କନକ ନ୍ୟୁଜ୍‌ର ଖବର : ଲଘୁ ଖଣିଜ ସମ୍ପଦକୁ ନେଇ ବିଧାନସଭାରେ କମ୍ପନ

ବିଜେଡି ବିଧାୟକ ଗଣେଶ୍ୱର ବେହେରା ସମାନ ପ୍ରସଙ୍ଗ ଉଠାଇ, ମୁଖ୍ୟମନ୍ତ୍ରୀ ଖଣି ଚୋରି ରୋକିବା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ସେନେଇ ଗୃହରେ ଘୋଷଣା କରିବାକୁ ଦାବି କରିଛନ୍ତି

Kanak News Assembly

Kanak News Assembly Photograph: (kanak News)

କନକ ବ୍ୟୁରୋ: ଶୂନ୍ୟକାଳରେ ଉଠିଲା ଲଘୁ ଖଣିଜ ଲୁଟ୍‌ ପ୍ରସଙ୍ଗ । ଆଲୋଚନା କରିବାକୁ ଦାବି କଲେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବିଧାୟକ କହିଲେ,ଆମର ରାଜସ୍ବହାନୀ ହେଉଛି ଏବଂ ପଡ଼ୋଶୀ ରାଜ୍ୟମାନେ ଆମର ସମ୍ପତ୍ତି ଲୁଟ୍‌ କରି ନେଉଛନ୍ତି । ବାଲି ଏବେ ରାଜ୍ୟରେ ମିଳୁନାହିଁ । ଅନେକ ସ୍ଥାନରେ କାମ ଠପ୍‌ ହୋଇଯାଇଛି ଏବଂ ସମସ୍ତ ବିଧାୟକମାନେ ମଧ୍ୟ ଏହା ଉପଲବ୍ଧି କରୁଛନ୍ତି । ତେଣୁ ଗୃହରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ରାଜା । କହିଛନ୍ତି, ରାଜସ୍ବ ସଚିବ, ଶିଳ୍ପ ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଡାକନ୍ତୁ ଏବଂ ଏନେଇ ଏକ ଆଲୋଚନା ହେଉ । ଆଲୋଚନା କରି ଯେଉଁ ରାଜସ୍ବ ହାନି ହେଉଛି ତାହାକୁ ରୋକିବାକୁ ବ୍ୟବସ୍ଥା କରନ୍ତୁ ।

ସେପଟେ, ବିଜେଡି ବିଧାୟକ ଗଣେଶ୍ୱର ବେହେରା ସମାନ ପ୍ରସଙ୍ଗ ଉଠାଇ, ମୁଖ୍ୟମନ୍ତ୍ରୀ ଖଣି ଚୋରି ରୋକିବା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ସେନେଇ ଗୃହରେ ଘୋଷଣା କରିବାକୁ ଦାବି କରିଛନ୍ତି । ଏହାସହ ସରକାର ଏଥିପାଇଁ ଟାସ୍କ ଫୋର୍ସ ଗଠନ କରିବାକୁ ଦାବି କରିଛନ୍ତି ଗଣେଶ୍ବର । 

ସରକାରୀ ଦଳର ସଦସ୍ୟଙ୍କୁ ଟାଣିଲେ ବିଜେଡି ବିଧାୟକ

ବିଧାନସଭାରେ ବିଧାୟକ କହିଛନ୍ତି, ରାଜ୍ୟ ସରକାର ଏକ ଦମ୍ଭୋକ୍ତି ଦେଖାଇଥିଲେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ । ହେଲେ ତାହା ବଦଳରେ ଏବେ ପୂର୍ଣ୍ଣ ସହନଶୀଳତା ହୋଇଯିବା ପରି ମନେ ହେଲାଣି । ସୁନାର ଓଡ଼ିଶା ଲୁଟ୍‌ ହେଉଛି । ଦୁର୍ନୀତି ରୋକା ଯାଇପାରୁନାହିଁ । ଲଘୁଖଣିଜ ପଦାର୍ଥ ବ୍ୟାପକ ମାତ୍ରାରେ ଲୁଟ୍‌ ହେଉଛି । ଖଣି ବିଭାଗ ସଚିବଙ୍କୁ ଚିଠି ଲେଖିଥିଲି, କେନ୍ଦ୍ରାପଡ଼ାରେ ଏକ ଲଘୁଖଣିଜ ଲୁଟ୍‌ ହେଉଛି, ହେଲେ କୌଣସି ଫଳାଫଳ ମିଳିଲା ନାହିଁ କହି ନିଜର ଉଦବେଗ ପ୍ରକାଶ କରିଛନ୍ତି ଗଣେଶ୍ବର । ଲଘୁଖଣିଜ ଲୁଟ୍‌ ହେବାର କାରଣ କହି ଶ୍ରୀବେହେରା କହିଛନ୍ତି, ଖଣି ଲିଜ୍‌ ଦିଆଯାଉନାହିଁ । ବିନା ଟିପିରେ ଖଣିଜ ଉଠାଯାଉଛି।

କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତି, ସରକାରୀ ଦଳର ଜଣେ ଜଣେ ବ୍ୟକ୍ତି ବିଶେଷ ଦୁର୍ନୀତିରେ ଲିପ୍ତ । ସରକାର ରାଜସ୍ବ ଲୁଟ୍‌ ପାଇଁ ବିଭିନ୍ନ ପଦକ୍ଷେପ ନେଉଛୁ ବୋଲି କହୁଛନ୍ତି ହେଲେ ତାହା କେବଳ କଥାରେ ରହିଗଲା ପରି ମନେ ହେଉଛି । ରାଜସ୍ୱ ଲୁଟ୍‌ ହେବ ଆଉ ଆମେ ଆଖି ବୁଜି ଦେବା କି ବୋଲି ପ୍ରଶ୍ନ କରିଛନ୍ତି । ମୁଖ୍ୟ ସଚିବ କହିବା ପରେ କାର୍ଯ୍ୟାନୁଷ୍ଠାନ ହେଉଛି କିନ୍ତୁ ମୂଳ ଅପରାଧୀ ଖସି ଯାଉଛନ୍ତି ବୋଲି ସେ ଅଭିଯୋଗ ବି କରିଛନ୍ତି । କାହିଁକି ଲଘୁ ଖଣିଜ ନିର୍ଦ୍ଦେଶାଳୟର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଶୋଇଛନ୍ତି ? ସରକାର ଏ ଦିଗରେ ନୀରବ କାହିଁକି ? ୬୩୬ ଲଘୁ ଖଣିଜ ଅଛି, ତା’ର ନିଲାମ କେବେ କରିବେ? ସରକାର ଏ ସଂକ୍ରାନ୍ତରେ ଠୋସ୍‌ ନିଷ୍ପତ୍ତି ନେବେ କି? ଦୁର୍ନୀତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି? ସରକାର ଏକ ଟାସ୍କ ଫୋର୍ସ ଗଠନ କରିବେ କି? ଏମିତି କଡ଼ା ପ୍ରଶ୍ନ କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe