କନକ ବ୍ୟୁରୋ : କଟକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ୍‌କୁ ନେଇ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । କିନ୍ତୁ ଏଥର ଟିକେଟ୍‌ ସଂଖ୍ୟା ହ୍ରାସ କରାଯିବାକୁ ନେଇ ପ୍ରଶଂସକମାନେ ସାମାନ୍ୟ ନିରାଶ ହୋଇଛନ୍ତି । ଗ୍ୟାଲେରି ମରାମତି ଚାଲିଥିବାରୁ ଏଥର ସିଟ୍‌ ସଂଖ୍ୟା ୨ରୁ ଅଢ଼େଇ ହଜାର କମିପାରେ । ଏହାରି ଭିତରେ ଅଫ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରିକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛନ୍ତି । 

Advertisment

ବାରବାଟୀ ମ୍ୟାଚ୍ ପାଖେଇ ଆସୁଥିବା ବେଳେ ଆସନ୍ତା ଡିସେମ୍ବର ୧ରୁ ଅନ୍‌ଲାଇନ୍‌ରେ ମିଳିବ ଟିକେଟ୍ । ୫ ଡିସେମ୍ବରରେ ଅଫ୍‌ଲାଇନ୍‌ରେ ଟିକେଟ୍ ବିକ୍ରି ହେବ । ପୂର୍ବ ଘଟଣା ଉପରେ ନଜର ପକାଇଲେ ଯେତେବେଳେ ଅଫ୍‌ଲାଇନ୍‌ ଟିକେଟ୍ ବିକ୍ରି ହୁଏ, ସାମ୍ନାକୁ ଆସେ ଅବ୍ୟବସ୍ଥାର ମାଳମାଳ ଚିତ୍ର । କିଏ ବସ୍ତି ଲୋକଙ୍କୁ ଟଙ୍କା ଦେଇ ଲାଇନ୍‌ରେ ଛିଡ଼ା କରେ ତ କେତେବେଳେ ଉପୁଜେ ଠେଲାପେଲା ସ୍ଥିତି । ଶେଷରେ ଅନେକ କ୍ରିକେଟପ୍ରେମୀ ଟିକେଟ୍ ନପାଇ ନିରାଶ ହୋଇ ଫେରନ୍ତି । ଏଭଳି ସ୍ଥିତିରେ ସବୁ ଟିକେଟ୍‌ କାହିଁକି ଅନ୍‌ଲାଇନ୍‌ରେ ବିକ୍ରି କରାଯାଉନି ସେ ନେଇ ପ୍ରଶ୍ନ କରିଛନ୍ତି କ୍ରିକେଟ୍ ପ୍ରେମୀ । 

ଅଧିକ ପଢ଼ନ୍ତୁ--ଦିଲ୍ଲୀରେ ଆଇଏସ୍‌ଆଇର ଅସ୍ତ୍ର ଚାଲାଣ ନେଟୱର୍କ ଠାବ; ପାକିସ୍ତାନରୁ ଡ୍ରୋନ୍‌ରେ ଆସୁଥିଲା ବନ୍ଧୁକ

ବାରବାଟୀରେ ଦର୍ଶକଙ୍କ କ୍ଷମତା ୪୫ ହଜାର । ଯେଉଁଥିରୁ ପାଖାପାଖି ୨୨ ହଜାର ଟିକେଟ୍‌ ପାସ୍‌ ଆକାରରେ ବାଣ୍ଟି ଦିଆଯାଏ । ଏହାବାଦ୍‌ ଅନ୍‌ଲାଇନ୍‌ରେ ପ୍ରାୟ ୪ ହଜାର ଟିକେଟ୍‌ ଛଡ଼ାଯିବା ପରେ ବଳକା ଟିକେଟ୍‌ ଅଫ୍‌ଲାଇନ୍‌ରେ ବିକ୍ରି କରାଯାଏ । ଯେଉଁଥିରୁ ଅନୁବନ୍ଧିତ କ୍ଲବ୍‌ ଓ ସଂସ୍ଥାମାନେ ଟିକେଟ୍‌ କିଣିସାରିବା ପରେ ଅବଶିଷ୍ଟ କାଉଣ୍ଟରେ ମିଳିଥାଏ । ଏଥର ଅନ୍‌ଲାଇନ୍‌ରେ ଟିକେଟ୍ କିଣିବା ବେଳେ ୨ଟି ଓଟିପି ବ୍ୟବସ୍ଥା ହୋଇଛି । ଫଳରେ ଓଟିପି ଭରିବା ସମୟରେ ଅନ୍ୟ ଲୋକମାନେ ମଧ୍ୟ ଟିକେଟ୍‌ କିଣିବାର ସୁଯୋଗ ପାଇବେ। ତେଣୁ ହଠାତ୍‌ ଅନ୍‌ଲାଇନ୍‌ ଟିକେଟ୍‌ ସରିଯିବା ଭଳି ସ୍ଥିତି ହେବ ନାହିଁ ବୋଲି ଓସିଏ କହିଛି । ଟିକେଟ୍‌ ବିକ୍ରିରେ କଳାବଜାରୀକୁ ରୋକିବାକୁ ହେଲେ ଏଥିରେ ଶୃଙ୍ଖଳା ଓ ସ୍ବଚ୍ଛତା ଅଣାଯିବା ନିହାତି ଜରୁରୀ ହୋଇପଡ଼ିଛି ।