କନକ ବ୍ୟୁରୋ: ବନ୍ଦେ ଉତ୍କଳ ଜନନୀ, ଗୀତକୁ ବିରୋଧ କରି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଦେଇଥିବା ବୟାନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ରାଜନୈତିକ ଦଳର ନେତାଙ୍କଠାରୁ ଆରମ୍ଭ କରି ଜନସାଧାରଣ, ସଂସ୍କୃତି ପ୍ରେମୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଛି । ଜୟଙ୍କ ବୟାନ ପରେ ଉତ୍କଳ ବନାମ କୋଶଳ ସମର୍ଥନରେ ବିରୋଧରେ ବୟାନବାଜି ତେଜିଛି ।  

Advertisment

ଜୟଙ୍କ ଏହି ବୟାନ ପୁଣି ଥରେ ନୂଆ ବିବାଦକୁ ଜନ୍ମ ଦେଇଛି । କୋଶଳ ରାଜ୍ୟ ଗଠନ ଦାବିରେ, ଦୀର୍ଘ ଦିନ ହେବ ପଶ୍ଚିମ ଓଡ଼ିଶାରେ କୁହୁଳୁଥିବା ଅସନ୍ତୋଷରେ ନିଆଁ ଲଗାଇ ଦେଇଛନ୍ତି ଜୟ ନାରାୟଣ । ସୁଭଦ୍ରା ଟଙ୍କା ବଣ୍ଟନ କାର୍ୟ୍ୟକ୍ରମରୁ ଅଚାନକ ବନ୍ଦେ ଉତ୍କଳ ଜନନୀ ଗୀତକୁ ବିରୋଧ କରିବା ପରେ, ଉତ୍କଳ ବନାମ କୋଶଳ ପ୍ରସଙ୍ଗ ରାଜନୈତିକ ହଟଚମଟ ସୃଷ୍ଟି କରିଛି। ସେହି ନିଆଁରେ ଘିଅ ଢାଳିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଅନ୍ୟପଟେ ବିଜେପି ବିଧାୟକ ହୋଇ ସରୋକାରୀ କାର୍ୟ୍ୟକ୍ରମରେ ଜୟନାରାୟଣଙ୍କ କୋଶଳ ରାଜ୍ୟ ଗଠନ ଦରଦକୁ କଟାକ୍ଷ କରିଛନ୍ତି ବିଜେଡି ନେତା ରୋହିତ ପୂଜାରୀ । କହିଛନ୍ତି, ଏହା ତୁରନ୍ତ ମନ୍ତ୍ରୀ ପଦ ପାଇଁ ସରକାରଙ୍କ ଉପରେ ଚାପ ପକାଇବାର କୌଶଳ ।  
 
ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଲା ବିଜେଡି
ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ଘେରିଲା କଂଗ୍ରେସ

ଜୟନାରାୟଣ ମିଶ୍ରଙ୍କ ବୟାନକୁ ନେଇ ମୋହନ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କରିଛି, ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ତିଆରି କରିଥିବା ବରପୁତ୍ରମାନଙ୍କ ପ୍ରତି ଏଭଳି ମନ୍ତବ୍ୟ ଉପହାସ ଓ ଚରମ ଅସମ୍ମାନ ନୁହେଁ କି? ମନ୍ତ୍ରୀ, ବିଧାୟକ, ସରକାର କଣ କହୁଛନ୍ତି, ଏହାର କୌଣସି ସ୍ପଷ୍ଟତା ନାହିଁ । ଯିଏ ଯାହା ପାରିଲା କହୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଓ ବିଜେପି ଜୟ ନାରାୟଣଙ୍କ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛି ବିଜେଡି । ଅନ୍ୟପଟେ ଓଡିଶାକୁ ଭାଗ ଭାଗ କରିବା ବିଜେପିର ଓଡିଆ ଅସ୍ମିତା କି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।  
 
ଜୟଙ୍କ ବୟାନକୁ ନେଇ ତମ୍ବିତୋଫାନ ଆରମ୍ଭ ହୋଇଛି । ତେବେ ବିଜେପି ପକ୍ଷରୁ ଏନେଇ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ । ଏନେଇ ଶାସକ ଦଳ ନେତାଙ୍କୁ ଯୋଗାଯୋଗ କରିଥିଲେ ବି ସେମାନେ ମୁହଁ ଖୋଲି ନାହାନ୍ତି ।