କନକ ବ୍ୟୁରୋ:  ଶେଷରେ ରୁଷ୍‌ଠାରୁ ତେଲକିଣା ବନ୍ଦ କଲା ଭାରତ । ଆଗାମୀ ଡିସେମ୍ବର ମାସ ପାଇଁ ଭାରତର ପ୍ରମୁଖ କମ୍ପାନିଗୁଡ଼ିକ ରୁଷ୍‌କୁ ତେଲ ପାଇଁ କୌଣସି ବଡ଼  ଅର୍ଡର ଦେଇନଥିବା ସୂଚନା ମିଳିଛି । ଶିଳ୍ପ ସହ ଜଡ଼ିତ ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ଏହି ସୂଚନା ଦେଇଛନ୍ତି । ପ୍ରତି ମାସର ୧୦ ତାରିଖ ସୁଦ୍ଧା ପରବର୍ତ୍ତୀ ମାସରେ ତେଲ କିଣିବା ପାଇଁ ଅର୍ଡର ଦେଇଥାଆନ୍ତି କମ୍ପାନିଗୁଡ଼ିକ । କିନ୍ତୁ ଚଳିତ ନଭେମ୍ବର ମାସରେ ତାହା ହୋଇନି ।

Advertisment

ଦୀର୍ଘ ଦିନ ଧରି ରୁଷ୍‌ଠାରୁ ତେଲ ନକିଣିବା ପାଇଁ ଭାରତ ଉପରେ ଚାପ ପକାଇ ଆସୁଥିଲା ଆମେରିକା । ଭାରତ ତେଲ କିଣି ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପାଇଁ ପାଣ୍ଠି ଯୋଗାଉଥିବା ଖୋଲା ଅଭିଯୋଗ କରିଥିଲେ ଆମେରିକା ରାଷ୍ଟ୍ରପତି । ଏହାପରେ ଭାରତ ଉପରେ ୨୫ ପ୍ରତିଶତ ଅଧିକ ଶୁଳ୍କ ମଧ୍ୟ ଲଗାଇଥିଲେ । ଏବେ ଭାରତ ରୁଷଠାରୁ ତେଲ କିଣା ବନ୍ଦ କରିଥିବା ବେଳେ ଭାରତ ପ୍ରତି ନରମ ହୋଇଛି ଟ୍ରମ୍ପଙ୍କ ସ୍ୱର ।  ଆମେରିକାର ଟାରିଫ ଯୋଗୁଁ ଭାରତର ରପ୍ତାନୀକାରୀମାନେ ୫୦ ପ୍ରତିଶତ ଚଢ଼ା ଶୁଳ୍କର ସମ୍ମୁଖୀନ ହେଉଛନ୍ତି । ଭାରତୀୟ ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡ଼ୁଛି । ସେପଟେ ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ଉପରେ ଆଲୋଚନା ଜାରି ରହିଛି ।

ଭାରତ ଓ ରୁଷ୍‌ ମଧ୍ୟରେ ଆଲୋଚନା ଆରମ୍ଭ । ଦୀର୍ଘ -ଅବଧି ତୈଳ ଯୋଗାଣ ଲାଗି ହୋଇପାରେ ରାଜିନାମା ।

ଏଭଳି ସମୟରେ ଭାରତର ୫ଟି ପ୍ରମୁଖ ତେଲ କମ୍ପାନି ରୁଷ୍‌ଠାରୁ ତେଲ କିଣିବା ପାଇଁ କୌଣସି ଅର୍ଡର ଦେଇନାହାନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍, ମାଙ୍ଗାଲୋର ରିଫାଇନାରି ଆଣ୍ଡ୍ ପେଟ୍ରୋକେମିକାଲ୍ସ ଲିମିଟେଡ୍, ଏଚ୍‌ପିସିଏଲ୍‌-ମିତ୍ତଲ ଏନର୍ଜି ଲିମିଟେଡ୍‌ ପ୍ରମୁଖ ରୁଷ୍‌ଠାରୁ ତେଲ ଆମଦାନୀ କରୁଥିଲେ । କିନ୍ତୁ ଡିସେମ୍ବର ପାଇଁ କୌଣସି ଆଦେଶନାମା ନଥିବା ସୂଚନା ମିଳିଛି । ରୁଷଠାରୁ ଭାରତ ଆମଦାନୀ କରୁଥିବା ଅଶୋଧିତ ତୈଳର ଦୁଇତୃତୀୟାଂଶ ଏମାନେ ଅର୍ଡର କରିଥାଆନ୍ତି ବୋଲି କେପ୍‌ଲର୍‌ ତଥ୍ୟରୁ ଜଣା ପଡ଼ିଛି । ଆମେରିକା କଟକଣା ଲଗାଇନଥିବା କମ୍ପାନିଠାରୁ ଭାରତୀୟ ତୈଳ ନିଗମ ଅଶୋଧିତ ତୈଳ କିଣିଛି । ତେବେ ନାୟାରା ରୁଷ୍‌ର ରୋଜନେଫ୍ଟର କମ୍ପାନିର ଏକ ଅଂଶ ହୋଇଥିବାରୁ ଏହା ତେଲ ପାଇଁ ରୁଷ୍‌ ଉପରେ ନିର୍ଭରଶୀଳ । 

ସବୁଠାରୁ ବଡ଼ କଥା ହେଉଛି ଚଳିତ ବର୍ଷ ରୁଷ୍‌ଠାରୁ ମୋଟ ଅଶୋଧିତ ତୈଳ ଆମଦାନୀର ୩୬ ପ୍ରତିଶତ ହିଁ କିଣିଛି । ରୁଷ୍ଠଠାରୁ  ତେଲ କିଣା ବନ୍ଦ ହେବାପରେ ଭାରତୀୟ କମ୍ପାନିଗୁଡ଼ିକୁ ଏଥର ପାରମ୍ପରିକ ବଜାର ଉପରେ ନିର୍ଭରଶୀଳ ହେବେ । ସେପଟେ ଗତ ମଙ୍ଗଳବାର ଭାରତ ଉପରୁ ଟାରିଫ ହ୍ରାସ କରିବେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ରୁଷଠାରୁ ତେଲ କିଣା କମାଇଥିବା କଥା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ୍ । ଟ୍ରମ୍ପ କହିଛନ୍ତି ଯେ, ରୁଷ୍‌ଠାରୁ ତେଲ ନକିଣିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଟାରିଫ୍‌ ହ୍ରାସ ହେଲେ ଭାରତୀୟ ବ୍ୟବସାୟୀଙ୍କୁ ଫାଇଦା ମିଳିବ ।