କନକ ବ୍ୟୁରୋ : କୋଲକାତା ନାଇଟ୍ ରାଇଡର୍ସ ବିସିସିଆଇର ନିର୍ଦ୍ଦେଶ ପାଳନ କରି ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ନିଜ ଦଳରୁ ବାଦ୍ ଦେଇଛି । କେକେଆର୍ ଗତ ମାସରେ ଅନୁଷ୍ଠିତ ଆଇପିଏଲ୍ ମିନି ନିଲାମରେ ମୁସ୍ତାଫିଜୁର ରହମାନଙ୍କୁ ୯.୨୦ କୋଟି ଟଙ୍କାରେ କିଣିଥିଲା । ଏହି ନିଷ୍ପତ୍ତି ପରେ ଭାରତ ଓ ବାଂଲାଦେଶ ମଧ୍ୟରେ କ୍ରିକେଟ୍ ସମ୍ପର୍କରେ ତିକ୍ତତା ଆହୁରି ବଢ଼ିଯାଇଛି । ବାଂଲାଦେଶ କ୍ରିକେଟ୍ ବୋର୍ଡ ଏବେ ଆଇସିସି ନିକଟରେ ନିଜର ଟି-୨୦ ବିଶ୍ୱକପ୍ ମ୍ୟାଚ୍ଗୁଡ଼ିକୁ ଭାରତରୁ ହଟାଇ ଶ୍ରୀଲଙ୍କାରେ ଆୟୋଜନ କରିବାକୁ ଦାବି କରିବ । ଏଥିପାଇଁ ବିସିବି ଆଇସିସିକୁ ଚିଠି ଲେଖିବାକୁ ନିଷ୍ପତ୍ତି ନେଇଛି ।
ବିସିବି ଭାରତରେ, ବିଶେଷ କରି କୋଲକାତାରେ ନିଜ ଖେଳାଳିଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛି । ଫେବୃଆରୀ-ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ରେ ବାଂଲାଦେଶକୁ ନିଜର ପ୍ରଥମ ତିନୋଟି ମ୍ୟାଚ୍ କୋଲକାତାରେ ଖେଳିବାର ଅଛି । ଶନିବାର ବିସିବିର ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କ ଏକ ଜୁମ୍ ଜରିଆରେ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ସମ୍ପର୍କରେ ମିଡିଆ କମିଟି ଅଧ୍ୟକ୍ଷ ଅମଜଦ ହୁସେନ୍ ଇଏସପିଏନ୍ କ୍ରିକଇନଫୋକୁ କହିଛନ୍ତି, 'ଟି-୨୦ ବିଶ୍ୱକପ୍ରେ ଆମର ତିନୋଟି ମ୍ୟାଚ୍ କୋଲକାତାରେ ସ୍ଥିର ହୋଇଛି । ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେ ସମ୍ପର୍କରେ ଆମେ ଆଇସିସିକୁ ଜଣାଇବୁ ।'
ଅଧିକ ପଢ଼ନ୍ତୁ---ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା: ଫେରିଲେ ଶ୍ରେୟସ-ସିରାଜ, ସାମିଙ୍କୁ ମିଳିଲାନି ସୁଯୋଗ
ଅନ୍ୟପଟେ ବାଂଲାଦେଶର କ୍ରୀଡ଼ା ପରାମର୍ଶଦାତା ଆସିଫ ନଜରୁଲ ଭାରତରେ ଦଳର ସୁରକ୍ଷା ଉପରେ ଖୋଲାଖୋଲି ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲ୍ରୁ ବାଦ୍ ଦେବା ପଛରେ ସାମ୍ପ୍ରତିକ ଘଟଣାବଳୀର ଦ୍ୱାହି ଦେଇଛି, ଯାହା ଅତ୍ୟନ୍ତ ଚିନ୍ତାଜନକ । ଏହାସହ ନଜରୁଲ ବାଂଲାଦେଶର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଦେଶରେ ଆଇପିଏଲ୍ ପ୍ରସାରଣ ବନ୍ଦ କରିବାକୁ ମଧ୍ୟ କହିଛନ୍ତି, ଯାହାଦ୍ୱାରା ଏହି ବିବାଦର ପ୍ରଭାବ ଏବେ କ୍ରିକେଟ୍ ସୀମା ଟପି ଆଗକୁ ବଢ଼ୁଥିବା ଦେଖାଯାଉଛି ।
