NITISH AND MODI Photograph: (KANAK NEWS)
କନକ ବ୍ୟୁରୋ: ଆସନ୍ତାକାଲି ବିହାରରେ ନୂଆ ସରକାର ଶପଥ ଗ୍ରହଣ କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହିତ କିଛି ନେତା କାଲି ମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇପାରନ୍ତି । ତେବେ ଏହା ପୂର୍ବରୁ କିନ୍ତୁ ବିଜେପି ଏବଂ ଜେଡିୟୁ ଭିତରେ ଏବେ ବିଭାଗ ଭାଗବଣ୍ଟାକୁ ନେଇ କଥା ଛିଣ୍ଡୁନଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ବିଜେପି ନିଜ ପାଖରେ ଗୃହ ବିଭାଗ ରଖିବାକୁ ଚାହୁଁଥିବାବେଳେ, ନୀତୀଶ କୌଣସି ବି ପରିସ୍ଥିତିରେ ଗୃହ ବିଭାଗକୁ ନିଜ ପାଖରୁ ଛାଡ଼ିବାକୁ ଚାହୁଁନାହାଁନ୍ତି ।
ଆହୁରି ପଢ଼ନ୍ତୁ : ବିହାରରେ ଆସନ୍ତାକାଲି ନୂଆ ସରକାରର ଶପଥ ଗ୍ରହଣ
୨୦୦୫ ମସିହାରେ ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଗୃହ ବିଭାଗ ସବୁବେଳେ ଜେଡିୟୁ ପାଖରେ ରହିଆସିଛି । ତେବେ ଶପଥ ଗ୍ରହଣ ପୂର୍ବରୁ ବାଚସ୍ପତି ପଦକୁ ନେଇ ବିଜେପି ଏବଂ ଜେଡିୟୁ ଭିତରେ ବିବାଦ ଦେଖିବାକୁ ମିଳିଥିଲା । ହେଲେ ଏବେ ଏହି କଥାକୁ ନେଇ ଗୋଟିଏ ସହମତି ପ୍ରକାଶ ପାଇଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ବିଧାନସଭାର ବାଚସ୍ପତି ଏବଂ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ବିଜେପି କୋଟାରୁ ହେବେ । ତେବେ ବାଚସ୍ପତି ପଦ ପାଇଁ ବରିଷ୍ଠ ବିଜେପି ନେତା ପ୍ରେମ କୁମାରଙ୍କ ନାମ ବିଚାର କରାଯାଉଛି, ସେହିପରି ବିଜେପି କୋଟାରୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କ ନାଁ ସ୍ଥିର କରାଯାଇଛି ।
ଆହୁରି ପଢ଼ନ୍ତୁ : ଭୁବନେଶ୍ୱରରେ ଲାଗିବ ସଡ଼କ ଦୁର୍ଘଟଣା ଘଣ୍ଟା । ସଚେତନ ହେବେ ଲୋକେ, କମିବ ଦୁର୍ଘଟଣା ହାର
ଜାଣିରଖିବା ଉଚିତ ଯେ, ନଭେମ୍ବର ୨୦ ତାରିଖରେ ଗାନ୍ଧୀ ମଇଦାନରେ ଶପଥ ଗ୍ରହଣ ଉତ୍ସବ ହେବ । ଏଥିରେ ନୀତୀଶ କୁମାର ୨୩ ଜଣ ମନ୍ତ୍ରୀଙ୍କ ସହିତ ଶପଥ ଗ୍ରହଣ କରିବେ । ଏଥିରେ ବିଜେପି ଏବଂ ଜେଡିୟୁରୁ ୧୦ ଜଣ ଏବଂ ଏଲଜେପି (ରାମ ବିଳାସ), ଏଚ୍ଏଏମ୍ ଏବଂ ଆରଏଲଏସପିରୁ ଜଣେ ଲେଖାଏଁ ମନ୍ତ୍ରୀ ସାମିଲ ହୋଇପାରନ୍ତି ।
Follow Us