କନକ ବ୍ୟୁରୋ : ବତିଶରେ ବୌଦ୍ଧ , ଆଜି ବୌଦ୍ଧ ଜିଲ୍ଲାର ୩୨ ତମ ଜନ୍ମଦିନ । ଯୁବାବସ୍ଥା ଦେଇ ଗତି କରୁଛି ବୌଦ୍ଧ ଜିଲ୍ଲା । ହେଲେ ଯୁବକ ସୁଲଭତା ପାଇବାରୁ ଆଜିବି ବହୁ ଦୂରରେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ୧୯୯୪ ମସିହା ଜାନୁଆରି ୨ ତାରିଖରେ ଅବିଭକ୍ତ କନ୍ଧମାଳ ଜିଲ୍ଲାରୁ ସ୍ୱତନ୍ତ୍ର ହୋଇ ଏକ ଜିଲ୍ଲାର ମାନ୍ୟତା ପାଇ ଉଦ୍‌ଘାଟିତ ହୋଇଥିଲା ବୌଦ୍ଧ ଜିଲ୍ଲା । ଓଡ଼ିଶାର ହୃଦୟ ସ୍ଥଳରେ ଥିବା ବୌଦ୍ଧ ଜିଲ୍ଲା ଆଜି ରାଜ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ୩୧ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଗ୍ରାମାଞ୍ଚଳକୁ ଗମନାଗମନ କ୍ଷେତ୍ରରେ ଆଜିବି ସମସ୍ୟା ଲାଗି ଲାଗିରହିଥିବା ବେଳେ ରାଜ୍ୟ ସରକାରଙ୍କ ଅନୁଦାନରୁ ସ୍ବାସ୍ଥ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବେଶ୍‌ ବିକାଶ କରିଛି ଜିଲ୍ଲା । ଯୁବାବସ୍ଥା ଦେଇ ଗତି କରୁଛି ବୌଦ୍ଧ । ଜିଲ୍ଲାରେ ଆଜିବି ରହିଛି ଅନେକ ବିକାଶର ସ୍ୱପ୍ନ । 

Advertisment

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଉଦ୍ୟମରେ ୧୯୯୪ ମସିହା ଆଜିର ଦିନରେ ଅବିଭକ୍ତ କନ୍ଧମାଳ ଜିଲ୍ଲାରୁ ଅଲଗା ହୋଇ ଗଠନ ହୁଏ ସ୍ୱତନ୍ତ୍ର ବୌଦ୍ଧ ଜିଲ୍ଲା । ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ୩ ଟି ବ୍ଲକକୁ ନେଇ ଗଠନ ହୋଇଥିବା ଏହି ଜିଲ୍ଲା ଗୋଟିଏ ସବ୍‌ଡିଭିଜନରେ ହିଁ ସୀମିତ ରହିଛି। ଜିଲ୍ଲାରେ ଉଚ୍ଚ ଶିକ୍ଷା ପାଇଁ ଉପାନ୍ତ ଅଂଚଳର ଲୋକ ଆଜିବି ଅନେକ ସମସ୍ୟା ଦେଇ ଗତି କରୁଥିବା ବେଳେ ଯେଉଁ ହାତଗଣତି କଲେଜ କିଛି ରହିଛି ସେଗୁଡ଼ିକ ଆଜିଯାଏଁ ସରକାରୀ କଲେଜର ମାନ୍ୟତା ପାଇପାରିନାହିଁ । ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଦୀର୍ଘ ବର୍ଷ ହେଲା ଖାଲି ପଡ଼ିଛି ଡାକ୍ତର ପଦବୀ । ଫଳରେ ସ୍ୱାସ୍ଥ୍ୟସେବା ପାଇବା ପାଇଁ ମଧ୍ୟ ଜିଲ୍ଲାବାସୀଙ୍କୁ ପଡ଼ିଶା ଜିଲ୍ଲା ଉପରେ ନିର୍ଭର କରିବାକୁ ପଡ଼ୁଛି । 

