କନକ ବ୍ୟୁରୋ: ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଯେଉଁ ୨-୩ ଜଣ ଖେଳାଳିଙ୍କ ଉପରେ ସବୁଠାରୁ ଅଧିକ ଦାୟିତ୍ୱ ରହିବ, ହାର୍ଦ୍ଦିକ ପାଣ୍ଡ୍ୟା ସେମାନଙ୍କ ମଧ୍ୟରୁ ଜଣେ । ବିଶ୍ୱକପର ପ୍ରାୟ ଏକ ମାସ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଦେଖାଇ ଦେଇଛନ୍ତି ଯେ ସେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଭଲ ଫର୍ମରେ ଅଛନ୍ତି । ଏହାର ଏକ ଝଲକ ଷ୍ଟାର ଅଲରାଉଣ୍ଡର ବିଜୟ ହଜାରେ ଟ୍ରଫିରେ ଦେଖାଇଛନ୍ତି । ବରୋଦା ପକ୍ଷରୁ ଖେଳି ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୬୮ ବଲରେ ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି । ବିପଦରେ ଥିବା ଦଳ ପାଇଁ ୭ମ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଷ୍ଟାର ଅଲରାଉଣ୍ଡର ପାଣ୍ଡ୍ୟା ଏକପାଖିଆ ଭାବେ ଖେଳର ମୋଡ଼ ବଦଳାଇ ଦେବା ସହ ଦଳକୁ ବଞ୍ଚାଇ ଦେଇଛନ୍ତି ।
ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଏହି ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଦର୍ଭ ବିପକ୍ଷରେ ଏହି ମ୍ୟାଚରେ ବରୋଦା ପ୍ରଥମେ ବ୍ୟାଟିଂ କରୁଥିଲା। କିନ୍ତୁ ମାତ୍ର ୭୧ ରନ୍ରେ ଦଳର ୫ଟି ୱିକେଟ୍ ପଡ଼ିଯାଇଥିଲା, ସେତିକି ବେଳେ ୭ମ ନମ୍ବରରେ ହାର୍ଦ୍ଦିକ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲେ । ସେ କିଛି ସମୟ ଦଳର ଅଧିନାୟକ ତଥା ନିଜ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ମିଶି ପାଳି ସମ୍ଭାଳିଥିଲେ ଏବଂ ଉଭୟଙ୍କ ମଧ୍ୟରେ ୬୫ ରନର ଭାଗିଦାରୀ ମଧ୍ୟ ହୋଇଥିଲା । ତେବେ କ୍ରୁନାଲ ଆଉଟ୍ ହେବା ପରେ ହାର୍ଦ୍ଦିକ ନିଜେ ସମ୍ପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ।
ଆହୁରି ପଢ଼ନ୍ତୁ...ବିଦା ହେବେ ମୁସ୍ତାଫିଜୁର୍, ୯କୋଟି ଯିବ କୁଆଡ଼େ?
ଏଠାରୁ ହାର୍ଦ୍ଦିକ ବିଦର୍ଭର ବୋଲରମାନଙ୍କୁ ଆକ୍ରମଣ କରିବା ଆରମ୍ଭ କଲେ ଏବଂ କେବଳ ଚୌକା-ଛକାରେ କଥା ହେଲେ । କିନ୍ତୁ ତାଙ୍କର ସବୁଠାରୁ ଭୟଙ୍କର ରୂପ ପାଳିର ୩୯ତମ ଓଭରରେ ଦେଖିବାକୁ ମିଳିଥିଲା । ସେହି ସମୟ ପର୍ଯ୍ୟନ୍ତ ସେ ୬୨ ବଲରେ ୬୬ ରନ୍ କରିସାରିଥିଲେ । କିନ୍ତୁ ୩୯ତମ ଓଭରରେ ସେ ବିଦର୍ଭର ବୋଲର ପି.ଆର୍. ରେଖାଡ଼େଙ୍କୁ ଟାର୍ଗେଟ୍ କରି ଗୋଟିଏ ଓଭରରେ ୩୪ ରନ୍ ସଂଗ୍ରହ କରିଥିଲେ । ଏହି ଓଭରରେ ହାର୍ଦ୍ଦିକ କ୍ରମାଗତ ୫ଟି ଛକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଶେଷରେ ଓଭରର ଅନ୍ତିମ ବଲରେ ଚୌକା ମାରି ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଶତକ ପୂରଣ କରିଥିଲେ ।
ଆଶ୍ଚର୍ଯ୍ୟର କଥା ହେଉଛି ହାର୍ଦ୍ଦିକ ନିଜ ଲିଷ୍ଟ-ଏ (ୱାନଡେ) କ୍ୟାରିୟରରେ ପ୍ରଥମ ଥର ପାଇଁ ଶତକ ହାସଲ କରିଛନ୍ତି । ମାତ୍ର ୬୮ ବଲରେ ଶତକ ପୂରଣ କରିବା ପରେ ମଧ୍ୟ ହାର୍ଦ୍ଦିକ ଅଟକି ନଥିଲେ ଏବଂ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । ଶେଷରେ ଦଳକୁ ୨୫୦ ରନ୍ ପାର୍ କରାଇବା ପରେ ହିଁ ହାର୍ଦ୍ଦିକ ଆଉଟ୍ ହୋଇଥିଲେ । ୪୬ତମ ଓଭରରେ ଆଉଟ୍ ହେବା ପୂର୍ବରୁ ହାର୍ଦ୍ଦିକ ମାତ୍ର ୯୨ ବଲରେ ୧୩୩ ରନର ଏକ ଚମତ୍କାର ପାଳି ଖେଳି ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍କୋର କରିଥିଲେ । ତାଙ୍କର ଏହି ପାଳିରେ ୧୧ଟି ଛକା ଏବଂ ୮ଟି ଚୌକା ସାମିଲ ଥିଲା । ଏହା ପୂର୍ବରୁ ଲିଷ୍ଟ-ଏ କ୍ରିକେଟରେ ହାର୍ଦ୍ଦିକଙ୍କ ସର୍ବାଧିକ ସ୍କୋର ୯୨ ରନ୍ ଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2026/01/03/pandya-2026-01-03-15-23-21.jpg)