କନକ ବ୍ୟୁରୋ: ଜୟନାରାୟଣଙ୍କ ବିବାଦୀୟ ବୟାନ ପରେ ତେଜିବାରେ ଲାଗିଛି ରାଜନୀତି । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ବିଜେପିର ଏଜେଣ୍ଡା ଓଡ଼ିଶାକୁ ଭାଗ ଭାଗ କରିବାକୁ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଆମେ ଜାଣିବାକୁ ଚାହୁଁଛୁ | ଏ କଥାକୁ ଆମେ ଗାଁ ଗାଁରେ ପହଞ୍ଚାଇବୁ । ମୁଖ୍ୟମନ୍ତ୍ରୀ କିଛି ନ କହିଲେ, ଓଡ଼ିଶାକୁ ଭାଙ୍ଗିବାକୁ ଷଡଯନ୍ତ୍ର ଆରମ୍ଭ ହୋଇଛି ବୋଲି କୁହାଯାଇପାରିବ । ଓଡ଼ିଆ ଅସ୍ମିତା କହୁଥିବା ବିଜେପି ନିଜ ସତୀତ୍ୱର ପ୍ରମାଣ କରନ୍ତୁ । ଏହାସହ ଜୟନାରାୟଣଙ୍କ ବୟାନକୁ ନେଇ ଗୃହ ବାହାରେ ବି ନିନ୍ଦା କରାଯାଇଛି । ହେଲେ ରାଜା ଦାବି କରିଛନ୍ତି, ଗୃହ ଭିତରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ ।

Advertisment

ଏହାସହ ଜୟ ନାରାୟଣ ମିଶ୍ର ଦିନେ ବିରୋଧୀ ଦଳ ନେତା ଥିଲେ, ଏବେ ସେ ଶାସକ ଦଳର ବରିଷ୍ଠ ବିଧାୟକ । ସମ୍ବଲପୁରର ସରକାରୀ କାର୍ଯ୍ୟକ୍ରମରେ ଯେଉଁଠି କ୍ୟାବିନେଟ ମନ୍ତ୍ରୀ ରବି ନାୟକ ଉପସ୍ଥିତ ଥିଲେ ସେଇଠି ବନ୍ଦେ ଉତ୍କଳ ଜନନୀକୁ ଅପମାନ କରାଗଲା । ଏହି ଅପମାନକୁ ବରଦାସ୍ତ କରାଯିବନି । ଏହାକୁ ଆମେ ନିନ୍ଦା କରୁଛୁ ବୋଲି ରାଜା କହିବା ସହିତ ଅକ୍ଷମଣୀୟ ଭାବେ ଯାହା କହିଲେ ଓଡ଼ିଶାକୁ ଭାଗ ଭାଗ କରିବାକୁ ଏହା କେନ୍ଦ୍ର ବିଜେପିର ଆଭିମୁଖ୍ୟ ବୋଲି ସେ କହିଛନ୍ତି । 

ମୋଟ୍‌ ଉପରେ, ବନ୍ଦେ ଉତ୍କଳ ଜନନୀ, ଗୀତକୁ ବିରୋଧ କରି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଦେଇଥିବା ବୟାନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ରାଜନୈତିକ ଦଳର ନେତାଙ୍କଠାରୁ ଆରମ୍ଭ କରି ଜନସାଧାରଣ, ସଂସ୍କୃତି ପ୍ରେମୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଛି । ଜୟଙ୍କ ବୟାନ ପରେ ଉତ୍କଳ ବନାମ କୋଶଳ ସମର୍ଥନରେ ବିରୋଧରେ ବୟାନବାଜି ତେଜିଛି ।  ଜୟଙ୍କ ଏହି ବୟାନ ପୁଣି ଥରେ ନୂଆ ବିବାଦକୁ ଜନ୍ମ ଦେଇଛି । କୋଶଳ ରାଜ୍ୟ ଗଠନ ଦାବିରେ, ଦୀର୍ଘ ଦିନ ହେବ ପଶ୍ଚିମ ଓଡ଼ିଶାରେ କୁହୁଳୁଥିବା ଅସନ୍ତୋଷରେ ନିଆଁ ଲଗାଇ ଦେଇଛନ୍ତି ଜୟ ନାରାୟଣ ।

ସୁଭଦ୍ରା ଟଙ୍କା ବଣ୍ଟନ କାର୍ଯ୍ୟକ୍ରମରୁ ଅଚାନକ ବନ୍ଦେ ଉତ୍କଳ ଜନନୀ ଗୀତକୁ ବିରୋଧ କରିବା ପରେ, ଉତ୍କଳ ବନାମ କୋଶଳ ପ୍ରସଙ୍ଗ ରାଜନୈତିକ ହଟଚମଟ ସୃଷ୍ଟି କରିଛି । ସେହି ନିଆଁରେ ଘିଅ ଢାଳିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଅନ୍ୟପଟେ ବିଜେପି ବିଧାୟକ ହୋଇ ସରୋକାରୀ କାର୍ଯ୍ୟକ୍ରମରେ ଜୟନାରାୟଣଙ୍କ କୋଶଳ ରାଜ୍ୟ ଗଠନ ଦରଦକୁ କଟାକ୍ଷ କରିଛନ୍ତି ବିଜେଡି ନେତା ରୋହିତ ପୂଜାରୀ । କହିଛନ୍ତି, ଏହା ତୁରନ୍ତ ମନ୍ତ୍ରୀ ପଦ ପାଇଁ ସରକାରଙ୍କ ଉପରେ ଚାପ ପକାଇବାର କୌଶଳ ।