କନକ ବ୍ୟୁରୋ: ବିହାରରେ ଭୋଟିଂ ସରିଛି, ଏକଜିଟ୍ ପୋଲ ବି ଆସିସାରିଛି । ଆଉ ଏବେ ସମସ୍ତଙ୍କର ନଜର ନଭେମ୍ବର ୧୪ ଉପରେ । କାହିଁକି ନା ଏହି ଦିନ ବିହାର ବିଧାନସଭା ନିର୍ବାଚନର ଅସଲ ରେଜଲ୍ଟ । ବିହାରରେ କିଏ ବାଜି ମାରିବ? ବିହାରରେ କାହାର ସରକାର ହେବ, ତାହା ନଭେମ୍ବର ୧୪ ଦିନ ହିଁ ଜଣାପଡ଼ିବ । ହେଲେ ତା ପୂର୍ବରୁ ଏକଜିଟ୍ ପୋଲରେ ଯେଉଁ ତଥ୍ୟ ଆସିଛି, ତା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଚିନ୍ତା ବଢ଼ାଇଛି । ଅଧିକାଂଶ ଏକଜିଟ୍ ପୋଲରେ ବିହାରରେ ପୁଣି ଏନଡିଏ ସରକାର ଗଠନ କରିବା ନେଇ ଆକଳନ କରାଯାଇଛି । ଯାହାକି ଏବେ ମହାମେଣ୍ଟ ପାଇଁ ବଡ଼ ଝଟକା ବୋଲି କୁହାଯାଉଛି । 

Advertisment

ବିହାରରେ ଏଥର ବମ୍ପର ଭୋଟିଂ ହେଇଛି । ସବୁ ରେକର୍ଡକୁ ଭାଙ୍ଗିଛି ଏଥର ବିହାର ଭୋଟିଂ । ତେବେ ଏଥର ନିର୍ବାଚନରେ ମହିଳାମାନେ ଭାରି ସଂଖ୍ୟାରେ ଭୋଟ୍ ଦେଇଥିବା ଜଣାପଡ଼ିଛି । ଯାହାକି ଏନଡିଏକୁ ଫାଇଦା ଦେଇଛି ବୋଲି ଚର୍ଚ୍ଚା ହେଉଛି । ବିହାରରେ ଏଥର ୭୧.୦୬ ପ୍ରତିଶତ ମହିଳା ଭୋଟ୍ ଦେଇଛନ୍ତି । ଯାହାକୁ ସଂଖ୍ୟାରେ ଦେଖିଲେ ପାଖାପାଖି ସାଢ଼େ ୩ କୋଟିରୁ ଅଧିକ ଅଟେ । ତେବେ ଏତେ ସଂଖ୍ୟାରେ ମହିଳାଙ୍କ ଭୋଟ୍ ପଡ଼ିବା ବିହାରରେ ଏନଡିଏ ସରକାରକୁ ଫାଇଦା ଦେଇଥିବା ଚର୍ଚ୍ଚା ହେଉଛି ।

ଆହୁରି ପଢ଼ନ୍ତୁ : ରୁଷ୍‌ଠାରୁ ଭାରତର ତେଲ କିଣା ବନ୍ଦ, ଏଥର ଟାରିଫ କମାଇବ ଆମେରିକା !

ବିହାରରେ ମୋଟ ୬୬.୯୧ ପ୍ରତିଶତ ଭୋଟିଂ

ନିର୍ବାଚନ ଆୟୋଗର ସୂଚନା ଅନୁସାରେ, ବିହାରରେ ଏଥର ମୋଟ ୬୬.୯୧ ପ୍ରତିଶତ ଭୋଟିଂ ହୋଇଛି । ପ୍ରଥମ ପର୍ୟ୍ୟାୟରେ ୬୫.୦୮ ପ୍ରତିଶତ ଆଉ ଦ୍ୱିତୀୟ ପର୍ୟ୍ୟାୟରେ ପଡ଼ିଛି ୬୮.୭୬ ପ୍ରତିଶତ ଭୋଟ୍ । ତେବେ ଏହି ଦୁଇଟି ପର୍ୟ୍ୟାୟକୁ ମିଶାଇଲେ ବିହାରରେ ମୋଟ ୬୬.୯୧ ପ୍ରତିଶତ ଭୋଟିଂ ହୋଇଛି । ଯାହା ଭିତରୁ କେବଳ ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ସାଢ଼େ ୩ କୋଟିରୁ ଅଧିକ । 

ବିହାରର ଏକଜିଟ୍ ପୋଲ୍ କଣ କହୁଛି? 

ଏକଜିଟ୍ ପୋଲର ଆକଳନ ଅନୁସାରେ ବିହାରରେ କ୍ଲିନ୍ ସୁଇପ୍ କରିବ ଏନଡିଏ । ବିଭିନ୍ନ ସଂସ୍ଥା କରିଥିବା ଏକ୍‌ଜିଟ୍ ପୋଲ୍‌ ବା ବୁଥ୍ ବାହୁଡ଼ା ମତରୁ ଏହା ଜଣାପଡୁଛି। ଅଧିକାଂଶ ସଂସ୍ଥାଙ୍କ ଏଗଜିଟ ପୋଲରେ ଏନଡିଏକୁ ବହୁମତ ମିଳିପାରେ ବୋଲି ଅନୁମାନ କରିଛନ୍ତି । ବଡ କଥା ହେଲା, ଏଗଜିଟ ପୋଲ ଅନୁସାରେ ମହାଗଠବନ୍ଧନକୁ ଶକ୍ତ ଝଟକା ଲାଗିଛି । ଅଧିକାଂଶ ଏଗଜିଟ ପୋଲରେ  ମହାଗଠବନ୍ଧନ ଶହେ ଅଙ୍କ ବି ଅତିକ୍ରମ କରିପାରୁନାହିଁ। ଆଉ ପ୍ରଶାନ୍ତ କିଶୋରଙ୍କ ଯାଦୁ ବିହାରରେ ଚାଲିନାହିଁ । ଏମିତିକି ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ଖାତା ବି ଖୋଲି ପାରିବ ନାହିଁ ବୋଲି କିଛି ସଂସ୍ଥା ଆକଳନ କରିଛନ୍ତି। ତେବେ ଏନଡିଏର ଏହି ବିଜୟ ହେଲେ ଏଥିରେ ମହିଳାଙ୍କ ବଡ଼ ଭୂମିକା ରହିବ ବୋଲି ଚର୍ଚ୍ଚା ହେଉଛି ।