କନକ ବ୍ୟୁରୋ : ପୁଲିସ ଏସ୍‌ଆଇ ନିଯୁକ୍ତି ମହାକେଳେଙ୍କାରୀ ମାମଲା । ରାକେଟ୍‌ର ଗୁମର ଖୋଲିବାକୁ ପ୍ରଥମ ପାଳି ପଡ଼ିଛି ଜାମିନରେ ଥିବା ପରୀକ୍ଷାର୍ଥୀଙ୍କର । ୧୦ ଜଣଙ୍କୁ ମାରାଥନ୍ ଜେରା କରି ତଥ୍ୟ ପ୍ରମଣ ଯୋଗାଡ଼ କରୁଛି ସିବିଆଇ । ଚେଷ୍ଟା କରୁଛି ଏହାର ମୁଖ୍ୟ କାର୍ପଟଦାର ପାଖରେ ପହଞ୍ଚିବାକୁ । ସେପଟେ ପରୀକ୍ଷାର୍ଥୀଙ୍କୁ ଜେରା ପରେ ସିବିଆଇ ଖୁବଶୀଘ୍ର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ ବି ରିମାଣ୍ଡରେ ଆଣିପାରେ ବୋଲି ସୂଚନା ମିଳିଛି ।

Advertisment

ପୁଲିସ ଏସ୍‌ଆଇ ନିଯୁକ୍ତି ମହାକେଳେଙ୍କାରୀ ମାମଲାରେ ସିବିଆଇ ଅଫିସରେ ହାଜର ହେଉଛନ୍ତି ଜଣେ ପରେ ଜଣେ ପରୀକ୍ଷାର୍ଥୀ । ଜାମିନରେ ଥିବା ୧୧୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସିବିଆଇ ପ୍ରଥମ ପର୍ଯ୍ୟାୟରେ ୧୦ ଜଣଙ୍କୁ ସମନ୍ କରିଥିଲା । ଗତକାଲି ୪ ଜଣଙ୍କୁ ୮ ଘଣ୍ଟା ଧରି ମାରାଥନ୍ ଜେରା, ଆଉ ଆଜି ବି ହାଜର ହେଉଛନ୍ତି ବାକି ପରୀକ୍ଷାର୍ଥୀ । ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରୁଛନ୍ତି ସିବିଆଇ ଅଧିକାରୀ । କିଏ, କେତେ, କେବେ, କେମିତି, କାହାକୁ, କାହାଠୁ ...ଏମିତି ଅନେକ ପ୍ରଶ୍ନବାଣରେ ଘାଇଲା ହୋଇ, ପରୀକ୍ଷାର୍ଥୀମାନେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସିବିଆଇ ଆଗରେ ରଖିଥିବା ସୂଚନା ମିଳିଛି । 

ଅଧିକ ପଢ଼ନ୍ତୁ--ପାଖେଇ ଆସୁଛି ବାରବାଟି ଲଢ଼େଇ;ଶୃଙ୍ଖଳିତ ହେବ ତ ଟିକେଟ୍‌ ବିକ୍ରି ବ୍ୟବସ୍ଥା

ସିଣ୍ଡିକେଟ୍‌ର ଗୁମର ଖୋଲିବାକୁ ଆଗକୁ ପଡ଼ିବ ଶଙ୍କର ପୃଷ୍ଟି ପାଳି । ଖୁବଶୀଘ୍ର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିକୁ ରିମାଣ୍ଡରେ ଆଣି ଘାଣ୍ଟିପାରେ ସିବିଆଇ । ଅନ୍ତରାଜ୍ୟ ନେଟୱର୍କର ଗୁମର ଖୋଲିବା ସହ, ଫୋକସ୍‌ରେ ରହିପାରେ ‘ହଜାରେ କୋଟିର ଡିଲ୍‌’ । ଶଙ୍କର ଗିରଫ ହେବା ବେଳେ ଦେଇଥିବା 'ହଜାରେ କୋଟି ଡିଲ୍' ବୟାନର ରହସ୍ୟ ଭେଦିବାକୁ ଚେଷ୍ଟା କରିପାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଏଥିସହ କେଳେଙ୍କାରୀରେ ସମ୍ପୃକ୍ତ ଥିବା ବଡ଼ବଡ଼ିଆଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରିବ। ଏକାଧିକ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ସଂପୃକ୍ତି ନେଇ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ, ଏହାର ଖୁଲାସା ପାଇଁ ଚେଷ୍ଟା କରିପାରେ । ଏସବୁ ଭିତରେ କ୍ରାଇମବ୍ରାଞ୍ଚ ପାଖରୁ ମାମଲାର ସମସ୍ତ ତଥ୍ୟ ଓ ଦସ୍ତାବିଜ ସିବିଆଇ ହାତେଇଥିବା ସୂଚନା ମିଳିଛି ।