କନକ ବ୍ୟୁରୋ: ବଦ୍ରି ପାତ୍ର ସିଧାସିଧା କହିଲେ ୱାକଫ୍ ବିଲ୍ରେ ଖେଳ ହୋଇଛି ବୋଲି । ହେଲେ ସେ ଖେଳ କଲା କିଏ ? ତାହାକୁ ନେଇ ବିଜେଡି ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଲ୍କୁ ବିରୋଧ କରିବାକୁ ନିର୍ଦ୍ଦେଶ ଦେବା ପରେ ବି କେମିତି ବରିଷ୍ଠ ସାଂସଦ ସସ୍ମିତ ପାତ୍ର ଏହାକୁ ସମର୍ଥନ ଦେଲେ ତାହା ଏବେ ପ୍ରଶ୍ନ ଘେରରେ ।
ବଦ୍ରିପାତ୍ରଙ୍କ ସାଙ୍ଘାତିକ ବୟାନ
କହିଲେ, ୱାକଫ୍ ବିଲ୍ରେ ଖେଳ ହୋଇଛି
ନବୀନ ବାବୁ ବିରୋଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ
ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି
ନିର୍ଦ୍ଦେଶ ପରେ ଏମିତି କେମିତି ହେଲା ?
ବିଜେଡିର ବରିଷ୍ଠ ନେତା ବଦ୍ରି ପାତ୍ର ସିଧାସଳଖ କହିଛନ୍ତି ବିଜେଡି ସଭାପତି ଦୁଇଦୁଇଥର ୱାକଫ୍ ବିଲ୍କୁ ବିରୋଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ମୁନ୍ନା ଖାନ୍ ସ୍ପଷ୍ଟ କରିଥିଲେ ଆମେ ବିଲ୍କୁ ବିରୋଧ କରିବୁ । ହେଲେ ସାଂସଦମାନେ କେମିତି ଗୋଟାଏ ଲାଇନ୍ରେ ଗଲେ ନାହିଁ ତାହା ପ୍ରଶ୍ନ । ଖାଲି ଏତିକି ନୁହେଁ ବିଲ୍କୁ ସମର୍ଥନ ଦେବା ପରେ ନବୀନ ବାବୁ ବି ଆଶ୍ଚର୍ଯ୍ୟ ବୋଲି କହିବାକୁ ପଛାଇ ନାହାନ୍ତି ବଦ୍ରି । କଥାହେଲା, ବିଜେଡି ପୂର୍ବରୁ କହିଥିଲା କି ୱାକଫ୍ ବିଲ୍କୁ ବିରୋଧ କରାଯିବ । ହେଲେ ଗତକାଲି ସଂଧ୍ୟାରେ ଦଳର ସାଂସଦ କହିଥିଲେ ବିବେକ ଅନୁସାରେ ଭୋଟ୍ ଦେବ ।
କିନ୍ତୁ ସେ କାହା ନିର୍ଦ୍ଦେଶରେ ଏମିତି କହିଥିଲେ ସେନେଇ ଟ୍ବିଟ୍ରେ କିଛି ସ୍ପଷ୍ଟ କରିନଥିଲେ । ପରେ ପରେ କନକ ନ୍ୟୁଜ୍କୁ ସାକ୍ଷାତକାର ଦେଇ ମୁନ୍ନା ଖାନ୍ କହିଥିଲେ ଆମେ ବିଲ୍କୁ ବିରୋଧ କରିବୁ । ବିଲ୍କୁ ସେ ବିରୋଧ ମଧ୍ୟ କରିଥିଲେ । କିନ୍ତୁ ସସ୍ମିତ ସମର୍ଥନ ଦେଇଥିଲେ ବୋଲି ଗଣମାଧ୍ୟମରେ କହିଥିଲେ । ବିଲ୍ ପାସ ହେବା ପରେ ଗତକାଲି ବିଜେଡିର ବଡ଼ ବୈଠକ ବସିଥିଲା । ଯାହାକୁ ନେଇ ଚର୍ଚ୍ଚା ଜୋର ।
କାହିଁକି ଜାରି ହୋଇନଥିଲା ହ୍ବିପ୍ ?
ଅନେକ ସମୟରେ ଦେଖାଯାଏ କୌଣସି ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିଲେ ବିଭିନ୍ନ ଦଳ ପକ୍ଷରୁ ହ୍ବିପ୍ ଜାରି ହୁଏ । କିନ୍ତୁ ୱାକଫ୍ ବିଲ୍କୁ ନେଇ ସେମିତି କୌଣସି ହ୍ବିପ୍ ଜାରି ହୋଇନଥିଲା ବୋଲି ଗତକାଲି ସସ୍ମିତ କହିଥିଲେ । ଆଉ ଆଜି ବଦ୍ରି ବି ସମାନ କଥା କହିଛନ୍ତି । କାହିଁକି ହ୍ବିପ୍ ଜାରି ହୋଇନଥିଲା ସେନେଇ ସେ ସନ୍ଦେହ ବି କରିଛନ୍ତି । ମୋଟ୍ ଉପରେ ୱାକଫ୍ ବିଲ୍କୁ ନେଇ ବିଜେଡିର ସାଂସଦମାନେ ଦୁଇଫାଳ ହେଉଥିବା ସ୍ପଷ୍ଟ ଜଣାପଡ଼ିବା ପରେ ଏବେ ସସ୍ମିତଙ୍କ ଉପରେ ଦଳ କି କାର୍ଯ୍ୟାନୁଷ୍ଠାନ ନେବ ତାହା ସମୟ କହିବ ।