କନକ ବ୍ୟୁରୋ : କାଞ୍ଜିପାଣି ଘାଟିରେ ଏବେ ଝଟକୁଛି ସୁନାଫୁଲ । କେନ୍ଦୁଝର ଜିଲ୍ଲାର କାଶ୍ମୀର, କାଞ୍ଜିପାଣି ଘାଟିର ସୌନ୍ଦର୍ଯ୍ୟ  ବୃଦ୍ଧି କରୁଛି ରାଶିଫୁଲ । ପର୍ଯ୍ୟଟକମାନେ  ଏହାର ଅପରୂପ ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇ ଟିକିଏ ଅଟକି ଯାଉଛନ୍ତି । ଗୋଟିଏ ପଟେ କାଞ୍ଜିପାଣି ଘାଟି, ଅନ୍ୟପଟେ ରହିଛି ବାରବାଙ୍କ ଘାଟି । ମଝିରେ ରାଶିଫୁଲର ସୁନେଲୀ ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକ ନିଜ ମୋବାଇଲରେ  ବାନ୍ଧି ରଖୁଛନ୍ତି । ପାହାଡ଼ିଆ ଜମିରେ, ଜୁଆଙ୍ଗ ଲୋକଙ୍କର ରାଶିଫୁଲ ଏବେ ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ ।

Advertisment

ବର୍ଷକ ବାରମାସ କାଞ୍ଜିପାଣି ଘାଟିର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ  ଆକର୍ଷିତ କରିଥାଏ। ହେଲେ ଶୀତଦିନେ ଏହାର ସୌନ୍ଦର୍ଯ୍ୟ  ଅତି ମନଲୋଭା । ଏଥିପାଇଁ କାଞ୍ଜିପାଣି ଘାଟିକୁ କେନ୍ଦୁଝରର କାଶ୍ମୀର ବୋଲି କୁହାଯାଏ । ଆଉ ଏହାର ସୌନ୍ଦର୍ଯ୍ୟରେ  ଆଉ ଏକ ଫର୍ଦ୍ଦ ଯୋଡ଼ିଛି ଏଠାକାର ରାଶିଫୁଲ । ଦୁଇଟି ପାହାଡ଼ ମଝିରେ ସୁନାପରି ଝଲସୁଥିବା ରାଶିଫୁଲ ଦର୍ଶକଙ୍କ ମନମୋହୁଛି । ରାସ୍ତାରେ ଯାଉଥିବା ପର୍ଯ୍ୟଟକ  ଟିକିଏ ଅଟକି ରାଶିଫୁଲର ସୌନ୍ଦର୍ଯ୍ୟ କୁ ନିଜ ମୋବାଇଲ୍ ଫୋନରେ ତୋଳି ଧରୁଛନ୍ତି । ପର୍ଯ୍ୟଟକଙ୍କ  ଖୁସିରେ ଆନନ୍ଦ ଅନୁଭବ କରୁଛନ୍ତି ସ୍ଥାନୀୟ ଜୁଆଙ୍ଗ ଅଧିବାସୀ । 

ଅଧିକ ପଢ଼ନ୍ତୁ : କାମ ସରିବାର ୫ ବର୍ଷ ପରେ ବି ହୋଇପାରୁନି ଲୋକାର୍ପଣ, ଉଦଘାଟନ ପୂର୍ବରୁ ମରାମତି ଖୋଜୁଛି କେନ୍ଦୁଝରର ଆଦିବାସୀ ସଂଗ୍ରହାଳୟ

କେନ୍ଦୁଝର ସହରରୁ ୪୯ ନମ୍ବର ଜାତୀୟ ରାଜପଥରେ ୩୦ କିଲୋମିଟର ଦୂରରେ ପଡ଼େ କାଞ୍ଜିପାଣି ଘାଟି । ବର୍ଷକ ୧୨ ମାସ ଏଠାରେ ଥଣ୍ଡା ଅନୁଭୂତ ହୋଇଥାଏ । ଏଠାରେ ବାସ କରୁଥିବା ଜୁଆଙ୍ଗ ଲୋକେ ପାହାଡ଼ିଆ ଜମିରେ ରାଶି ସହ, ସୋରିଷ, ମକା ଓ ସ୍ଥଳ ବିଶେଷରେ ଧାନ ଚାଷ କରିଥାନ୍ତି । ଜଳସେଚନ ଅଭାବରୁ ସାଧାରଣତଃ ବର୍ଷାଦିନେ ଏସବୁ ଚାଷ କରିଥାନ୍ତି ଲୋକେ । ହେଲେ, ଏବର୍ଷ ଅଧିକ ବର୍ଷାହେବା କାରଣରୁ ଲୋକମାନେ କେବଳ ରାଶି ଚାଷ କରିବାକୁ ସମର୍ଥ ହୋଇଛନ୍ତି । ଅଗଷ୍ଟ ମାସରୁ ଚାଷ ହୋଇଥିବା ରାଶି, ଆଉ କିଛି ଦିନ ପରେ ଅମଳ ହେବ । ଏଥିରୁ ଯାହାକିଛି ରୋଜଗାର ହୁଏ ସେଥିରେ ଚଳେ ତେଲ, ଲୁଣର ସଂସାର ।   ଘାଟି ମଣିଷଙ୍କ ରୋଜଗାରର ମାଧ୍ୟମ । ବାଟୋଇଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି ରାଶିଫୁଲ ।