କନକ ବ୍ୟୁରୋ: ବଦ୍ରି ପାତ୍ର, ଗଣେଶ୍ବର ବେହେରା, ପ୍ରଫୁଲ୍ଲ ସାମଲ,ପ୍ରତାପ ଜେନା ଓ ଶେଷରେ ଖୋଦ ଦେବାଶିଷ ସାମନ୍ତରାୟ ବି ସସ୍ମିତଙ୍କ ଉପରେ ପ୍ରଶ୍ନ ଉଠାଇଲେ । କାହିଁକି ଦଳୀୟ ନିଷ୍ପତ୍ତି ପରେ ବି ସେ ୱାକଫ୍‌ ବିଲ୍‌କୁ ସମର୍ଥନ ଦେଲେ । କାହା ନିର୍ଦ୍ଦେଶରେ ଦେଲେ ସେନେଇ ସ୍ପଷ୍ଟ କରନ୍ତୁ ବୋଲି ଅଡ଼ି ବସିଲେଣି ବରିଷ୍ଠ ନେତା । ଖାଲି ଏତିକି ନୁହେଁ ବରଂ ଗଣେଶ୍ବର ବେହେରା ଆଉ ପାଦେ ଆଗକୁ ଯାଇ କହିଛନ୍ତି ସଭାପତିଙ୍କ ନିଷ୍ପତ୍ତିକୁ କେହି ଅମାନ୍ୟ କରିପାରିବେ ନାହିଁ । ନିୟମ ଯେଉଁମାନେ ମାନିନାହାନ୍ତି ସେମାନଙ୍କ ଉପରେ ହେଉ ଆକ୍ସନ । 

Advertisment

ନିର୍ବାଚନ ହାରିବା ପରେ ନବୀନଙ୍କୁ ଯେଉଁପରି ପ୍ରଶ୍ନ କରିଥିଲେ ବରିଷ୍ଠ ନେତା ଏବେ ଠିକ୍‌ ସେମିତି ଶୈଳୀରେ ପ୍ରଶ୍ନବାଣରେ ରୁନ୍ଧି ଦେଲେଣି । ୱାକଫ୍‌ ବିଲ୍‌କୁ ନେଇ ଦଳ ନିଷ୍ପତ୍ତି ନେଇଥିଲା ବିରୋଧ କରିବାକୁ । ହେଲେ କେମିତି ମୁଡ୍‌ ବଦଳାଇଦେଲେ ସସ୍ମିତ ତାହାକୁ ନେଇ ପ୍ରଶ୍ନ ଉଙ୍କି ମାରିବା ବେଳେ କନକ ନ୍ୟୁଜ୍‌କୁ ଫୋନୋ ଦେଇ ଦେବାଶିଷ କହିଛନ୍ତି ମୁଖ୍ୟ ପରାମର୍ଶଦାତାଙ୍କ ନିର୍ଦ୍ଦେଶରେ ଏମିତି ହୋଇଥାଇପାରେ । ଖାଲି ଏତିକି ନୁହେଁ ବରଂ ମୁଁ ନିଜେ ଏମିତି କନ୍ଦଳ ଲାଗି ଭୋଟ୍‌ ଦେଲିନାହିଁ ବୋଲି ରୋକଠୋକ୍‌ କହିଛନ୍ତି । ଯେବେ ପ୍ରଶ୍ନ କରାଯାଇଥିଲା ମୁଖ୍ୟ ପରାମର୍ଶଦାତା ପାଣ୍ଡିଆନ ବୋଲି ସେବେ ଫୋନ୍‌ କାଟିଦେଇଥିଲେ ଦେବାଶିଷ ।

ଫୋନ୍‌ କାଟିଦେଲେ
ଦ୍ବନ୍ଦ୍ବ ବଢାଇଦେଲେ
ନକହି ନକହି ସବୁ କହିଦେଲେ

ବିଜେଡି ହାରିବାର କାରଣ ହେଉଛି ପାଣ୍ଡିଆନ । କିଛି ଏମିତି ମନ୍ତବ୍ୟ ଦେଇଥିଲେ ବରିଷ୍ଠ ନେତାମାନେ । ଏବେ ପୁଣି ସେହି ବ୍ୟକ୍ତିଙ୍କ ଇସାରାରେ କାଳେ ବିଜେଡିର ରାଜ୍ୟସଭା ସାଂସଦ ୱାକଫ୍‌ ବିଲ୍‌କୁ ସମର୍ଥନ ଦେଇଥିବା ଭାରି ଚର୍ଚ୍ଚା । ଅବଶ୍ୟ ବିବାଦ ବଢିବା ପରେ ସସ୍ମିତ କୌଣସି ପ୍ରତିକ୍ରିୟା ରଖିନାହାନ୍ତି କିନ୍ତୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ । କଥାହେଲା, ଦଳ ନିଷ୍ପତ୍ତି ନେଇଥିଲା କି, ୱାକଫ୍‌ ବିଲ୍‌କୁ ବିରୋଧ କରିବ ବୋଲି । ସେଇଥି ଲାଗି ମୁନ୍ନା ଖାନ୍‌ ବି ବିରୋଧ କରିଥିଲେ । ହେଲେ ଶେଷ ମୁହୂର୍ତ୍ତରେ କେମିତି ସସ୍ମିତ ଦଳର ନିଷ୍ପତ୍ତିକୁ ବଦଳାଇଦେଲେ ସସ୍ମିତ ସେନେଇ ପ୍ରଶ୍ନ ଉଙ୍କି ମାରୁଛି । ସେପଟେ ବିଜେଡି ସୁପ୍ରିମୋଙ୍କ ନିରବତା ବି ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି । ଏବେ ସମୟ କହିବ ସସ୍ମିତ ବିରୋଧରେ ଦଳ କି ଷ୍ଟାଣ୍ଡ ନେଉଛି ।