ଅଧିକ ପଢ଼ନ୍ତୁ---ଆଜି ବି ସାତ ସପନ ପକ୍କା ଘର ; ଆବାସ ଅପେକ୍ଷାରେ ଲକ୍ଷ ଲକ୍ଷ ପରିବାର

ଅନ୍ୟପକ୍ଷରେ ଜିଲ୍ଲାର ଗମନାଗମନ କ୍ଷେତ୍ରରେ କିଛି ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତା ନାହିଁ। ପହଞ୍ଚି ପାରୁନି ଆମ୍ବୁଲାନ୍ସ ସେବା । ଯାହାଫଳରେ ରୋଗୀ ଦୋଳା ଓ ଖଟିଆରେ ବୁହା ହେଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଆଜି ବି ଉପାନ୍ତ ଅଞ୍ଚଳର ଜିଲ୍ଲାବାସୀ ବିଶୁଦ୍ଧ ପାନୀୟ ଜଳ ଟୋପେ ପାଇଁ ହେଉଛନ୍ତି ହନ୍ତସନ୍ତ । ଅନ୍ୟପଟେ ପଶ୍ଚିମ ଓଡ଼ିଶାର ଲାଇଫ୍‌ ଲାଇନ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଲୱେ ଲାଇନ ୧୧୮ କିମି ବୌଦ୍ଧ ଦେଇ ଯାଉଥିବା ବେଳେ ବିଗତ ଦୁଇ ବର୍ଷ ମଧ୍ୟରେ ବେଶ୍ ଦ୍ରୁତ ଗତିରେ କାମ ଆଗେଇଛି । ଫଳରେ ବୌଦ୍ଧରେ ରେଳ ଚଳାଚଳ ଆରମ୍ଭ ହୋଇଛି ।

୨୦୨୧ ରୁ ନେଇ ୨୦୨୫ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ବିକାଶ ପଥରେ ବେଶ୍ ଆଗେଇଛି । ପଶ୍ଚିମ ଓଡ଼ିଶାକୁ ଉତ୍ତର ଓଡ଼ିଶା ସହ ଯୋଡ଼ିବାରେ ବୌଦ୍ଧ ଜିଲ୍ଲାର ପ୍ରମୁଖ ଭୂମିକା ବହନ କରେ। ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ସଫଳ ରୂପାୟନ ହୋଇଛି । ମହାନଦୀରେ ଦ୍ଵିତୀୟ ବୃହତ୍ ସେତୁ ଭାବେ ଧଳପୁର-ଆଠମଲ୍ଲିକ ସେତୁ ଯୋଗୁଁ ଉତ୍ତର ଓଡିଶା ଓ ପଶ୍ଚିମ ଓଡ଼ିଶା ସହ ଯୋଡ଼ି ହେବା ସହ ପଡ଼ୋଶୀ ଜିଲ୍ଲା ସହିତ ସବୁ କ୍ଷେତ୍ରରେ ସମନ୍ୱୟ ବୃଦ୍ଧି ପାଇଛି । ସେହିଭଳି ବୌଦ୍ଧ ଏନଏସିର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ମର୍ଯାକୁଦ ଦୀପକୁ ସେତୁ ସଂଯୋଗ ଅନ୍ଧାରି ମୂଳକରୁ ଯନ୍ତ୍ରଣା ମୁକ୍ତର ଏକ ଉଦାହରଣ । ଜିଲ୍ଲାର ବୀରନରସିଂହପୁର ଠାରେ ପ୍ରାୟ ୧୫ ଶହ ଏକରରେ ଚାଲିଥିବା ନନ୍ଦନ ବନ ସଫାରୀ ପ୍ରକଳ୍ପ କାର୍ଯ୍ୟରେ ଅଗ୍ରଗତି ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ଅନ୍ୟ ଏକ ବିକାଶର ଧ୍ୱନି ।

ମହାନଦୀ କୂଳରେ ପ୍ରାୟ ୭୩୦କୋଟି ଟଙ୍କାରେ ନିର୍ମାଣ ହୋଇଛି ମେଗା ପାନୀୟ ଜଳ ପ୍ରକଳ୍ପ, ଯାହାଦ୍ଵାରା ମହାନଦୀର ପାଣିକୁ ଜିଲ୍ଲାର ହରଭଙ୍ଗା ବ୍ଲକ ସମେତ ପଡ଼ୋଶୀ କନ୍ଧମାଳ ଜିଲ୍ଲାର ୪ଟି ବ୍ଲକର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି । ସହରର ବାଇପାସ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ନୂତନ ବସଷ୍ଟାଣ୍ଡ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଜିଲ୍ଲାରେ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଉଦଘାଟନ ହେବା ଅପେକ୍ଷାରେ ଥିବା ବେଳେ ଏହା ଦ୍ଵାରା ଜିଲ୍ଲାବାସୀ ସ୍ବାସ୍ଥ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇବା ନେଇ ଆଶାବାଦୀ । ତେବେ ଜିଲ୍ଲାରେ ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ଇତି ମଧ୍ୟରେ ସରକାର ପରିବର୍ତ୍ତନ ହୋଇଥିବା ବେଳେ ନୂତନ ସରକାର ସମୟରେ ମଧ୍ୟ ବହୁ କାର୍ଯ୍ୟ ହାତକୁ ନିଆଯାଇଛି ଏବଂ ଏଭଳି ଭାବେ ବୌଦ୍ଧର ବିକାଶ ଦ୍ରୁତ ଗତିରେ ଆଗେଇବ ବୋଲି ବୌଦ୍ଧ ଜିଲ୍ଲାପାଳ କହିଛନ୍ତି ।