କନକ ବ୍ୟୁରୋ: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ । ଏଣିକି ପାନୀୟଜଳ ପ୍ରକଳ୍ପ କାମରେ ଠିକା କମ୍ପାନି ବିଳମ୍ବ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସଙ୍ଗେ ସଙ୍ଗେ ହେବ ଏଫଆଇଆର । ରାଜ୍ୟରେ ଚାଲିଥିବା ମେଗା ପାନୀୟଜଳ ପ୍ରକଳ୍ପକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ପ୍ରକଳ୍ପ ଧିମା ଗତିରେ ଚାଲୁଥିବା କହି କେବେ ପ୍ରତି ଘରକୁ ପାଇପ ଯୋଗେ ପାଣି ପହଞ୍ଚିବ ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରମେଶ ବେହେରା । 

Advertisment

ଉତ୍ତରରେ ପାନୀୟଜଳ ସମସ୍ଯାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଧିମା ହେବାର କାରଣ କହି ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ପଂଚାୟତିରାଜ ମନ୍ତ୍ରୀ । ଯେଉଁମାନେ ଚୁକ୍ତି ସ୍ଵାକ୍ଷର କରିଥିଲେ, ନୂଆ ସରକାର ଆସିବା ପରେ ଏହାର ସମୟ ସୀମା ପଳେଇଥିଲା । ଘଟଣା ଜାଣିବା ପରେ ସରକାର ଫାଇନ୍‌ କରିଛନ୍ତି । ଏବେ ୭ ଦିନ ଭିତରେ କମ୍ପାନି ମୁଖ୍ୟଙ୍କୁ ଡକା ହୋଇଛି । ଠିକ୍‌ ସମୟରେ କାମ ନକଲେ କମ୍ପାନିକୁ ବ୍ଲାକ୍‌ ଲିଷ୍ଟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । 

ଏହାସହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,ପୂର୍ବରୁ ପାଇପ୍‌ ଥିଲା, ପାଣି ନଥିଲା । ଏବେ ପ୍ରତିଘରେ ପାଣି ନହେଲେ କାମ ସମାପ୍ତ ହୋଇଛି ବୋଲି ଧରାଯିବନି । କାମ ଧିମା ବିଷୟରେ ବିଭାଗ ଅବଗତ ଅଛି । ମାର୍ଚ୍ଚ ସୁଦ୍ଧା ୭୨ ପ୍ରକଳ୍ପ ହେବାର ଥିଲା କିନ୍ତୁ ୫୨ ପ୍ରକଳ୍ପ କାମ ସରିଛି । ଜୁନ୍‌ ସୁଦ୍ଧା ୭୨ ପ୍ରୋଜେକ୍ଟର କାମ ସରିବ । ସେହିପରି ୨୦୨୫ ସୁଦ୍ଧା ଆଉ ୪୦ ପ୍ରୋଜେକ୍ଟ ହେବ । ଖାଲି ଏତିକି ନୁହେଁ ବରଂ ପାହାଡ଼ିଆ ଅଂଚଳରେ କେମିତି ପାଣି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ଏବେ ବି ଅନେକ ଗାଁ ବିଶୁଦ୍ଧ ପାନୀୟଜଳ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ଗୃହରେ ଗତ ଫେବ୍ରୁଆରୀ ଉଠିଥିଲା ପ୍ରଶ୍ନ । ମନ୍ତ୍ରୀ କହିଥିଲେ, ୨୦୨୬ ସୁଦ୍ଧା ସବୁ ଗାଁକୁ ଯୋଗାଇ ଦିଆଯିବ ପାଇପ୍ ପାଣିର ସୁବିଧା । ଏହାସହ ମନ୍ତ୍ରୀ କହିଥିଲେ, ରାଜ୍ୟରେ ୬,୭୯୪ଟି ପଞ୍ଚାୟତ ରହିଛି । ୫୨ ହଜାର ୬୩ଟି ୱାର୍ଡକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି । ୨୦୨୬ ସୁଦ୍ଧା ୪୦ ହଜାର ୧୯୩ଟି ୱାର୍ଡକୁ ପାଇପ୍ ପାଣିର ସୁବିଧା ପହଞ୍ଚାଇବା ଲକ୍ଷ୍ୟ ରହିଛି । ଏହାସହ ଜଳଜୀବନ ମିଶନର ଅବଧି ବଢିଛି । କେନ୍ଦ୍ର ସରକାର ଏନେଇ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି  ।  ବସୁଧା ଯୋଜନାରେ ୧ ହଜାର ୬୦୦ କୋଟି ୨୪ ଘଣ୍ଟିଆ  ବିଶୁଦ୍ଧ  ପାନୀୟ ଜଳ ଯୋଗାଇବା ସରକାରଙ୍କ ଲକ୍ଷ୍ୟ ରହିଛି  ।