କନକ ବ୍ୟୁରୋ: ବିଜେଡିରେ ୱାକଫ୍ ବିଲ୍କୁ ନେଇ ଦେଖାଦେଇଥିବା ବିବାଦ ପରେ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ପ୍ରତିକ୍ରିୟା ରଖୁଛନ୍ତି । ଏହାରି ଭିତରେ ଭୂପିନ୍ଦର ସିଂ କହିଛନ୍ତି ଦଳରେ କାଳ ବୈଶାଖୀ ଚାଲିଛି । ପବନ ଟିକେ ଅଧିକା ହେଉଛି । ଏହା କିଛି ଦିନ ପାଇଁ ଚାଲିବ । ୱାକଫ ବିଲକୁ ବିଜେଡିର ସମର୍ଥନ ଭୁଲ ମେସେଜ ଯାଉଛି । ନବୀନ ପଟ୍ଟନାୟକଙ୍କ ସବୁ ଧର୍ମ ପ୍ରତି ସମ୍ମାନ ରହିଛି । ଭୋଟ ଦେଲାବେଳେ ମୁଁ ସେଇଠି ନଥିଲି । ଏ ବାବଦରେ ରାଜ୍ୟସଭା ସାଂସଦ ଦେବାଶିଷ ବାବୁ କହିଛନ୍ତି । ସାଂସଦ ମାନେ କେଉଁ ପରିସ୍ଥିତିରେ ବିଜେପିକୁ ସମର୍ଥନ କରିଛନ୍ତି ଏହାକୁ ଅନୁଧ୍ୟାନ କରିବାକୁ ଅନେକ ବିଧାୟକ ଚିଠି ଲେଖିଛନ୍ତି ।
ଦେବାଶିଷ ବାବୁ କହିଛନ୍ତି ଦଳର ନିର୍ଦ୍ଦେଶକୁ ପାଳନ କରୁଛୁ । ଆମେ ବିଜେଡି ସଭାପତିଙ୍କ ସହ ଆଲୋଚନା କରିଛୁ । ସମୟ ବଳିଆନ । ସମୟକୁ ଅପେକ୍ଷା କରନ୍ତୁ । ବିଜେଡି ଦଳରେ କାହାରି ଶକ୍ତି ନାହିଁ ଯେ କୌଣସି ନିଷ୍ପତ୍ତି କେହି ବଦଳାଇ ଦେଇପାରିବେ। ଏହା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ସାମ୍ନାକୁ ଆଣିବାକୁ ପଡ଼ିବ ବୋଲି ଭୂପିନ୍ଦର କହିଛନ୍ତି ।
ସେପଟେ, ବଦ୍ରି ପାତ୍ର, ଗଣେଶ୍ବର ବେହେରା, ପ୍ରଫୁଲ୍ଲ ସାମଲ,ପ୍ରତାପ ଜେନା ଓ ଶେଷରେ ଖୋଦ ଦେବାଶିଷ ସାମନ୍ତରାୟ ବି ସସ୍ମିତଙ୍କ ଉପରେ ପ୍ରଶ୍ନ ଉଠାଇଲେ । କାହିଁକି ଦଳୀୟ ନିଷ୍ପତ୍ତି ପରେ ବି ସେ ୱାକଫ୍ ବିଲ୍କୁ ସମର୍ଥନ ଦେଲେ । କାହା ନିର୍ଦ୍ଦେଶରେ ଦେଲେ ସେନେଇ ସ୍ପଷ୍ଟ କରନ୍ତୁ ବୋଲି ଅଡ଼ି ବସିଲେଣି ବରିଷ୍ଠ ନେତା । ଖାଲି ଏତିକି ନୁହେଁ ବରଂ ଗଣେଶ୍ବର ବେହେରା ଆଉ ପାଦେ ଆଗକୁ ଯାଇ କହିଛନ୍ତି ସଭାପତିଙ୍କ ନିଷ୍ପତ୍ତିକୁ କେହି ଅମାନ୍ୟ କରିପାରିବେ ନାହିଁ । ନିୟମ ଯେଉଁମାନେ ମାନିନାହାନ୍ତି ସେମାନଙ୍କ ଉପରେ ହେଉ ଆକ୍ସନ ।
ନିର୍ବାଚନ ହାରିବା ପରେ ନବୀନଙ୍କୁ ଯେଉଁପରି ପ୍ରଶ୍ନ କରିଥିଲେ ବରିଷ୍ଠ ନେତା ଏବେ ଠିକ୍ ସେମିତି ଶୈଳୀରେ ପ୍ରଶ୍ନବାଣରେ ରୁନ୍ଧି ଦେଲେଣି । ୱାକଫ୍ ବିଲ୍କୁ ନେଇ ଦଳ ନିଷ୍ପତ୍ତି ନେଇଥିଲା ବିରୋଧ କରିବାକୁ । ହେଲେ କେମିତି ମୁଡ୍ ବଦଳାଇଦେଲେ ସସ୍ମିତ ତାହାକୁ ନେଇ ପ୍ରଶ୍ନ ଉଙ୍କି ମାରିବା ବେଳେ କନକ ନ୍ୟୁଜ୍କୁ ଫୋନୋ ଦେଇ ଦେବାଶିଷ କହିଛନ୍ତି ମୁଖ୍ୟ ପରାମର୍ଶଦାତାଙ୍କ ନିର୍ଦ୍ଦେଶରେ ଏମିତି ହୋଇଥାଇପାରେ । ଖାଲି ଏତିକି ନୁହେଁ ବରଂ ମୁଁ ନିଜେ ଏମିତି କନ୍ଦଳ ଲାଗି ଭୋଟ୍ ଦେଲିନାହିଁ ବୋଲି ରୋକଠୋକ୍ କହିଛନ୍ତି । ଯେବେ ପ୍ରଶ୍ନ କରାଯାଇଥିଲା ମୁଖ୍ୟ ପରାମର୍ଶଦାତା ପାଣ୍ଡିଆନ ବୋଲି ସେବେ ଫୋନ୍ କାଟିଦେଇଥିଲେ ଦେବାଶିଷ । ହେଲେ ଏବେ ଭୂପିନ୍ଦର ସିଂ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।