦୂରଦୂରାନ୍ତରୁ ଧାଇଁ ଆସନ୍ତି । ପ୍ରତିଟି ଦୋକାନର ନିଜସ୍ୱ ଏକ ସ୍ୱତନ୍ତ୍ର ମସଲା ଓ ପ୍ରସ୍ତୁତି ଶୈଳୀ ରହିଛି, ଯାହା ଗ୍ରାହକଙ୍କୁ ବାରମ୍ବାର ଟାଣି ଆଣେ ।
ଆହୁରି ପଢ଼ନ୍ତୁ... ସମସ୍ତଙ୍କ ମନରେ ପ୍ରଶ୍ନ ;କେମିତି ହେଲା ଇରାନର ସର୍ବୋଚ୍ଚ ନେତାଙ୍କ ଉପରେ ଆକ୍ରମଣ ?
ଇତିହାସକୁ ଦେଖିଲେ, ୭୦-୮୦ ଦଶକରେ ବିଡ଼ାନାସୀ ଅଞ୍ଚଳର କିଛି ବେପାରୀ ସାଇକେଲରେ ଦହିବରା ହାଣ୍ଡି ଧରି ବ୍ୟବସାୟ ଆରମ୍ଭ କରିଥିଲେ । ସେ ସମୟରେ ରଘୁ ବେହେରାଙ୍କ ଦହିବରା ସବୁଠୁ ଅଧିକ ଲୋକପ୍ରିୟତା ହାସଲ କରିଥିଲା । ପରବର୍ତ୍ତୀ ସମୟରେ ୧୯୯୦ ମସିହା ବେଳକୁ ଏହା ଠେଲାଗାଡ଼ି ମାଧ୍ୟମରେ ସହରର କୋଣ ଅନୁକୋଣରେ ପହଞ୍ଚିଲା । ଆଜି କଟକର ଏହି ରାସ୍ତାକଡ଼ର ଖାଦ୍ୟ ତାର ସୀମା ଡେଇଁ ବିଶ୍ୱ ଦରବାରରେ ପହଞ୍ଚିଛି । ବିଦେଶରେ ରହୁଥିବା ଓଡ଼ିଆମାନେ ମଧ୍ୟ ନିଜ ମାଟିର ଏହି ସ୍ୱାଦକୁ ବହୁତ ଝୁରନ୍ତି ।
କଟକ ଦହିବରା ଆଳୁଦମ କେବଳ ଏକ ଖାଦ୍ୟ ନୁହେଁ, ଏହା ହେଉଛି ଓଡ଼ିଶାର ଆତିଥେୟତା ଏବଂ ସଂସ୍କୃତିର ପ୍ରତୀକ । ତେଣୁ ଏହି ବିଶ୍ୱ ଦହିବରା ଦିବସରେ ଆସନ୍ତୁ ଆଉ ଥରେ ସେହି ଦହିଭିଜା ବରା ଆଉ ଚଟପଟା ଆଳୁ କଷାର ମଜା ନେବା ଏବଂ କହିବା - "ଆମ ଦହିବରା, ସବୁଠୁ ନିଆରା!"
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/01/dahibara-aloodum-2026-03-01-15-31-10.jpg)