କନକ ବ୍ୟୁରୋ: ସମୟ- ସକାଳ ପ୍ରାୟ ୧୧ଟା । ସ୍ଥାନ- ଭୁବନେଶ୍ବର ରୁପାଲି ଛକ । ଟ୍ରାଫିକ୍‌ରେ ଅଟକି ଥିବା ଅଟୋକୁ ପଛପଟୁ ହଠାତ୍‌ ଆସି ଧକ୍କା ଦେଲା ଆମ ବସ୍ । ଆଉ ଘଟିଗଲା ଭୟଙ୍କର ଦୁର୍ଘଟଣା । ଛିନ୍‌ଛତ୍ର ହୋଇଗଲା ଅଟୋ । ଘଟଣାସ୍ଥଳରେ ହିଁ ଚାଲିଯାଇଛି ଅଟୋ ଚାଳକ ବିଷ୍ଣୁ ପାତ୍ରଙ୍କ ଜୀବନ । ସୌଭାଗ୍ୟବଶତଃ ଅଟୋରେ ବସିଥିବା ୩ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ ବି ୨ ଜଣ ଆହତ ହୋଇଛନ୍ତି । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

Advertisment

ଗାଁରେ ପହଞ୍ଚିୁନି ମୁଖ୍ୟମନ୍ତ୍ରୀ ବସ୍‌ ସେବା ! ଯା’ଆସରେ ସମସ୍ୟା ଭୋଗୁଛନ୍ତି ଲୋକେ

ରାମ ମନ୍ଦିର ପଟୁ ବାଣୀବିହାର ଅଭିମୁଖେ ଯାଉଥିଲା ଅଟୋ । ରେଡ୍ ସିଗନାଲ୍ ଥିବାରୁ ଟ୍ରାଫିକ୍ ଛକରେ ଅଟକିଥିଲା । ସାମ୍ନାରେ ଥିଲା ଏକ ସ୍କୁଲ୍ ବସ୍ ।  ଏହି ସମୟରେ ହଠାତ୍ କାଳ ରୂପରେ ପଛପଟୁ ମାଡ଼ି ଆସିଥିଲା ‘ଆମ ବସ୍’ । ଆଉ ଅଟୋଟିକୁ ଚାପି ଦେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରକାଶ ପାଇଥିଲା ଉତ୍ତେଜନା । ଆମ ବସ୍ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆମ ବସ୍ ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକେ । ପ୍ରାୟ ଘଣ୍ଟାଏ କାଳ ଜନପଥ ରାସ୍ତାରେ ବେହାଲ୍ ହୋଇଥିଲା ଟ୍ରାଫିକ୍ । ଘଟଣାସ୍ଥଳରେ ଡିସିପି ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା । 

ଜୀବନ ନେଉଛି ‘ଆମ ବସ୍’
ଡିସେମ୍ବର ୨୦୨୫: ଅନ୍ଧାରୁଆ ଠାରେ ‘ଆମ ବସ୍’ ଧକ୍କାରେ ବାଇକ୍ ଚାଳକ ମୃତ
ଡିସେମ୍ବର ୨୦୨୫: ସତ୍‌ସଙ୍ଗ ବିହାର ଅଞ୍ଚଳରେ ‘ଆମ ବସ୍’ ଧକ୍କାରେ ଜଣେ ମୃତ
ଫେବ୍ରୁଆରି ୨୦୨୫: ରଘୁନାଥପୁରରେ ‘ଆମ ବସ୍’ ଧକ୍କାରେ ନାବାଳିକାର ମୃତ୍ୟୁ
ଜାନୁଆରି ୨୦୨୫: ସିରିଜ୍ ଦୁର୍ଘଟଣା ଘଟାଇଥିଲା ‘ଆମ ବସ୍’
୨୦୨୫ ଜୁଲାଇରୁ ଡିସେମ୍ବର ଭିତରେ ‘ଆମ ବସ୍’ ନେଇଛି ୨ ଜଣଙ୍କ ଜୀବନ
ଏପ୍ରିଲ ୨୦୨୪: ବାଣୀବିହାର ଛକରେ ଦୁର୍ଘଟଣା, ବାଇକ୍ ଆରୋହୀ ମୃତ
ଫେବ୍ରୁଆରି ୨୦୨୪: ବରୁଣେଇ ନିକଟରେ ଦୁର୍ଘଟଣା, ୧୫ରୁ ଅଧିକ ଆହତ

ସୂଚନା ଅନୁଯାୟୀ ଗତ ଜୁନ୍ ୨୦୨୪ ଠାରୁ ଟ୍ବିନ୍‌ସିଟିରେ ୨୫ରୁ ଅଧିକ ଦୁର୍ଘଟଣା ଘଟାଇଛି ‘ଆମ ବସ୍’ । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ତଦନ୍ତ ବାଟରେ ତଦନ୍ତ ହେଉଛି । ମାତ୍ର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଆମ ବସ୍ ଦୁର୍ଘଟଣାରେ ଲାଗୁନି ବ୍ରେକ୍ ।