କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲାର ବୈତରଣୀ ନଦୀ ଉପରେ ତିନୋଟି ଜିଲ୍ଲାର ଲୋକଙ୍କ ଯାତାୟାତର ସୁବିଧା ପାଇଁ ୨୦୧୬ ମସିହା ନଭେମ୍ବର ୨୪ ତାରିଖରେ ପୋଲ ନିର୍ମାଣ ପାଇଁ ସରକାର ଚୁକ୍ତିନାମା କରିଥିଲେ । କିନ୍ତୁ ଇତି ମଧ୍ୟରେ ୯ ବର୍ଷ ବିତି ଯାଇଥିଲେ ମଧ୍ୟ ପୋଲ କାମ ସରିବାର ନାଁ ଧରୁନି । ଫଳରେ ଏବେ ୫ଟି ପଞ୍ଚାୟତର ଲୋକେ ବିପଦ ପୁର୍ଣ୍ଣ ଭାବେ ଡଙ୍ଗାରେ ବୈତରଣୀ ପାର ହେଉଛନ୍ତି।
ଅଧିକ ପଢ଼ନ୍ତୁ : ଘାଟି ମଣିଷଙ୍କ ରୋଜଗାରର ମାଧ୍ୟମ, ପର୍ଯ୍ୟଟକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି କେନ୍ଦୁଝର କାଞ୍ଜିପାଣି ଘାଟିର ରାଶିଫୁଲ
କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ଯୋଗାଯୋଗର ସୁବିଧା ପାଇଁ ବୈତରଣୀ ନଦୀରେ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ବାତୋ-ଆମ୍ବୋ ପୋଲ । କେନ୍ଦୁଝର ଜିଲ୍ଲାର ବୈତରଣୀ ନଦୀରେ ୫୨୦ ମିଟର ଲମ୍ବ ପୋଲ ପାଇଁ ୩୧ କୋଟି ୯୫ ଲକ୍ଷ ଟଙ୍କାର ଅଟକଳ କରଯାଇ ଟେଣ୍ଡର ପ୍ରସ୍ତୁତ ହୋଇଥିଲା। ୨୦୧୯, ଅକ୍ଟୋବରରେ ପୋଲ ନିର୍ମାଣ ସଂପୂର୍ଣ ହେବ ବୋଲି ଇକ୍ଷ୍ୟ ରଖାଯାଇଥିଲା । ମାତ୍ର ଚୁକ୍ତିନାମା କରିଥିବା ଠିକାଦାର ୧୨ଟି ପିଲର କରି ବନ୍ଦ କରିଦେଲେ । ବାରମ୍ବାର ଦାବି ପରେ ୨୦୨୨ ଜୁଲାଇରେ ବିରଳା କନଷ୍ଟ୍ରକସନ୍ ନାମକ ସଂସ୍ଥାକୁ ୧୪ କୋଟି ୩୦ ଲକ୍ଷ ଟଙ୍କାର ନୂଆ ଟେଣ୍ଡର ଦିଆଯାcଇଥିଲା । ମନ୍ଥର ଗତିରେ କାମ ଚାଲିଥିବାରୁ କାମ ସରିବାର ନାଁ ଧରୁନି।
ଘସିପୁରା ବ୍ଲକ ବାତୋ ଅଞ୍ଚଳରୁ ହାଟଡିହି ବ୍ଲକ ଆମ୍ବୋ ଅଞ୍ଚଳକୁ ଯୋଗାଯୋଗ ପାଇଁ ବାଧକ ସାଜିଛି ବୈତରଣୀ ନଦୀ। ଏହି ପୋଲ କାମ ସମ୍ପୂର୍ଣ୍ଣ ହେଉ ନଥିବାରୁ ଲୋକ ମାନେ ବିପଦ ସଂକୁଳ ଅବସ୍ଥାରେ ଭରା ନଈରେ ଡଙ୍ଗାରେ ବୈତରଣୀ ପାର ହେଉଛନ୍ତି। ବ୍ରିଜ୍ ନଥିବାରୁ ବର୍ଷା ଦିନରେ ଛାତ୍ରଛତ୍ରୀମାନେ କଲେଜରେ ଯାଇପାରୁନାହାଁନ୍ତି। ଯନ୍ତ୍ରୀଙ୍କ ସହ ଆଲୋଚନା କରି କାର୍ଯ୍ୟର ଅଗ୍ରଗତି ନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି ଉପଜିଲ୍ଲାପାଳ।
ଅଧିକ ପଢ଼ନ୍ତୁ : ଆଦିମ ଜନଜାତି ଜୁଆଙ୍ଗଙ୍କ ବିକାଶ ପାଇଁ ଅବିରତ ଲଢ଼େଇ : ନିସ୍ବାର୍ଥପର ସେବା ପାଇଁ ଜଗତସିଂହପୁର ଝିଅଙ୍କୁ କେନ୍ଦୁଝରରେ ମିଳିଛି ପରିଚୟ
ନଦୀ ଉପରେ ଏହି ସେତୁ ନିର୍ମାଣ ସରିଲେ ଭଦ୍ରକ, କେନ୍ଦୁଝର ଓ ଯାଜପୁର ଜିଲ୍ଲା ସହିତ ଯୋଗାଯୋଗ ସହଜ ହେବ। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଲୋକେ ବହୁ ସୁବିଧା ପାଇ ପାରିବେ। କିନ୍ତୁ କାମ କେବେ ସରିବ ତା’ର ଉତ୍ତର କାହା ପାଖରେ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/07/bridge-2026-01-07-18-19-34.jpg)