Barabati Stadium Photograph: (Kanak News)
କନକ ବ୍ୟୁରୋ : ଭାରତର ପୁରାତନ ଷ୍ଟାଡିୟମ ମଧ୍ୟରୁ ଗୋଟିଏ ବାରବାଟୀ ଷ୍ଟାଡିୟମ୍ । ୧୯୫୮ ମସିହାରେ ନିର୍ମାଣ ହୋଇଥିଲା ଏ ଷ୍ଟାଡିୟମ । ସମୟ ବଦଳିଛି ସତ କିନ୍ତୁ ବାରବାଟୀ ଷ୍ଟାଡିୟମର ରୂପରେଖ କିନ୍ତୁ ବଦଳି ପାରିନି । ଏବେବି କଂକ୍ରିଟ ପାହାଚ ଉପରେ ବସି ଖେଳ ଦେଖୁଛନ୍ତି ଦର୍ଶକ ।
କଟକର ବାରବାଟୀ ଷ୍ଟାଡିୟମ୍ । କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ମିଳିଲେ ଆରମ୍ଭ ହୋଇଯାଏ ସାଜସଜା । ସବୁକିଛି ଶୃଙ୍ଖଳିତ ଢଙ୍ଗରେ କରିବାକୁ ଓସିଏ ବି ଲାଗିପଡ଼େ । କିନ୍ତୁ ଦର୍ଶକଙ୍କ ପାଇଁ ମୌଳିକ ସୁବିଧା କଥା ଯେମିତି ସଭିଏଁ ଭୁଲିଯାଆନ୍ତି । ଷ୍ଟାଡିୟମରେ ଆଜି ବି ରହିଛି କଂକ୍ରିଟ୍ ପାହାଚ । ମ୍ୟାଚ୍ ବେଳେ ବିନା ଚେୟାରରେ ଏଇ କଂକ୍ରିଟ୍ ପାହାଚ ଉପରେ ବସି ଖେଳ ଦେଖନ୍ତି ଦର୍ଶକ । ଯାହା ବାରବାଟୀର ବାସ୍ତବ ଚିତ୍ରକୁ ପଦାରେ ପକାଇଛି ।
ଏମିତିରେ କାଁ ଭାଁ ଗୋଟେ ଅଧେ ମ୍ୟାଚ୍ ମିଳୁଛି ବାରବାଟୀକୁ । ସେଥିରେ ପୁଣି ଦର୍ଶକମାନଙ୍କ ପାଇଁ ଥିବା ଗ୍ୟାଲେରୀର ଚିତ୍ର ଦେଖି ଜଳଜଳ ଦେଖାଯାଉଛି ବାରବାଟୀକୁ କିଭଳି ଭାବେ ଅବହେଳିତ ଅବସ୍ଥାରେ ରଖାଯାଇଛି । ମ୍ୟାଚ୍ ବେଳେ ସାଧାରଣ ଦର୍ଶକମାନଙ୍କ ପାଇଁ ମୁଖ୍ୟତଃ ଗ୍ୟାଲେରୀ ନମ୍ବର ୧,୨,୩,୪ ଓ ୭ ରହିଥାଏ । କିନ୍ତୁ ଏହି ସବୁ ଗ୍ୟାଲେରୀରେ ନାହିଁ ସିଟ୍ ବ୍ୟବସ୍ଥା ।
ବାରବାଟୀର ଏଭଳି ଅବସ୍ଥା ପାଇଁ ଦାୟୀ କିଏ ? କ'ଣ ପାଇଁ ବାରବାଟୀରେ ଦର୍ଶକ ମାନଙ୍କ ପାଇଁ ସିଟ୍ ବ୍ୟବସ୍ଥା କରାଯାଉନାହିଁ ? ଭାରତର ସବୁ ଷ୍ଟାଡିୟମ ଆଗେଇ ଥିବାବେଳେ ବାରବାଟୀ କ'ଣ ପାଇଁ ପଛରେ ? ଆଉ କେତେଦିନ ଏମିତି କଂକ୍ରିଟ୍ ପାହଚ ଉପରେ ବସି ଖେଳ ଦେଖୁଥିବେ ଦର୍ଶକ ?
Follow Us