ଆସିଫ ନଜରୁଲ ନିଜ ଫେସବୁକ୍ ଆକାଉଣ୍ଟରେ ଲେଖିଛନ୍ତି, ବିସିସିଆଇ ଉଗ୍ର ସାମ୍ପ୍ରଦାୟିକ ଗୋଷ୍ଠୀଙ୍କ ପ୍ରତି ନିଜର ନୀତିକୁ ସମର୍ଥନ କରି କୋଲକାତା ନାଇଟ୍ ରାଇଡର୍ସକୁ ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ ଦଳରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛି । ମୁଁ ଏହାକୁ ଦୃଢ଼ ନିନ୍ଦା ଓ ବିରୋଧ କରୁଛି । କ୍ରୀଡ଼ା ମନ୍ତ୍ରଣାଳୟର ଜଣେ ଦାୟିତ୍ୱବାନ ପରାମର୍ଶଦାତା ଭାବେ ମୁଁ ବିସିବିକୁ ଏହି ପୂରା ପ୍ରସଙ୍ଗରେ ଆଇସିସିକୁ ସ୍ପଷ୍ଟୀକରଣ ମାଗିବାକୁ କହିଛି । ବିସିବି ଏହା ସ୍ପଷ୍ଟ କରିବା ଉଚିତ ଯେ ଯଦି ଜଣେ ବାଂଲାଦେଶୀ କ୍ରିକେଟର ଅନୁବନ୍ଧିତ ହେବା ପରେ ମଧ୍ୟ ଭାରତରେ ଖେଳିପାରିବେ ନାହିଁ, ତେବେ ବାଂଲାଦେଶର ପୂରା କ୍ରିକେଟ୍ ଦଳ ବିଶ୍ୱକପ୍ ପରି ବଡ଼ ଟୁର୍ଣ୍ଣାମେଣ୍ଟ ସମୟରେ ଭାରତରେ କିପରି ସୁରକ୍ଷିତ ମଣିବେ ?'
ଆସିଫ ନଜରୁଲ ଆହୁରି ମଧ୍ୟ ଲେଖିଛନ୍ତି, 'ଏହାକୁ ଧ୍ୟାନରେ ରଖି ମୁଁ ବିସିବିକୁ ବାଂଲାଦେଶର ବିଶ୍ୱକପ୍ ମ୍ୟାଚ୍ଗୁଡ଼ିକୁ ଶ୍ରୀଲଙ୍କାରେ ଆୟୋଜନ କରିବାକୁ ଅନୁରୋଧ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଏହା ବ୍ୟତୀତ, ମୁଁ ସୂଚନା ଓ ପ୍ରସାରଣ ପରାମର୍ଶଦାତାଙ୍କୁ ବାଂଲାଦେଶ ସହ ଜଡ଼ିତ ଆଇପିଏଲ୍ ମ୍ୟାଚ୍ ପ୍ରସାରଣ ଉପରେ ରୋକ୍ ଲଗାଇବାକୁ କହିଛି । ଆମେ କୌଣସି ପରିସ୍ଥିତିରେ ବାଂଲାଦେଶ, ତା’ର କ୍ରିକେଟ୍ କିମ୍ବା ଖେଳାଳିଙ୍କ ଅପମାନ ସହିବୁ ନାହିଁ । ଗୋଲାମିର ଦିନ ଏବେ ଶେଷ ହୋଇଛି ।' ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ରେ ବାଂଲାଦେଶର ମ୍ୟାଚ୍ କୋଲକାତା ଏବଂ ମୁମ୍ବାଇରେ ଖେଳାଯିବାର ଅଛି । ଦଳ ତାର ପ୍ରଥମ ମ୍ୟାଚ୍ ୭ ଫେବୃଆରୀରେ ଇଡେନ ଗାର୍ଡେନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବ, କିନ୍ତୁ ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଏହି ମ୍ୟାଚ୍ଗୁଡ଼ିକର ସ୍ଥାନକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/04/cricket-2026-01-04-12-52-42.jpg)