କନକ ବ୍ୟୁରୋ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ । ଶ୍ରୀକ୍ଷେତ୍ର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ପ୍ରତିଟି ଓଡ଼ିଆଙ୍କ ସ୍ବପ୍ନ । ଖାସ୍‌ ଏଇଥି ପାଇଁ ପୁରୀକୁ ସବୁଦିନ ଛୁଟିଥାଏ ଭକ୍ତଙ୍କ ଭିଡ଼ । ମହାପ୍ରଭୁଙ୍କୁ ଟିକେ ଦର୍ଶନ କରିବାକୁ ବହୁ ବାଧାବିଘ୍ନର ସାମନା କରନ୍ତି ଶ୍ରଦ୍ଧାଳୁ । ମାତ୍ରାଧିକ ଭକ୍ତଙ୍କ ଗହଳି ଯୋଗୁ ରାଜରାସ୍ତା ପ୍ରାୟତଃ ଜାମ୍‌ ରହିଥାଏ । ଆଉ ଏ ଭିଡ଼ରେ ସନ୍ତୁଳି ହୁଅନ୍ତି ଭକ୍ତ । ରାସ୍ତା ଜାମ୍‌ ଯୋଗୁ ଘଣ୍ଟା ଘଣ୍ଟା କଟିଯାଏ ରାସ୍ତାରେ । କିନ୍ତୁ ଏବେ ପୁରୀ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଖୁସି ଖବର । ଏବେ କମିଯିବ ଜଗା ପାଖକୁ ଯିବା ସମୟ । ମାତ୍ର ୪୦ ମିନିଟ୍‌ରେ ଭକ୍ତ ପହଞ୍ଚିଯିବେ ଭୁବନେଶ୍ବରରୁ ପୁରୀ । ଏନେଇ ଚିନ୍ତା କରୁଛନ୍ତି ସରକାର , ଏଥିପାଇଁ ୮ ଲେନ୍‌ ହେବ ଭୁବନେଶ୍ବରରୁ ପୁରୀ ରାସ୍ତା । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । 

Advertisment

ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଜାତୀୟ ରାଜପଥର ପ୍ରପୋଜାଲ୍ ଥିଲା ଭୁବନେଶ୍ବର ପୁରୀ ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରିବା ପାଇଁ । ସେଥିପାଇଁ ସରକାର ସମ୍ମତି ପାଇସାରିଛନ୍ତି । ରାଜ୍ୟର ଦାବି ଥିଲା ଭୁବନେଶ୍ବର ପୁରୀ ରାସ୍ତାକୁ ୮ ଲେନ କରିବା ପାଇଁ । କେନ୍ଦ୍ରମନ୍ତ୍ରୀ ମଧ୍ୟ ସେ ରାସ୍ତାକୁ ୮ ଲେନ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫିଜିବିଲିଟିକୁ ଦେଖି ତାକୁ ୮ ଲେନ୍‌ କରାଯିବ ନଚେତ୍ ୬ ଲେନ୍‌ କରି ଆକ୍ସେସ କଣ୍ଟ୍ରୋଲ କରି ୨ ଲେନ୍‌  ସର୍ଭିସ ରୋଡ୍‌ କରିବାକୁ ଯୋଜନା କରାଯାଉଛି । ଛୋଟ ଗାଡ଼ି ପାଇଁ ସର୍ଭିସ ରୋଡ୍‌ କରିବାକୁ ଯୋଜନା କରିଛନ୍ତି ସରକାର । 

ଆହୁରି ପଢ଼ନ୍ତୁ : ମୁହଁ ଖୋଲିଲେ ବିଧାୟକ ହିମାଂଶୁ ଶେଖର ସାହୁ; କହିଲେ,ନିର୍ଯାତନା ଦେଉଛନ୍ତି ପ୍ରଣବ ବଳବନ୍ତରାୟ

ତେବେ ଯଦି ଏମିତି ହୁଏ , ପୁରୀ ଯିବାକୁ ମାତ୍ର ୪୦ ମିନିଟ୍‌ ସମୟ ଲାଗିବ । ଆଉ ଅଯଥାରେ ଅସୁବିଧାର ସମ୍ମୁଖୀନ ହେବେନି ଭକ୍ତ ।  ତର୍ଜମା ଚାଲିଛି, ସ୍ପଷ୍ଟତା ଆସିଲେ ସେ ବାବଦରେ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ୮ ଲେନ୍‌ ବିଶିଷ୍ଟ ରାସ୍ତା ପାଇଁ ଯୋଜନା ହେଇଛି । ରାଜ୍ୟ ସରକାର ସେନେଇ ବିଚାର କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।